ପଥର କାରିଗରଙ୍କ ଗାଁ ଯାଜପୁରର ଶୁଖୁଆପଡ଼ା। ମୂର୍ତି କାରିଗରୀ ଓ ଘରକରଣା ସାମଗ୍ରୀ ପାଇଁ ଗାଁର ରହିଛି ପ୍ରସିଦ୍ଧି।

93

କନକ ବ୍ୟୁରୋ: ବଡଚଣା ବ୍ଲକ ଶୁଖୁଆପଡା ଗାଁ । ଚଣ୍ଡିଖୋଲ ଛକଠାରୁ ୫୩ନମ୍ବର ଜାତୀୟ ରାଜପଥରେ ୨୫ କିଲୋମିଟର ପାରାଦୀପ ଆଡକୁ ଗଲାପରେ ପଡେ ଏହି ଐତିହ୍ୟ ସମ୍ପନ୍ନ ଗାଁ । ଗାଁର ପାଖାପାଖି ପାଞ୍ଚଶହ ପରିବାର ପଥରରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏଥିରେ ପରିବାର ଚଳାଇ ଆସୁଛନ୍ତି । ପଥରକୁ ଜୀବନ୍ତ କରି ବିଭିନ୍ନ ପ୍ରତିମୂର୍ତି ଗଢିବାରେ ବେଶ ସିଦ୍ଧହସ୍ତ ଗାଁର କାରିଗର । ଏହି ଗାଁ କାରିଗରଙ୍କ ପ୍ରସ୍ତୁତ ମୂର୍ତି ଓ ଘରକରଣା ସାମଗ୍ରୀକୁ ଦେଖିଲେ ଏମାନଙ୍କ କଳାନୈପୁଣ୍ୟର ଦକ୍ଷତାକୁ ସହଜରେ ଅନୁମାନ କରାଯାଇପାରେ । ଖଣ୍ଡେଲାଇଟ ପଥରରେ ଏହି ଗାଁର କାରିଗରମାନେ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତି, ହନୁମାନ, ଗଣେଶ, ଚଉରା, ନର୍ତ୍ତକୀ, ନଟନଟୀ ମୂର୍ତି ବନାଇବା ସହ ଶିଳ, ଚକି, ପେଶା ଇତ୍ୟାଦି ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ନିଜର କଳାକୃତି ପାଇଁ କାରିଗରମାନେ ଗର୍ବ ଅନୁଭବ କରୁଥିବା ବେଳେ କଞ୍ଚାମାଲର ଅଭାବ ଏବେ ଏମାନଙ୍କ ଆଗରେ ପ୍ରମୁଖ ସମସ୍ୟା ହୋଇ ଠିଆ ହୋଇଛି ।

ଦିନେ ଏହି ଗାଁର କାରିଗର ଉତ୍ତରପ୍ରଦେଶରେ ମାୟାବତୀଙ୍କ ହାତୀ ମୂର୍ତି ନିର୍ମାଣ କରିବା ସହ ଜଗନ୍ନାଥ ମନ୍ଦିର ସିଂହ ଦ୍ୱାରରେ ଜୟବିଜୟ ମୂର୍ତି କରି ଚର୍ଚାକୁ ଆସିଥିଲେ । ସମୟ ବଦଳୁଥିବା ବେଳେ କାରିଗରମାନଙ୍କ କାମ କରିବାର ତରିକା ମଧ୍ୟ ବଦଳିଛି । ଏହି କାମରେ କାରିଗରମାନେ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରି ନିଜର ବୃତିକୁ ସହଜ କରିପାରିଛନ୍ତି । ଶୁଖୁଆପଡା ଗାଁ କାରିଗରଙ୍କ କଳାକୃତୀର ଗୁରୁତ୍ୱକୁ ଉପଲବ୍ଧ କରି ରାଜ୍ୟ ସରକାର ଏହି ଗାଁକୁ ଶିଳ୍ପଗ୍ରାମ ଘୋଷଣା କରିଛନ୍ତି । ମାତ୍ର ତାହା ଘୋଷଣାରେ ରହିଯାଇଥିବା ଜଣାପଡିଛି । ଶିଳ୍ପୀମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ଗୁଡିକର ଜାତୀୟ ଅନ୍ତର୍ଜାତୀୟ ବଜାରରେ ବେଶ୍ ଚାହିଦା ରହିଥିବା ବେଳେ ବିକ୍ରୀ ପାଇଁ ସେପରି କିଛି ବିଶେଷ ସୁବିଧା ନାହିଁ । ରାଜ୍ୟ ସରକାରଙ୍କ ସଂସ୍ଥା ଉକ୍ରଳିକା ମଧ୍ୟ ସମସ୍ତ କାରିଗରଙ୍କଠାରୁ ମୂର୍ତି କ୍ରୟ କରୁନାହିଁ । ଯାହାଫଳରେ ଉତ୍ପାଦିତ ମୂର୍ତି ଗୁଡିକ ଅଳ୍ପଦରରେ ବିକ୍ରି କରିବା ପାଇଁ କାରିଗରମାନେ ବାଧ୍ୟ ହେଉଛନ୍ତି ।

ନିକଟରେ ୟୁନେସକୋର ଏକ ପ୍ରତିନିଧି ଦଳ ଏହି ଶିଳ୍ପୀଗ୍ରାମ ପରିଦର୍ଶନରେ ଆସି କାରିଗରମାନଙ୍କ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ରାଜ୍ୟ ସରକାର ପଥର କାରିଗରଙ୍କ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ସହଯୋଗର ହାତବଢାଇଲେ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ।