ମାଆକୁ ମୁଖାଗ୍ନି ଦେଲା ଦୁଇ ବର୍ଷର କୁନି ଝିଅ। ବିଦାୟ ବେଳର ଦୃଶ୍ୟ ଦେଖି ଭାବବିହ୍ୱଳ ହେଲେ ଉପସ୍ଥିତ ଲୋକ 

551

କନକ ବ୍ୟୁରୋ: ଦୁଇ ବର୍ଷର କୁନି ଝିଅ । ହାତରେ ମୁଖାଗ୍ନି । ଜୁଇରେ ଶୋଇଛି ମାଆ । ମାଆ ଆଉ ଏ ଦୁନିଆରେ ନାହିଁ ବୋଲି ସେ ଜାଣିନାହିଁ । ଜୁଇରେ ଶୋଇଥିବା ମୃତଦେହଟି ତା’ ମା’ର ବୋଲି ମଧ୍ୟ ସେ ଜାଣିନାହିଁ । ଇଆଡ଼େ ସିଆଡ଼େ ଅନାଉଥିଲା । ଲାଗୁଥିଲା ଯେପରି ଖୋଜୁଛି ନିଜ ମାଆକୁ । ବାପାଙ୍କ ସହ ଝଗଡା ପରେ ଡାକ୍ତରଖାନା ଯାଇଥିବା ମା ଏଯାଏଁ କାହିଁକି ଫେରିନି, ସେ କଥା ହୁଏତ କାହାକୁ କହିପାରୁନଥିବ । କିନ୍ତୁ ମାକୁ ନଦେଖି ନିରୀହ ମୁହଁଟି ଝାଉଁଳି ପଡିଥିଲା । ନିଜ ଅଜାଣତରେ ମାଆ ମୁହଁରେ ନିଆଁ ଦେଇ ଅନ୍ତିମ ବିଦାୟ ଦେଇଥିଲା ଝିଅ । ଏମିତି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋକସରା ଥାନା ମାଝିଗୁଡା ଗାଁ ମଶାଣିରେ । ମା’କୁ କୁନି ଝିଅଟି ଶେଷ ବିଦାୟ ଦେଉଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଭରି ଦେଇଥିଲା ।

କୋକସରା ଥାନା ଜୟନ୍ତପୁର ଗାଁର ଦୀପେନ ସାଗରଙ୍କ ଝିଅ ଉର୍ମିଳା ସାଗର । ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ମାଝୀଗୁଡ଼ାର ଜୟନ୍ତ ନାଗଙ୍କ ସହ ଉର୍ମିଳାଙ୍କ ବିବାହ ହୋଇଥିଲା । ବିବାହର କିଛିମାସ ଦାମ୍ପତ୍ୟ ସଂସାର ହସଖୁସିରେ ଚାଲିଲା । କିନ୍ତୁ ହଠାତ୍ ଉର୍ମିଳାଙ୍କ ଜୀବନରେ ମାଡି ଆସିଥିଲା ଝଡ଼ । ଉର୍ମିଳାଙ୍କୁ ସ୍ୱାମୀ, ଶାଶୂ ଓ ବଡ଼ ଯାଆ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ଗତ ୨୩ ତାରିଖରେ ନିଆଁରେ ପୋଡ଼ି ହୋଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ ଉର୍ମିଳା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ପରଦିନ ଅର୍ଥାତ ୨୪ ତାରିଖରେ ଆଖି ବୁଜି ଦେଇଥିଲେ ଉର୍ମିଳା । ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ଝିଅକୁ ପେଟ୍ରୋଲ ଢାଳି ପୋଡ଼ି ମାରିଦିଆଯାଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜୟନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋକସରା ଥାନା ପୋଲିସ ।

କୋକସରାର ଏ କାହାଣୀ ଏକ ସାଧାରଣ ପାରିବାରିକ କଳହର କରୁଣ ପରିଣତି ହୋଇଥାଇପାରେ । କିନ୍ତୁ ସାତ ଜନ୍ମ ପାଇଁ ଉର୍ମିଳାଙ୍କ ହାତ ଧରିଥିବା ଜୟନ୍ତ କେମିତି ଜହ୍ଲାଦ ପାଲଟିଗଲା, ତାହା ସାରା ରାଜ୍ୟକୁ ଦୋହଲାଇ ଦେଇଛି ।