କୋଡ଼ିଏ ବର୍ଷ ପରେ ଗିରଫ ହେଲେ ଜଣେ କେନ୍ଦ୍ରମନ୍ତ୍ରୀ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ବୟାନ ଦେଇ ଗିରଫ ହେଲେ ନାରାୟଣ ରାଣେ

256

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେଙ୍କ ବୟାନକୁ ନେଇ ମୁମ୍ବାଇରେ ଝଡ ସୃଷ୍ଟି ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମାଲୋଚନା କରିବା ସହ ତାଙ୍କୁ ଚାପୁଡା ମାରିବା କଥା କହିଥିଲେ ନାରାୟଣ ରାଣେ । ଶିବସେନା କର୍ମୀ ଓ ସମର୍ଥକ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ବିରୋଧ କରି ଜୋରଦାର ବିକ୍ଷୋଭ କରିଛନ୍ତି । ନାରାୟଣ ରାଣେଙ୍କ ବିରୋଧରେ ୪ଟି ସ୍ଥାନରେ ମାମଲା ରୁଜୁ ହୋଇଛି । ପୋଲିସ ନାରାୟଣ ରାଣେଙ୍କୁ ହେପାଜତକୁ ନେଇଛି ।

କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେଙ୍କ ବିବାଦୀୟ ବୟାନକୁ ନେଇ ମହାରାଷ୍ଟ୍ରରେ ଝଡ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସମାଲୋଚନା ସହ ତାଙ୍କୁ ଚାପୁଡା ମାରିବା ବୟାନ ପରେ ଶିବସେନାର ଆକ୍ରୋଷର ଶୀକାର ହୋଇଛନ୍ତି ନାରାୟଣ ରାଣେ । ଏହାକୁ ରାଜରାସ୍ତାକୁ ଓହ୍ଲାଇଥିଲେ ଶିବସେନା ସମର୍ଥକ । କିଛି ସ୍ଥାନରେ ଶିବସେନା ଓ ବିଜେପି ସମର୍ଥକଙ୍କ ମଧ୍ୟରେ ମଧ୍ୟ ସଂଘର୍ଷ ଘଟିଛି । ରାଣେଙ୍କ ବିରୋଧରେ ୪ଟି ସ୍ଥାନରେ ମାମଲା ରୁଜୁ ହୋଇଥିବା ବେଳେ ତାଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୋଲିସ । ରାଣେଙ୍କ ଗିରଫକୁ ସାମ୍ବିଧାନିକ ଅଧିକାରର ଉଲଂଘନ ବୋଲି ଅଭିଯୋଗ ଆଣିଛି ବିଜେପି ।

ଏକ କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତାକୁ କେତେବର୍ଷ ପୁରିଛି ଏହାର ସଠିକ ଉତର ଦେଇ ନପାରି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ସହଯୋଗୀଙ୍କୁ ପଚାରିଥିଲେ । ଏହି ଘଟଣାକୁ ନେଇ ନାରାୟଣ ରାଣେ କହିଥିଲେ କି, ଯଦି ସେ ସେହି ସ୍ଥାନରେ ଥାଆନ୍ତେ ତେବେ ସେ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିଥାନ୍ତେ । ଆଉ ତାଙ୍କର ଏହି ବୟାନ ରାଣେଙ୍କୁ ସମସ୍ୟା ଘେରକୁ ନେଇ ଆସିଛି । ମୁମ୍ବାଇ, ନାସିକ, ଅମରାବତୀ, ରତ୍ନଗୀରିରେ ଥିବା ବିଜେପି କାର୍ଯ୍ୟାଳୟ ଉପରକୁ ଆକ୍ରମଣ କରି ଶିବସେନାକର୍ମୀ ପଥର ମାଡ କରି ଭଙ୍ଗାରୁଜା କରିଛନ୍ତି ।

ମହାରାଷ୍ଟ୍ର ରାଜନୀତିରେ ଜଣେ ଟାଣୁଆ ନେତା ଭାବେ ନାରାୟଣ ରାଣେ ଜଣାଶୁଣା । ଏକଦା ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କ ପ୍ରିୟ ଥିବା ରାଣେ ଘଟଣାକ୍ରମରେ ବିଜେପିରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ବନିଛନ୍ତି ।