ଜାଡ ମୁହଁରୁ ନିରାଶ୍ରୟୀଙ୍କ ଜୀବନ ବଞ୍ଚାଇବାକୁ ନୂଆ ପ୍ରୟାସ । ଶୀତବସ୍ତ୍ର ଦେବାକୁ ଆରମ୍ଭ ହେଲା ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ ଅଭିଯାନ ।

93

କନକ ବ୍ୟୁରୋ: ସଞ୍ଜ ନଇଁଲେ ମାଡି ଆସୁଛି ଶୀତ । ଦିନ ଗଡିଗଲେ ବାଘ ପରି ଡରାଉଛି ଡିସେମ୍ବରର ଶୀତ । ଶୀତ ଥରେଇ ଦେଉଛି, ଶୀତ ଡରେଇ ଦେଉଛି । କାଲୁଆ ପବନରେ କାନପାଟି କଞ୍ଚାପାଣି ହୋଇଯାଉଥିବା ବେଳେ ଜାଡ ଯନ୍ତ୍ରଣା ଜୀବନକୁ ଅସ୍ତବ୍ୟସ୍ତ କରୁଛି । ରାତି ଟିକେ ବଢିବା କ୍ଷଣି ଗାଁଠୁ ସହର ଯାଏଁ ଜାରି ହେଉଛି ଶୀତର ୧୪୪, ଲାଗୁଛି କୁହୁଡିର କର୍ଫ୍ୟୁ…

ପ୍ରବଳ ଶୀତ ପାଇଁ ରାସ୍ତା ଘାଟ ପୂରା ଶୂନଶାନ । ଶୀତ ଦାଉରୁ ରକ୍ଷା ପାଇବାକୁ ସମସ୍ତେ ଘରକୁ ଧାଉଁଥିବା ବେଳେ ଶୀତରେ ଥରିଥରି ରାସ୍ତାକଡେ ରାତି କାଟନ୍ତି ଅସହାୟ, ନିରାଶ୍ରୟୀ । ଶୀତ ସିନା ଥିଲା ବାଲାଙ୍କ ପାଇଁ ସଉସର ଋତୁ ହେଲେ ନଥିଲା ବାଲାଙ୍କ ପାଇଁ ଏକ ଅଭିଶାପ । ଗୋଟେ ଜଞ୍ଜାଳର ଋତୁ । ଥରେ ଭାବିଲେ ଅଧ ରାତିରେ ଯେବେ ଶୀତ ତାଣ୍ଡବନୃତ୍ୟୁ କରୁଥିବ, ରାତି ସହ ତାଳ ଦେଇ କାୟା ମେଲାଉଥିବ । ସେତେବେଳେ କେମିତି ବଞ୍ଚୁଥିବେ ଏ ଅସହାୟ ବ୍ୟକ୍ତି । ବିନା ଛାତରେ, ବିନା ଘରେ, ରାସ୍ତାକଡରେ, ରେଳ ଷ୍ଟେସନରେ, ବସଷ୍ଟାଣ୍ଡରେ , କାହା ଦାଣ୍ଡ ପିଣ୍ଡାରେ ହେଉ କି ବ୍ରିଜ ତଳେ କାଙ୍କୁରିକୁଙ୍କୁରି ହୋଇ ରାତି କାଟୁଥିବେ । ନିଆଁ ଜାଳି ସିନା କିଛି କ୍ଷଣ ପାଇଁ ଶୀତର କବଜାରୁ ବର୍ତ୍ତିହେବ ହେଲେ ନିଆଁ ଲିଭିଗଲେ ବଞ୍ଚିହେବ ତ ଶୀତର ଶକ୍ତ ଚାବୁକ ମାଡରୁ…

ଗରିବ, ଅସହାୟଙ୍କ ଏହି ଦୁଃଖ ଦେଖି, କଷ୍ଟକୁ ଅନୁଭବ କରି ଅନୁଗୁଳରେ ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ । ଉଦ୍ୟମ ଫାଉଣ୍ଡେସନ ପକ୍ଷରୁ ଶୀତବସ୍ତ୍ର ଦେବାକୁ ନୂଆ ଏକ ଅଭିଯାନ ଆରମ୍ଭ ହୋଇଛି । ଯାହାର ଉଦେଶ୍ୟ ରହିଛି ‘ଥିଲେ ଦିଅନ୍ତୁ, ନଥିଲେ ନିଅନ୍ତୁ…’ । ଶୀତବସ୍ତ୍ରଟିଏ କିଣିବାକୁ ଯିଏ ଅସମର୍ଥ, ଯାହା ପାଖରେ ଟଙ୍କାଟିଏ ନାହିଁ ସେଭଳି ଲୋକଙ୍କୁ ଶୀତ ବସ୍ତ୍ର ଦେବାକୁ ଏଭଳି ନିଆରା ଉଦ୍ୟମ କରିଛନ୍ତି ଉଦ୍ୟମ ସ୍ୱେଚ୍ଛାସେବୀ ସଙ୍ଗଠନର ଯୁବକ ।

ତେବେ ଯେଉଁମାନଙ୍କ ପାଖରେ ପୁରୁଣା ସ୍ୱେଟର, ପୁରୁଣା ଚଦର କିମ୍ବା କମ୍ବଳ ଯଦି ଅଛି ସେମାନେ ତାକୁ ସଫା କରି ଉଦ୍ୟମ ଫାଉଣ୍ଡେସନକୁ ଦେଲେ ସେମାନେ ଗରିବ ଅସହାୟ ବ୍ୟକ୍ତି ଓ ଯାଯାବରଙ୍କୁ ଦାନ କରି ଶୀତ ଦାଉରୁ କିଛି ମାତ୍ରାରେ ରକ୍ଷା କରିପାରନ୍ତେ । ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଏହି କ୍ୟାମ୍ପ ଖୋଲାଯାଇଥିବା ବେଳେ ଅନେକ ଅସହାୟ ଦରକାରୀ ବସ୍ତ୍ର ନେଇ ଶୀତରୁ ରକ୍ଷା ପାଉଛନ୍ତି ।

ଶୀତକୁ ସ୍ୱେଟର ପିନ୍ଧାଇ ଗରିବ ମୁହଁରେ ହସ ଫୁଟାଇବାକୁ ଯୁବପିଢିଙ୍କ ଏ ନିଆରା ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳିଛି । ତେବେ ଆସନ୍ତୁ ସେମାନଙ୍କ ପରି ଆମେ ବି ଶପଥ ନେବା, ଶୀତ ଦାଉରୁ ଅସହାୟଙ୍କୁ ରକ୍ଷା କରିବା…