କନକ ବ୍ୟୁରୋ: ମହିମା ଧର୍ମାବଲମ୍ବୀ ଙ୍କ ନିଆରା ବିଶ୍ୱାସ ଭିନ୍ନ ପରମ୍ପରା । ଜୀବନ ଶୈଳୀ ଯେମିତି ମୃତ୍ୟୁ ପରେ ଶବ ସତ୍କାର ପରମ୍ପରା ମଧ୍ୟ ସମ୍ପୂର୍ଣ ଅଲଗା । ସାଧାରଣତଃ ମୃତ୍ୟୁ ପରେ ଶବ ଦାହ କିମ୍ବା ଶବ କୁ କବର ଦିଆଯାଇଥାଏ । କିନ୍ତୁ ମହିମା ଧର୍ମାବଲମ୍ବୀ ଙ୍କ ଶବ ସତ୍କାର ପରମ୍ପରା ସମ୍ପୂର୍ଣ୍ଣ ଅଲଗା । ଏଭଳି ମହିମା ଧର୍ମାବଲମ୍ବୀ ସାଧୁଙ୍କ ମୃତ୍ୟୁ ପରେ ତାଙ୍କ ଶିଷ୍ୟ ମାନଙ୍କ ଦ୍ୱାରା ଭିନ୍ନ ଧରଣର ଶବର ଅନ୍ତିମ ସଂସ୍କାର କରାଯାଇଛି । ମୃତଦେହକୁ ଆସନରେ ବସାଇ କୂଅରେ ପୋତା ଯିବା ସମୟରେ ଘିଅ, ମହୁ ଢ଼ାଳି ଶେଷ ବିଦାୟ ଦେଇଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଐତିହାସିକ ପୋଡ଼ାଗଡ ପୀଠରେ ଥିବା ମହିମା ଅଲେଖ ଆଶ୍ରମରେ ରହୁଥିଲେ ବ୍ରହ୍ମ ଅବଧୂତ ବକଳଧାରୀ ବାବା ଧନୁର୍ଜୟ ଦାସ । ୯୦ ବର୍ଷ ବୟସରେ ପୋଡାଗଡ ପୀଠ ଠାରେ ବାବା ଇହଧାମ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେବ ବାବା ଅସୁସ୍ଥ ଥିଲେ । ଦୀର୍ଘ ୫୦ ବର୍ଷ ହେବ ଅଲେଖ ମହିମା ଧର୍ମ ଗ୍ରହଣ କରି ଅନେକ ଶିଷ୍ୟଙ୍କୁ ଧର୍ମରେ ଦୀକ୍ଷିତ କରାଇଥିଲେ । କୋରାପୁଟ ଜିଲ୍ଲାର କୋଟପାଡ଼ ଅଂଚଳରେ ବାବାଙ୍କ ଜନ୍ମ ଗ୍ରହଣ କରିଥିବା ବେଳେ ପୋଡ଼ାଗଡ ପୀଠ ହୋଇଥିଲା ବାବାଙ୍କ କର୍ମସ୍ଥଳୀ । ବାବାଙ୍କ ଇହଧାମ ତ୍ୟାଗ ପରେ ଶିଷ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଓଡିଶା ଓ ପଡୋଶୀ ଛତିଶଗଡ଼ରୁ ବହୁ ସାଧୁସନ୍ଥ ଶିଷ୍ୟ ଧର୍ମାବଲମ୍ବୀ ଭକ୍ତ ଆସି ବାବା ଙ୍କ ଶେଷ ଦର୍ଶନ କରିଥିଲେ ।

Advertisment