କନକ ବ୍ୟୁରୋ: ପ୍ରତ୍ୟେକ ୨ ମିନିଟରେ ଜଣେ ମହିଳାଙ୍କର ଗର୍ଭାବସ୍ଥା କିମ୍ବା ପ୍ରସବ ବେଳେ ମୃତ୍ୟୁ ହେଉଛି । ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି ମିଳିତ ଜାତିସଂଘର ରିପୋର୍ଟରୁ । ମହିଳାମାନେ ବିଶେଷ କରି ଗର୍ଭାବସ୍ଥା ସମୟରେ ଅନେକ ପରିସ୍ଥିତି ଦେଇ ଗତିକରିଥାନ୍ତି । ଅନେକ ଶାରିରୀକ ବାଧାବିଘ୍ନ ଦେଇ ଗତିକରିଥାନ୍ତି । ସବୁଠାରୁ ଅଧିକ ସମସ୍ୟା ପ୍ରସବ ବେଳେ ଅତ୍ୟଧିକ ରକ୍ତସ୍ରାବ କାରଣରୁ ହୋଇଥାଏ । ଏ ସମସ୍ୟା କାରଣରୁ ଅନେକ ମହିଳାଙ୍କର ମୃତ୍ୟୁ ହୋଇଥାଏ । ମିଳିତ ଜାତିସଂଘର ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡିଛି ଯେ, ପ୍ରତ୍ୟେକ ଦୁଇ ମିନିଟରେ ଜଣେ ମହିଳାଙ୍କର ମୃତ୍ୟୁହେଉଛି । ‘ଟ୍ରେଣ୍ଡସ ଇନ ମେଟରନାଲ ମୋର୍ଟାଲିଟି’ ଶୀର୍ଷକ ଏହି ରିପୋର୍ଟ ଅନୁସାରେ ୨୦୨୦ରେ ସାରା ବିଶ୍ୱରେ ଗର୍ଭାବସ୍ଥା ଏବଂ ପ୍ରସବ ବେଳେ ବିଭିନ୍ନ ଜଟିଳତା କାରଣରୁ ୨ ଲକ୍ଷ ୮୭ ହଜାର ମହିଳାଙ୍କ ମୃତ୍ୟୁ ହୋଇଯାଇଥାଏ ।

Advertisment

ଏହି ରିପୋର୍ଟରେ ଆହୁରି ମଧ୍ୟ ଜଣାପଡିଛି ଯେ, ମହିଳାଙ୍କର ମୃତ୍ୟୁର ପ୍ରମୁଖ କାରଣ ସବୁ ହେଉଛି- ଅତ୍ୟଧିକ ରକ୍ତସ୍ରାବ, ଉଚ୍ଚ ରକ୍ତଚାପ, ଗର୍ଭାବସ୍ଥା ବେଳେ ସଂକ୍ରମଣ, ଅସୁରକ୍ଷିତ ଗର୍ଭପାତ, ଏଚଆଇଭି, ମ୍ୟାଲେରିଆ । ହୁ’ର ମହାନିର୍ଦ୍ଦେଶକ ଟେଡ୍ରୋସ ଅଧନୋମ ଘେବ୍ରେୟସସ ଏକ ବୟାନ ଜାରିକରି କହିଛନ୍ତି ଗର୍ଭାବସ୍ଥାରେ ମହିଳାମାନେ ଏକ ଭଲ ବାତାବରଣର ଅନୁଭବ କରିବା ଦରକାର । ଏହି ମହିଳାମାନଙ୍କ ମଧ୍ୟରେ ଏଭଳି ଅନେକ ରହିଛନ୍ତି ଯେଉଁମାନେ ଠିକ ସମୟରେ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ପ୍ରତ୍ୟେକ ମହିଳା ବା ଝିଅ ହୁଅନ୍ତୁ ନା କାହିଁକି ଶିଶୁକୁ ଜନ୍ମ ଦେବା ସମୟରେ ତାଙ୍କୁ ଉପଯୁକ୍ତ ଚିକିତ୍ସାସେବା ମିଳିବା ଦରକାର । ମହିଳା, ଶିଶୁ ଏବଂ କିଶୋରୀ ବାଳିକାମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ମିଳିବା ଦରକାର । ଏହା ହେବା ଦ୍ୱାରା ସେମାନଙ୍କ ଜରୁରୀ ଆବଶ୍ୟକତା ପୂରଣ ହୋଇପାରିବ । ବିଶେଷ କରି ଟିକାକରଣ, ପୃଷ୍ଟିକର ଖାଦ୍ୟ, ଏବଂ ପରିବାର ନିୟୋଜନ ଭଳି ସେବାର ଆବଶ୍ୟକତା ରହିଛି ।