ଆନ୍ଧ୍ରପ୍ରଦେଶର ନିଆରା ଗାଁ । ଏହି ଗାଁର ଲୋକେ ନା କ୍ଷୀର କିଣନ୍ତି ନା କ୍ଷୀର ବିକନ୍ତି । ସମସ୍ତଙ୍କୁ ମିଳେ ମାଗଣା କ୍ଷୀର

332

କନକ ବ୍ୟୁରୋ : ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆନ୍ଧ୍ର ପ୍ରଦେଶର ଏମିତି ଏକ ଗାଁ ରହିଛି ଯେଉଁ ଗାଁରେ ଲୋକମାନେ କ୍ଷୀରର କିଣା ବିକା କରନ୍ତି ନାହିଁ । କେବଳ ଯେଉଁମାନଙ୍କର ଦରକାର ସେମାନଙ୍କୁ ମାଗଣାରେ ଯୋଗାଇ ଦିଅନ୍ତି । ଆହୁରି ଆଶ୍ଚର୍ଯ୍ୟର କଥା ଯେ ଏହି ଗାଁର ଲୋକେ କ୍ଷୀରର ଲିଟର ପିଛା ମୂଲ୍ୟ ମଧ୍ୟ ଜାଣନ୍ତି ନାହିଁ ।

ଆମେ ଆପଣଙ୍କୁ କହୁଛି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲା ଗୋନଗଣ୍ଡଲା ମଣ୍ଡଳ ଅଧିନସ୍ତ ଗଂଜିହାଲୀ ଗାଁର କଥା । ୧୧ ଶହ ପରିବାରର ୪୭୫୦ ଲୋକ ବାସ କରୁଥିବା ଏହି ଗାଁରେ ପାଳିତ ହୋଇଛନ୍ତି ୧୨୦ ଗାଇ ଓ ୨୦ ଟି ମଇଁସି । ଏମାନଙ୍କ ଠାରୁ ଦୈନିକ ୧ ହଜାର ଲିଟର ଦୁଗ୍ଧ ଉତ୍ପାଦନ କରାଯାଇଥାଏ । ବଡକଥା ହେଉଛି ଏତେ ପରିମାଣର ଦୁଗ୍ଧ ଦୈନିକ ଉତ୍ପାଦନ ହେଉଥିଲେ ବି ଗ୍ରାମାବାସୀ ଏହାକୁ ନା ଡାଇରୀ ଫାର୍ମକୁ ନା ଘରୋଇ ଭାବେ କାହାକୁ ବିକ୍ରି କରନ୍ତି ନାହିଁ । ଏହାସହ ଗ୍ରାମବାସୀମାନେ ମଧ୍ୟ କେହି କାହାଠାରୁ କ୍ଷୀର କିଣନ୍ତି ନାହିଁ । ଏହା କେବଳ ଗ୍ରାମରେ ଯାହାର ଆବଶ୍ୟକ ତାଙ୍କୁ ମାଗଣାରେ ଦିଆଯାଇଥାଏ । ଏହାକୁ ବର୍ଷ ବର୍ଷ ଧରି ଗ୍ରାମବାସୀ ମାନେ ଏକ ନିୟମ ହିସାବରେ ପାଳନ କରିଆସୁଛନ୍ତି ।

ଗଂଜୀହଲି ଗ୍ରାମର ଏହି ପରମ୍ପରା ୪୦ ବର୍ଷଧରି ଲାଗି ରହିଛି । ଗ୍ରାମବାସୀମାନେ ଏହା ପଛରେ ଥିବା କହାଣୀ କହିବାକୁ ଯାଇ କହନ୍ତି କି ୪୦ ବର୍ଷ ତଳେ ଏହି ଗାଁରେ ଜଣେ ସାହେବ ରହୁଥିଲେ । ସେହି ସାହେବଙ୍କ ନାମରେ ଏବେ ସେଠାରେ ଏକ ଦର୍ଘା ବି ରହିଛି । ଏହି ସାହେବଙ୍କୁ ଗ୍ରାମର ନାଗୀ ରେଡ୍ଡିଙ୍କ ଠାରୁ ଦୈନିକ ମାଗଣାରେ କ୍ଷୀର ମିଳୁଥିଲା । ହେଲେ ଦିନେ ନାଗୀ ରେଡ୍ଡିର ଗାଈ ମରିଯିବାରୁ ସାହେବଙ୍କୁ କ୍ଷୀର ମିଳି ନଥିଲା । ସେ ବାସନ ଧରି ଗାଁ ସାରା ବୁଲିଥିଲେ ବି ତାଙ୍କୁ କେହି କ୍ଷୀର ଦେଇ ନଥିଲେ । ଏହାପରେ ସାହେବ ନାଗୀ ରେଡ୍ଡିର ଗାଈକୁ ଜୀବନଦାନ ଦେଇ କହିଥିଲେ କି ଆଜି ଠାରୁ ଏହି ଗାଁରେ କେହି କ୍ଷୀର ବିକ୍ରି କିମ୍ବା କିଣି ପାରିବ ନାହିଁ ଯିଏ ଏହି ନିୟମକୁ ଅବମାନନା କରିବ ତା ପରିବାର ବର୍ବାଦ ହୋଇଯିବ । ସେବେଠାରୁ ଏହି ଗାଁରେ ସେହି ପରମ୍ପରା ଏବେ ବି ଜୀବିତ ରହିଛି ।

କିଛି ଗ୍ରାମବାସୀ କହନ୍ତି କି, ଯେଉଁ ପରିବାର ଏହି ନିୟମକୁ ଉଲଙ୍ଘନ କରିଛନ୍ତି ସେମାନେ ଆର୍ଥିକ ଭାବେ ଦୁର୍ବଳ ହୋଇଯାଇଛନ୍ତି । ଗାଁରେ ହୋଟେଲ କିମ୍ବା ଚା ଦୋକାନୀମାନେ ବାହାର ଗାଁ ରୁ କ୍ଷୀର କିଣିଥାନ୍ତି ।