କନକ ବ୍ୟୁରୋ : ସୌନ୍ଦର୍ଯ୍ୟର ଗନ୍ତାଘର ଆମ ଏ ପୃଥିବୀ । ଘଞ୍ଚ ଜଙ୍ଗଲ , ସହ କଳ କଳ ନାଦରେ ପ୍ରବାହିତ ହେଉଥିବା ଝରଣା ବାସ୍ତବରେ ଏ ଦୃଶ୍ୟ ଅତ୍ୟନ୍ତ ମନୋଲୋଭା । ପ୍ରକୃତି ଏବଂ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକଙ୍କ ବେଶ୍ ଆକର୍ଷିତ କରିଥାଏ । ଯଦି ଆପଣଙ୍କୁ କୁହାଯାଏ କି ଆପଣ ପ୍ରକୃତି ରୂପରେ ଭଗବାନଙ୍କୁ ଦେଖିପାରିବେ , ତେବେ ଆପଣ କଣ ଏ କଥାରେ ବିଶ୍ୱାସ କରିପାରିବେ? ତେବେ ଏହା ବାସ୍ତବରେ ସତ୍ୟ ଅଟେ । ଯଦି ଆପଣ ପ୍ରକୃତି ରୂପରେ ଭଗବାନଙ୍କୁ ଏବଂ ଇଶ୍ୱରଙ୍କ ପ୍ରେମକୁ ଦେଖିବାକୁ ଚାହୁଁଥାନ୍ତି ତେବେ ସକାଳର ସେ ପହିଲି କିରଣ ଦେଖିଲେ ଆପଣ ହୁଏତ ବୁଝିପାରିବେ । ଯେତେବେଳେ ସୂର୍ଯ୍ୟଙ୍କର ସେ ପହିଲି କିରଣ ଧରାପୃଷ୍ଠକୁ ସ୍ପର୍ଶ କରେ, ସେତେବେଳେ କେତେ ଯେ ସବୁଜିମା ଖେଳି ଉଠେ । ମନ ଭିତରେ ସୃଷ୍ଟି ହୁଏ ନୂଆ ଆଶା ଉଦ୍ଦୀପନାର ଆଲୋକ । ମନକୁ ଶାନ୍ତି ତଥା ଶରୀର ପ୍ରତି ସତେଜତା ଆପଣ ନିଶ୍ଚୟ ଅନୁଭବ କରିଥିବେ । ସକାଳର ସେ ପହିଲି କିରଣ କାହାକୁ ବା ନ ପସନ୍ଦ ହେଲେ ଆପଣ ଜାଣନ୍ତି କି ଆମ ଦେଶ ଭାରତରେ କେଉଁ ସ୍ଥାନରେ ପ୍ରଥମେ ସୂର୍ଯ୍ୟୋଦୟ ହୋଇଥାଏ? ଭାରତର କେଉଁ ସ୍ଥାନ ଯେଉଁଠାରେ ସୂର୍ଯ୍ୟଙ୍କର କିରଣ ପ୍ରଥମେ ଧରାପୃଷ୍ଠକୁ ସ୍ପର୍ଶ କରିଥାଏ । ଆସନ୍ତୁ ଜାଣିବା ସେ ସମ୍ପର୍କରେ....

Advertisment

ଆପଣ ମାନଙ୍କ ମଧ୍ୟରୁ ଅନେକଙ୍କୁ ବୋଧହୁଏ ନିଶ୍ଚୟ ଜଣାଥିବ କି ଆମ ଦେଶର ଅରୁଣାଚଳ ପ୍ରଦେଶରେ ଦେଶର ପ୍ରଥମ ସୂର୍ଯ୍ୟକିରଣ ପଡ଼ିଥାଏ । ହେଲେ ଆପଣ ଜାଣନ୍ତି କି ଅରୁଣାଚଳ ପ୍ରଦେଶର ଏମିତି ଏକ ସ୍ଥାନ ଯେଉଁଠାରେ ପ୍ରଥମେ ସୂର୍ଯ୍ୟୋଦୟ ହୋଇଥାଏ । ଅନ୍ୟ ସ୍ଥାନ ମାନଙ୍କ ତୁଳନାରେ ଏହି ସ୍ଥାନରେ ସୂର୍ଯ୍ୟଙ୍କ କିରଣ ଧରାପୃଷ୍ଠକୁ ସ୍ପର୍ଶ କରିଥାଏ । ଅରୁଣାଚଳ ପ୍ରଦେଶ, ଏହି ରାଜ୍ୟର ଭୂମିରେ ଦେଶର ପ୍ରଥମ ସୂର୍ଯ୍ୟଙ୍କ କିରଣ ପଡ଼ିଥାଏ । ଅରୁଣାଚଳ ପ୍ରଦେଶର , ଡୋଙ୍ଗ ଉପତ୍ୟକାର ବେଦଙ୍ଗ ଉପତ୍ୟକା, ଏହିସ୍ଥାନରେ ପଡିଥାେ ଦେଶର ପ୍ରଥମ ସୂର୍ଯ୍ୟକିରଣ । ଭାରତ, ଚୀନ, ଏବଂ ମିଅାଁମାର ଏହି ତିନୋଟି ଦେଶର ମିଳନସ୍ଥଳରେ ଅବସ୍ଥିତ ଅରୁଣାଚଳ ପ୍ରଦେଶର ଏହି ଛୋଟ ଗାଁ । ଏହି ଗାଁ କୁ ମଧ୍ୟ ଉତ୍ତର-ପୂର୍ବ ସୀମାରେ ଭାରତର ପ୍ରଥମ ଗ୍ରାମ ମଧ୍ୟ କୁହାଯାଏ । ଏହି ଗ୍ରାମର ନାମ ମାଣା ଗ୍ରାମ ।

ଏହି ସ୍ଥାନ ଏବେ ଅନେକଙ୍କ ପାଇଁ ପର୍ଯ୍ୟଟନସ୍ଥଳୀ ପାଲଟିଛି । ବର୍ଷର ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ସୂର୍ଯ୍ୟଙ୍କ ପ୍ରଥମ କିରଣ ଦେଖିବାକୁ ଏଠାକୁ ଆସିଥାନ୍ତି । ଯେତେବେଳେ ଦେଶର ଦିଲ୍ଲୀ ଏବଂ ମୁମ୍ବାଇ ସମେତ ଦେଶର ଅଧିକାଂଶ ରାଜ୍ୟ ସକାଳ ୩ଟରେ ଗଭୀର ନିଦ୍ରାରେ ଶୋଇଥାଏ, ଏହି ସ୍ଥାନରେ ସକାଳ ପ୍ରାୟ ୩ଟା ସମୟରୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ଆରମ୍ଭ ହୋଇଥାଏ । ଏବଂ ସକାଳ ୪ଟା ସୁଦ୍ଧା ଏହି ଅଞ୍ଚଳ ସମ୍ପର୍ଣ୍ଣ ଆଲୋକିତ ହୋଇଥାଏ । ଯେଉଁ ସମୟରେ ଅନ୍ୟ ରାଜ୍ୟରେ ଲୋକମାନେ ରାତ୍ରି ଭୋଜନ ରାନ୍ଧିବା ଆରମ୍ଭ କରନ୍ତି, ସେତେବେଳେ ଏହି ସ୍ଥାନରେ ସମ୍ପର୍ଣ୍ଣ ରାତି ହୋଇଯାଇଥାଏ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଡୋଙ୍ଗ ଗାଁ । ସ୍ଥଳଭାଗରୁ ପ୍ରାୟ ୧୨୪୦ ମିଟରେ ଅବସ୍ଥିତ ଏହି ଗାଁ ଲୋହିତ ଏବଂ ସତୀ ନଦୀର ମିଳନସ୍ଥଳରେ ଅବସ୍ଥିତ । ସବୁଠାରୁ ବଡ଼ କଥା ହେଉଛି ଏହି ଗାଁର ଜନସଂଖ୍ୟା ମାତ୍ର ୩୫ଜଣ । ଏହି ଗାଁରେ ମାତ୍ର ୧୨ଘଣ୍ଟା ପାଇଁ ସୂର୍ଯ୍ୟଙ୍କ କିରଣ ଦେଖିବାକୁ ମିଳିଥାଏ । ତେବେ ୧୯୯୯ ମସିହା ପୂର୍ବରୁ , ଆଣ୍ଡାମାନର କାଟଚଲ ଦ୍ୱୀପରେ ଭାରତର ପ୍ରଥମ ସୂର୍ଯ୍ୟକିରଣ ପଡୁଥିବା ନେଇ ବିଶ୍ୱାସ କରାଯାଉଥିଲା । ମାତ୍ର ବାସ୍ତବରେ ୧୯୯୯ ମସିହାରେ ପରେ ଏହି ଗ୍ରାମ ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏହି ସ୍ଥାନକୁ ଏବେ ପର୍ଯ୍ୟଟକ ତଥା ପ୍ରକୃତିପ୍ରେମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।