ଛୋଟିଆ ଦେଶର ବଡ଼ ସଫଳତା : ସାରା ବିଶ୍ୱରେ କରୋନାର ଦ୍ରୁତ ସଂକ୍ରମଣ ଭିତରେ ନିଜକୁ କରୋନା ମୁକ୍ତ ଘୋଷଣା କଲା ଇସ୍ରାଇଲ

ବ୍ୟାପକ ଟିକାକରଣ ଫଳରେ ଦେଶରେ ସଂକଟ ଦୂର ହୋଇଥିବା ଘୋଷଣା

411

କନକ ବ୍ୟୁରୋ : ଗୋଟିଏ ପଟେ ସାରା ବିଶ୍ୱରେ କରୋନା ମହାମାରୀ ତାର କାୟ ବିସ୍ତାର କରି ଚାଲିଛି । ହେଲେ ଇସ୍ରାଇଲ ଏକମାତ୍ର ଦେଶ ଭାବେ ନିଜକୁ ମହାମାରୀ ମୁକ୍ତ କରିଛି । କରୋନା ସମ୍ବନ୍ଧିତ ସମସ୍ତ କଟକଣାକୁ କୋହଳ କରିଛି ଇସ୍ରାଇଲ । ବନ୍ଦ ହୋଇଥିବା ସମସ୍ତ ସ୍କୁଲ ଏବଂ ଶିକ୍ଷାନୁଷ୍ଠାନକୁ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି । ଛାତ୍ରଛତ୍ରୀମାନେ ପୁଣି ଥରେ ନିଜ ଶ୍ରେଣୀ ଗୃହକୁ ଫେରିଛନ୍ତି । ଏପରିକି ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଭଳି ନିୟମକୁ ମଧ୍ୟ କୋହଳ କରିଛନ୍ତି ଇସ୍ରାଇଲ ସରକାର ।

କେବଳ ବଡ଼ ବୈଠକଗୁଡ଼ିକରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବ୍ୟାପକ ଟିକାକରଣ ଅଭିଯାନ ଦ୍ୱାରା ଦେଶରେ ସଂକଟ ଦୂର ହୋଇଥିବା ଘୋଷଣା କରିଛନ୍ତି ଇସ୍ରାଇଲ ସରକାର । ପର୍ଯ୍ୟଟକଙ୍କୁ ମଧ୍ୟ ଇସ୍ରାଇଲରେ ପ୍ରବେଶ ପାଇଁ ଗତ ସପ୍ତାହରୁ ଅନୁମତି ଦିଆଯାଇଛି । ପର୍ଯ୍ୟଟକଙ୍କୁ ମଧ୍ୟ ସେଠାରେ ଟିକାକରଣ କରିବା ପାଇଁ ଘୋଷଣା କରିଛନ୍ତି ଇସ୍ରାଇଲ ସରକାର । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ତଥ୍ୟ ଅନୁସାରେ ଗତବର୍ଷ ଇସ୍ରାଇଲରେ ୮ଲକ୍ଷ ୩୬ ହଜାର ମାମଲା ଦେଖା ଦେଇଥିଲା ।

୬ ହଜାର ୩ଶହ ୩୧ଜଣଙ୍କ ମହାମାରୀରେ ମୃତ୍ୟୁ ହୋଇଥିଲା । ଏହା ପରେ ରୋଗର ନିରାକରଣ ପାଇଁ ଦେଶର ୯ ଦଶମିକ ୩ ମିଲିୟନ ନାଗରିକଙ୍କ ମଧ୍ୟରୁ ୫୩ ପ୍ରତିଶତଙ୍କୁ ଫାଇଜର ଓ ବାୟୋଏନଟେକ ଟିକା ଦିଆଯାଇଥିଲା । ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନ ଦ୍ୱାରା ସେଠାରେ ଗୁରୁତରଙ୍କ ସଂଖ୍ୟା ଓ ମୃତ୍ୟୁ ମାମଲାରେ ବହୁତ ହ୍ରାସ ଘଟିଛି ।