କନକ ବ୍ୟୁରୋ: ଭିଡିଓ କରି କାରଣ ଜଣାଇବା ପରେ ଆତ୍ମହତ୍ୟା କଲେ ଯୁବ ବ୍ୟବସାୟୀ । ପାରିବାରିକ କଳହ ଏବଂ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବିବାଦର ପରିଣାମ କେତେ ସାଂଘାତିକ ହୋଇପାରେ, ତାହାର ଏକ ଚିତ୍ର ସାମ୍ନାକୁ ଆସିଛି । ଜାମସେଦପୁରର ଏକ ୭ ମହଲା ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ । ଅଭିଯୋଗ ହୋଇଛି, ରାହୁଲ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଯୋଗୁଁ ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ।

Advertisment

ଦୁଇ ଦିନ ତଳେ ସେ ଏମସି ମାନୋର ନାମକ ହୋଟେଲରେ ରହିଥିଲେ । ଗୁରୁବାର ଦିନ ହୋଟେଲରୁ ଚେକ୍ ଆଉଟ୍ କରିବା ପରେ ଆତ୍ମହତ୍ୟା କରିଛନ୍ତି ରାହୁଲ । ୧୦ ବର୍ଷ ତଳେ ଜାମସେଦପୁରର ବର୍ଷା ଚୁରିୱାଲାଙ୍କୁ ବିବାହ କରିଥିଲେ ରାହୁଲ । ସେମାନଙ୍କର ଦୁଇଟି ଯାଆଁଳା ପୁଅ-ଝିଅ ଅଛନ୍ତି । କିଛି ଦିନ ତଳେ ସେମାନଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାପଘରକୁ ଚାଲି ଯାଇଥିଲେ ବର୍ଷା । ଏହା ପରେ ରାହୁଲ ଓ ତାଙ୍କ ବାପା-ମାଆଙ୍କ ବିରୋଧରେ ଯୌତୁକ ନିର୍ଯାତନା ମାମଲା ଦାୟର କରିଥିଲେ । ଏହା ପରେ ମାନସିକ ଚାପରେ ରହିଥିଲେ ରାହୁଲ । ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ ରେକର୍ଡ କରିଥିଲେ ରାହୁଲ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଯୌତୁକ ନିର୍ଯାତନା ମାମଲାରେ ତାଙ୍କ ବାପା-ମାଆ ଥାନାରେ ଚକର କାଟିବାକୁ ସେ ବରଦାସ୍ତ କରିପାରିନଥିବା ଏହି ଭିଡିଓରେ କହିଛନ୍ତି । ସେ କହିଛନ୍ତି, ତାଙ୍କ ଶାଶୁ, ଶ୍ୱଶୁର ଓ ଶଶୁର ଘର ଲୋକ ଏହି ଘଟଣା ପାଇଁ ଦାୟୀ । ତାଙ୍କ ପରିବାରକୁ ମିଛ କେସ୍ରେ ଫସାଇ କିପରି ହଇରାଣ କରାଯାଉଛି, ତାହା ବର୍ଣ୍ଣନା କରିଛନ୍ତି । ୨୫ ମିନିଟର ଭିଡିଓରେ ପୂରା ଘଟଣା ବର୍ଣ୍ଣନା କରିଛନ୍ତି । ଭିଡିଓରେ ବାପା-ମାଆଙ୍କୁ କ୍ଷମା ମାଗିବା ସହ ନ୍ୟାୟ ମିଳିବା ପର୍ଯ୍ୟନ୍ତ ତାଙ୍କ ଅସ୍ଥିକୁ ବିସର୍ଜନ ନକରି ବ୍ୟାଙ୍କ୍ ଲକରରେ ରଖିବାକୁ ସେ ଅନୁରୋଧ କରିଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସହ ହ୍ୱାଟସପଆପ୍ ଚାର୍ଟ ମଧ୍ୟ କରିଛନ୍ତି ରାହୁଲ । ସ୍ତ୍ରୀ ବର୍ଷା ଓ ଯାଆଁଳା ପୁଅ-ଝିଅଙ୍କୁ ଖୁବ ଭଲ ପାଉଥିବା କହିଛନ୍ତି ରାହୁଲ ଏବଂ ସେମାନଙ୍କୁ ନେଇ ଦେଖିଥିବା ସ୍ୱପ୍ନ ଅଧାରେ ରହିଥିବାରୁ କ୍ଷମା ମଧ୍ୟ ମାଗିଛନ୍ତି । ଏହି ଘଟଣା ଜାମସେଦପୁର ଓ ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।