କନକ ବ୍ୟୁରୋ: ଥାଲାସେମିଆ ରୋଗରେ ପୀଡିତ ମାତ୍ର ଦୁଇ ବର୍ଷର ଶିଶୁ । ଚିକିତ୍ସା ପାଇଁ ଦରକାର ୪୦ ଲକ୍ଷରୁ ଅଧିକ ଟଙ୍କା । ଆଉ ତା’ ପୁଣି ୪୦ ଦିନ ଭିତରେ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଚିତ୍ର । ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡା ସାହିର ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକମାତ୍ର ପୁତ୍ର ସନ୍ତାନ ସ୍ୱରୂପ ମିଶ୍ର । ସ୍ୱରୂପର ବୟସ ମାତ୍ର ଦୁଇ ବର୍ଷ । ଦୁଇବର୍ଷ ତଳେ ଶିଶୁ ପୁତ୍ର ଜନ୍ମ ହେବା ପରେ ପରିବାରରେ ଖୁସି ଖେଳିଯାଇଥିଲା । କିନ୍ତୁ ମାତ୍ର ୬ ମାସ ପରେ ଖୁସିରେ ଯେମିତି କାହାର ନଜର ଲାଗିଯାଇଥିଲା । ପରିବାର ଲୋକେ ଜାଣିବାକୁ ପାଇଲେ ଯେ ସ୍ୱରୂପ ବିରଳ ରୋଗ ଥାଲାସେମିଆ ରୋଗରେ ଆକ୍ରାନ୍ତ ଅଛି ।

Advertisment

ରାଜ୍ୟର ବଡ଼ ବଡ଼ ହସ୍ପିଟାଲରେ ତା’ର ଚିକିତ୍ସା କରାଯାଇଥିଲେ ବି କୌଣସି ଫଳପ୍ରଦ ହୋଇନଥିଲା । ଶେଷରେ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତା’ର ଚିକିତ୍ସା କରାଯାଇଥିଲା । ଆଉ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ଦ୍ୱାରା ଏହି ରୋଗର ସ୍ଥାୟୀ ଚିକିତ୍ସା ହୋଇପାରିବ ଡାକ୍ତରମାନେ କହିଥିଲେ । ତେବେ ଏଥିପାଇଁ ଖର୍ଚ୍ଚ କରିବାକୁ ପଡ଼ିବ ୪୦ଲକ୍ଷ ଟଙ୍କା । ସ୍ୱରୂପର ପରିବାର ମଧ୍ୟବିତ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ, ସେ ନେଇ ଚିନ୍ତାରେ ପରିବାର ଲୋକେ । ପୁଅର ଚିକିତ୍ସା ପାଇଁ ବାପା-ମା’ ସହାୟତା ନିବେଦନ କରିଛନ୍ତି ।