ମୁଁ କହିନି କିଛି, ତୁ ବୁଝିଲୁ ସବୁକିଛି । ଇସାରା ଇସାରରେ ଆରମ୍ଭ ହେଲା ଆମ ପ୍ରେମ, ଆଉ ପ୍ରେମରୁ ରୀତିନୀତିରେ ବିବାହ । ପ୍ରେମ ସପ୍ତାହରେ ପଢନ୍ତୁ, ମହେଶ୍ୱର ଆଉ ରୁକ୍ମିଣୀଙ୍କ ପ୍ରେମ କାହାଣୀ…

361

କନକ ବ୍ୟୁରୋ: ପ୍ରେମ ଏମିତି ଗୋଟେ ଶବ୍ଦ । ଯିଏ ଦୁଇଟା ଆତ୍ମାକୁ ଏକ୍ କରିଦିଏ ଆଉ ଗୋଟିଏ ସମ୍ପର୍କକୁ ସାତ ଜନ୍ମ ପାଇଁ ସାଥି କରିଦିଏ । କୁହାଯାଏ ସଚ୍ଚା ପ୍ରେମର ପରିପ୍ରକାଶ ପାଇଁ ଶବ୍ଦର ଆବଶ୍ୟକତା ପଡେନା…କି ଓଠ ଖୋଲି କାହାକୁ କିଛି କହିବାକୁ ବି ପଡେନା । ଏଇ ଦେଖୁନାହାଁନ୍ତି, କେମିତି ଠାର ଠାରରେ ଆରମ୍ଭ ହେଇଥିବା ଏ ପ୍ରେମ, ଆଜି ବିିବାହର ରୂପ ନେଇସାରିଛି । ଏ ଦୁହେଁ ଦୁହିଁଙ୍କୁ ଓଠ ଖୋଲି କିଛି ସିନା କହିନାହାଁନ୍ତି ସତ, ହେଲେ ଦୁହେଁ କିନ୍ତୁ ଦୁହିଁଙ୍କ ମନକଥା ବୁଝିଯାଇଛନ୍ତି ।

ଏ ହେଉଛନ୍ତି ଦୁଇ ପ୍ରେମ ପକ୍ଷୀ ମହେଶ୍ୱର ଆଉ ରୁକ୍ମିଣୀ । ଆଜି ଶଙ୍ଖା ସିନ୍ଦୂର ନାଇ, ବୋହୂ ବେଶରେ ସଜେଇ ହେଇଥିବା ରୁକ୍ମିଣୀ ଜନ୍ମରୁ କିନ୍ତୁ ଜଣେ ଦିବ୍ୟାଙ୍ଗ । ନା ସେ ତାଙ୍କ ପ୍ରେମକୁ ତାଙ୍କ ଓଠରେ ପରିପ୍ରକାଶ କରିପାରନ୍ତି । ନା ମନର କଥାକୁ ଶବ୍ଦରେ ବୟାନ କରିପାରନ୍ତି । ହେଲେ ତା ସତ୍ୱେ ବି ରୁକ୍ମିଣୀଙ୍କ ମନକୁ ବୁଝି, ସବୁଦିନ ପାଇଁ ତାଙ୍କ ହାତ ଧରିଛନ୍ତି ତାଙ୍କ ପ୍ରେମିକ ମହେଶ୍ୱର ।

ବାହାନଗା ବ୍ଲକ ଜିରିତାଳ ଗାଁରେ ରହୁଥିବା ମହେଶ୍ୱର ,୩ ବର୍ଷ ତଳେ ଏକ ବିବାହରେ ରୁକ୍ମିଣୀଙ୍କୁ ଭେଟିଥିଲେ । ବାସ୍ …ପ୍ରଥମ ଦେଖାରୁ ଆରମ୍ଭ ହେଇଥିବା ଏହି ସମ୍ପର୍କ, ଧିରେ ଧିରେ ପ୍ରେମର ରୂପ ନେଇଥିଲା । ଭିଡିଓ କଲରେ କଥାବାର୍ତା, ଆଉ ଚ୍ୟାଟିଂରୁ ଆରମ୍ଭ ହେଇଥିବା ଏହି ନୀରବ ଭଲ ପାଇବା, ସମୟ ସହିତ ଆହୁରି ଅଧିକ ସଶକ୍ତ ହେଉଥିଲା । ଆଉ ଏବେ ସିନ୍ଦୂର ସହିତ ଏ ସମ୍ପର୍କ ସାତ ଜନ୍ମ ପାଇଁ ଏକାଠି ହେଇଯାଇଛି ।ଜଣେ ଦିବ୍ୟାଙ୍ଗ ଝିଅକୁ ପୁଅ ଭଲ ପାଇ ବାହା ହେଇଥିଲେ ବି, ମହେଶ୍ୱରଙ୍କ ଘରେ ନାହିଁ ନଥିବା ଉତ୍ସାହ । ପ୍ରଥମେ ପ୍ରଥମେ ଏ ପ୍ରେମକୁ ଘର ଲୋକ ବିରୋଧ କରୁଥିଲେ ବି, ରୁକ୍ମିଣୀଙ୍କ ପ୍ରତି ମହେଶ୍ୱରଙ୍କ ପ୍ରେମ ଦେଖି, ଘର ଲୋକ ବିବାହକୁ ମନା କରିପାରିନଥିଲେ । ଆଉ ରୀତିନୀତି ଅନୁସାରେ ରୁକ୍ମିଣୀଙ୍କ ହାତ ଧରିଥିଲେ ମହେଶ୍ୱର । ଯାହାକୁ ଘର ଲୋକ ବି ଗ୍ରହଣ କରିଥିଲେ ।

ଦର୍ଶକ ବନ୍ଧୁ, ପ୍ରେମର ସପ୍ତାହରେ ଆପଣ ଏମିତି ଅନେକ ପ୍ରେମ ପକ୍ଷୀଙ୍କୁ ଦେଖିଥିବେ । ହେଲେ ତା ଭିତରୁ କିନ୍ତୁ ମହେଶ୍ୱର ଆଉ ରୁକ୍ମିଣୀ ପୂରା ନିଆରା । ଏଠି ଶବ୍ଦରେ ନୁହେଁ, ନୀରବତାରେ ପ୍ରପୋଜ ହେଇଛି । ଓଠରେ ନୁହେଁ ଆଖିରେ ଆଉ ଇସାରରେ ପ୍ରେମ ହେଇଛି । ସତରେ, ଏ ପ୍ରେମ ସବୁଦିନ ପାଇଁ ଅମର ରହୁ…ସାତ ଜନ୍ମ ପାଇଁ ସାଥ୍ ରହୁ…