କନକ ବ୍ୟୁରୋ : ଭକ୍ତିଭାବ ଓ ପରମ୍ପରାର ଅନନ୍ୟ ଉଦାହରଣ ଯାଜପୁର ଜିଲ୍ଳା ଗଡମଧୁପୁରର ଘୋଷଯାତ୍ରା । ଦୀର୍ଘ ୧୫ ବର୍ଷ ଧରି ଗଡମଧୁପୁର ରାଣୀ ଅପର୍ଣାଧିର ସିଂ ଭରଦ୍ୱାଜ  ଘୋଷଯାତ୍ରାରେ ଛେରା ପହଁରା କରିଆସୁଛନ୍ତି  । ହଜାର ହଜାର ଭକ୍ତଙ୍କ ଗହଣରେ ସାମାପନ ହେଲା ରଥାଯାତ୍ରା  । ପ୍ରଭୁଙ୍କ ଦର୍ଶନ କରି ଭାବ ବିହ୍ୱଳ ହେଲେ ଭକ୍ତ ।

Advertisment

ଧର୍ମଶାଳା ବ୍ଲକର ଗଡମଧୁପୁର ଜଗନ୍ନାଥ ମନ୍ଦିର । ରାଜାରାଜୁଡା ଶାସନ ସମୟରୁ ଏଠାରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇ ଆସୁଛି । ପ୍ରାକୃତିକ ପରିବେଶରେ ଥିବା ଏହି ଜଗନ୍ନାଥ ମନ୍ଦିର ଭକ୍ତମାନଙ୍କୁ ଅକୃଷ୍ଟ କରିବା ସହ ଏଠାରେ ବର୍ଷଯାକ ଭକ୍ତମାନଙ୍କର ଭିଡ ଲାଗିଥାଏ । ଗଡମଧୁପୁରର ରାଜା ସ୍ୱର୍ଗତ ସୁଦର୍ଶନ ଚନ୍ଦ୍ର ଧିର ନରେନ୍ଦ୍ର ୧୭୭୭ ମସିହାରେ ଏହି ମନ୍ଦିର ନିର୍ମାଣ କରିଥିଲେ । ଅବିକଳ ପୁରୀ ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଏହି ମନ୍ଦିର  । ରାଜବାଟୀ ବଂଶାବଳୀ ଅନୁଯାୟୀ ଗଡ଼ମଧୁପୁରର ଶେଷ ରାଜା କୃଷ୍ଣ ପ୍ରକାଶ ଧିର ନରେନ୍ଦ୍ରଙ୍କ  ତତ୍ୱାବଧାନରେ ଏଠାରେ ପାରମ୍ପରିକ ରୀତିନୀତିରେ ତିନିଠାକୁରଙ୍କ ଘୋଷଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଥାଏ । ସମୟକ୍ରମେ ରାଜାରାଜୁଡା ଶାସନ ଚାଲିଯାଇଥିଲେ ମଧ୍ୟ ଏହି ରଥାଯାତ୍ରା ତାର ଯଶ ଓ ଖ୍ୟାତି ହରାଇ ନାହିଁ । ଆଜି ବି ଗଡମଧୁପୁର ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇ ମହାପ୍ରଭୁଙ୍କ ଅପାର କରୁଣା ଲାଭ କରିଥାନ୍ତି ।

ଗଡ଼ମଧୁପୁରର ଶେଷ ରାଜା କୃଷ୍ଣ ପ୍ରକାଶ ଧିର ନରେନ୍ଦ୍ରଙ୍କ ଦେହାବସାନ ପରେ ରାଜଗାଦୀରେ ଅଭିଷିକ୍ତ ହୋଇଛନ୍ତି ରାଣୀ ଅପର୍ଣା ଧିର ସିଂ ଭରଦ୍ୱାଜ । ରାଣୀ ପଦରେ ଅଭିଷିକ୍ତ ହେବା ପରଠାରୁ ଏଠାରେ ମହିଳାଭାବରେ ରାଣୀ ଅପର୍ଣା ଛେରା ପହଁରା କରିଆସୁଛନ୍ତି ଯାହାକି ଗଞ୍ଜାମ ଧରାକୋଟ ପରେ ଏହି ବିରଳ ପରମ୍ପରା ଚାଲିଆସୁଛି । ଏହି କ୍ରମରେ ଗତକାଲି ଗଡମଧୁପୁର ଜଗନ୍ନାଥ ମନ୍ଦିରରୁ ବିଗ୍ରହ ମାନଙ୍କୁ ପହଣ୍ଡି କରି ଅଣାଯାଇ ରଥାରୂଢ କରାଯାଇଥିଲା ।  ପରେ ରାଜବାଟୀର ବ୍ରାହ୍ମଣମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯିବା ପରେ ରାଣୀ ଅପର୍ଣାଧିର ସିଂ ଭରଦ୍ୱାଜ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ।

ତେବେ ଗଡମଧୁପୁର ରଥଯାତ୍ରାରେ ରାଣୀଙ୍କର ଛେରା ପହଁରା ମହିଳାମାନଙ୍କ ସମ୍ମାନ ବଢାଇଥିବା ବେଳେ ରଥାଯାତ୍ରାର ଏହା ମଧ୍ୟ ପ୍ରମୁଖ ଆକର୍ଷଣ ପାଲଟିଛି ।