କନକ ବ୍ୟୁରୋ : ପର ଜମିରେ ମୂଲ ଲାଗୁଛନ୍ତି ଅନେକ ସ୍ୱର୍ଣ୍ଣ ପଦକର ଅଧିକାରୀ ଅନ୍ତର୍ଜାତୀୟ ଭାରତୋଳନକାରୀ । ଅନ୍ତଃଜାତୀୟ ପ୍ରତିଯୋଗିତାରେ ୩ ଥର ଦେଶକୁ ପ୍ରତିନିଧିତ୍ୱ କରିଥିବା ପ୍ରତିଭା ଆଜି ଦିନ ମଜୁରିଆ ସାଜିଛନ୍ତି । ଭାରତୋଳନ କରି ଦେଶ ପାଇଁ ମେଡାଲ ଆଣିଥିବା ପ୍ରତିଭାଙ୍କ ପାଇଁ ଆଜି ପରିବାର ବୋଝ ପାଲଟି ଯାଇଛି ।

Advertisment

ଦିନେ ଭାରତୋଳନ କରିବାକୁ ମନରେ ପ୍ରବଳ ଆଗ୍ରହ ଥିଲା, ଦେହରେ ଭୀମର ବଳ ଥିଲା, ହେଲେ ଏବେ ପରିବାର ମୁହଁରେ ଦାନା ଦେବାକୁ ସାମର୍ଥ୍ୟ ନାହିଁ । ବିଦେଶରେ ଖେଳି ନାଁ କମେଇଥିଲେ, ସ୍ୱର୍ଣ୍ଣ ପଦକ ଜିଣି ଦେଶ ପାଇଁ ଗୌରବ ଆଣିଥିଲେ । ଏବେ କିନ୍ତୁ ଜୀବନ ଚକ୍ର ପୁରା ବିପରିତ ଦିଗକୁ ଘୁରି ଯାଇଛି । ଜଣେ ମାଳମାଳ ମେଡାଲ ହାତେଇଥିବା ଭାରୋତଳନକାରୀ ଦୁଇ ଓଳି ଦାନା ଯୋଗାଡ ପାଇଁ ଦିନ ମଜୁରିଆ ସାଜିଛନ୍ତି । ଚାଷ ଜମିରେ ଝାଳ ବୁହାଉଥିବା ଏହି ବ୍ୟକ୍ତି ହେଉଛନ୍ତି ଭାରୋତଳନକାରୀ ନବରଙ୍ଗପୁର ଉମରକୋଟ ବ୍ଲକ ତେଲାରି ଗାଁର ଅରୁଣ ସାନ୍ତା ।

ଅରୁଣ ସପ୍ତମ ଶ୍ରେଣୀରେ ପାଠ ପଢିବା ପରେ ବ୍ରହ୍ମପୁର ହଷ୍ଟେଲରେ ରହି ପାଠ ପଢିବା ସହ ଭାରୋତଳନର ତାଲିମ ନେଇଥିଲେ । ସେହି ଠାରୁ ଜାତୀୟ, ଅନ୍ତଃଜାତୀୟ ସ୍ତରରେ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଏସବୁ ପଦକ ଜିଣିଛନ୍ତି । ଅନ୍ତଃଜାତୀୟ ଜୁନିୟର କମନ୍ ୱେଲ୍ଥ ଚାମ୍ପିୟନ୍ ସିପରେ ସ୍ୱର୍ଣ୍ଣ ପଦକ ଆଣିଥିଲେ ଅରୁଣ । ଏସିଆନ୍ କପରେ ସ୍ୱର୍ଣ୍ଣ ପଦକ ହାତେଇଥିବା ଏହି ଭାରୋତ୍ତଳନକାରୀ ୱାର୍ଲଡ୍ ଚମ୍ପିୟାନ ସିପରେ ପ୍ରତିନିଧିତ୍ୱ କରିଥିଲେ । ଆଗକୁ ଅଲିମ୍ପିକ୍ ଖେଳିବାକୁ ଲକ୍ଷ୍ୟ ରଖିଥିଲେ, କିନ୍ତୁ ସେତେବେଳେ ସରକାରୀ ସହାୟତା ନମିଳିବାରୁ ଅଧାରେ ଅଟକିଗଲା ଅଭାବୀ ପରିବାରର ଏହି ପ୍ରତିଭାଙ୍କ ସ୍ୱପ୍ନ । ଅଭାବ ସିନା ଅରୁଣଙ୍କ ଆଶାକୁ ଧୂଳିସାତ କରିଦେଇଛି, ସେ କିନ୍ତୁ ଚାହାନ୍ତି ଉମରକୋଟରେ ଏକ ଏକାଡେମୀ କରି ପିଲାଙ୍କୁ ଭାରତୋଳନ ପ୍ରଶିକ୍ଷଣ ଦେବା ପାଇଁ । ହେଲେ ଏଥିପାଇ ବହୁତ ଟଙ୍କା ଦରକାର । ଯାହା ପାଖରେ ଖାଇବାକୁ ପଇସା ନାହିଁ, ସେ କେମିତି ପୂରଣ କରିବେ ଏତେ ବଡ ସ୍ୱପ୍ନ ।