ଧନୁମାସରେ ଧନୁମୁଆଁର ଚାହିଦା ବେଶୀ । ବ୍ରହ୍ମପୁରରେ ମୁଆଁ ତିଆରିରେ ବ୍ୟସ୍ତ କାରିଗର । ବଜାରରେ ଏବେ ଚିନି ମୁଆଁ, ଘିଅ ମୁଆଁ, ଗୁଡ ମୁଆଁ ପରି ଭଳି କି ଭଳି ମୁଆଁର ଆସର ।

85

କନକ ବ୍ୟୁରୋ : ଧନୁମୁଆଁ ପାଇଁ ସମଗ୍ର ରାଜ୍ୟରେ ରହିଛି ବ୍ରହ୍ମପୁରର ସ୍ୱତନ୍ତ୍ର ପରିଚୟ । ଧନୁ ସଂକ୍ରାନ୍ତିରୁ ମକର ସଂକ୍ରାନ୍ତି ଏକ ମାସ ଧରି ଏହି ଧନୁମୁଆଁର ବେଶ୍ ଚାହିଦା ରହିଥାଏ । ତାକୁ ନଜରରେ ରଖି ମୁଆଁ ତିଆରିରେ ଲାଗିପଡିଛନ୍ତି କାରିଗର । ଚିନିମୁଆଁ, ଘିଅମୁଆଁ ଭଳି ଅନେକ ପ୍ରକାରର ମୁଆଁ ଏବେ ବ୍ରହ୍ମପୁର ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ ।

ଧନୁମୁଆଁକୁ ନେଇ ବ୍ରହ୍ମପୁର ବଜାର ବେଶ ଚଳଚଞ୍ଚଳ । ସେ ଫଳ ଦୋକାନୀ ହେଉ କି ମିଠା ଦୋକାନ ସବୁଠି ମୁଆଁମୟ ହୋଇଯାଇଛି । ଏହି ବ୍ରହ୍ମପୁର ମୁଆଁର ଚାହିଦା ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ରହିଛି । ଧନୁସଂକ୍ରାନ୍ତିରୁ ମକରସଂକ୍ରାନ୍ତି ପର୍ୟ୍ୟନ୍ତ ଏକ ମାସ ଧରି ଠାକୁରଙ୍କୁ ଭୋଗଲାଗି ହେବ ମୁଆଁ । ବ୍ରହ୍ମପୁରର ମୁଆଁ ଯିଏ ଥରେ ଖାଇଛି ସିଏ ପୁନର୍ବାର ଏହି ମୁଆଁକୁ ଖାଇବାକୁ ନିଶ୍ଚୟ ଚାହିଁବ । ଏହାର ସ୍ୱାଦ ନିଆରା । ଏହାଛଡା ଝିଅମାନଙ୍କ ଶାଶୁଘରକୁ ଏହି ମୁଆଁ ଉପହାର ଦିଆଯିବା ପରମ୍ପରା ମଧ୍ୟ ରହିଛି । ଏଥିପାଇଁ ନିଜ ମନମୁତାବକ ମୁଆଁକିଣାରେ ଲାଗି ପଡିଛନ୍ତି ସହରବାସୀ । ବର୍ଷରେ ଏହି ଏକମାସ ମୁଆଁ ବଜାର ବେଶ ଚଳଚଞ୍ଚଳ ରହେ ।

ଘିଅମୁଆଁ, ଚିନିମୁଆଁ, ନବାତମୁଆଁ, ପିସ୍ତାବାଦମ ମୁଆଁ, କାଜୁମୁଆଁ ପରି ଭଳିକି ଭଳି ମୁଆଁ ନିଜ ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ଆକର୍ଷଣୀୟ ଭାବେ ସଜାଇରଖିଥାନ୍ତି ବ୍ୟବସାୟୀ । ଭଲ ବ୍ୟବସାୟ ହେଉଥିବାରୁ ଏହି ଏକମାସରେ ଭଲ ଦୁଇପଇସା ଉପାର୍ଜନ କରିଥାନ୍ତି ସେମାନେ । ତେବେ ପୂର୍ବ ବର୍ଷ ମାନଙ୍କ ଅପେକ୍ଷା ଚଳିତବର୍ଷ ମୁଆଁ ବ୍ୟବସାୟ ଟିକେ ମାନ୍ଦା ଥିବା ସେମାନେ ପ୍ରକାଶ କରିଛନ୍ତି । ସେପଟେ କାରୀଗରମାନେ ମଧ୍ୟ ନିଜ ଘରେ ମୁଆଁ ପ୍ରସ୍ତୁତରେ ଲାଗି ପଡିଥାନ୍ତି । ଘରର ସମସ୍ତ ସଦସ୍ୟ ସକାଳୁ-ସଞ୍ଜ ଯାଏଁ ଏହି ମୁଆଁ ପ୍ରସ୍ତୁତ ଓ ପ୍ୟାକିଂ କାର୍ୟ୍ୟରେ ଲାଗିପଡିଥାନ୍ତି । ଲିଆ, ନଡିଆ ପାତି, କାଜୁ, ଚିନି, ପିସ୍ତାବାଦାମ ଆଦି ସାମଗ୍ରୀକୁ ପାଗ କରି ଏହି ମୁଆଁ ପ୍ରସ୍ତୁତ କରାଯାଇଥାଏ । ଗଂଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହି ମୁଆଁ ପଠାଇଥାନ୍ତି କାରୀଗର ।

ରେଶମ ସହରର ଏହି ମୁଆଁ ପରମ୍ପରା ବହୁ ପୁରୁଣା । ତେବେ ସେ ଯାହା ହେଉନା କାହିଁକି ଏହି ସୁସ୍ୱାଦୁ ମୁଆଁର ମଜା ନେବା ପାଇଁ ସହରବାସୀ ଏହି ମାସକୁ ଯେଭଳି ଚାହିଁ ରହିଥାନ୍ତି ।