କନକ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଛି ଆଉ ତାହାରି ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏତେ କଡା ମୁକାବିଲା ହେଉଛି । ସବୁଠାରୁ ପୁରୁଣା ଗଣତନ୍ତ୍ର ତଥା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ନିର୍ବାଚନ ଏତେ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ହେବ ବୋଲି କେହି ଭାବି ପାରି ନଥିଲେ । ଭାରତୀୟ ସମୟ ବୁଧବାର ସକାଳ ସାଢ଼େ ୬ଟାରୁ ଆରମ୍ଭ ହୋଇଥିବା ଗଣତି ଜାରି ରହିଛି । ଶେଷ ଖବର ଅନୁସାରେ ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନ ୨୬୪ ଆସନରେ ବିଜୟୀ ହୋଇଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ୨୧୪ଟି ଆସନରେ ବିଜୟୀ ହୋଇଛନ୍ତି ।
କିନ୍ତୁ ପ୍ରତି ଘଂଟାରେ ବଦଳିବାର ସମ୍ଭାବନା ରହିଥିବା ଏହି ଅଙ୍କ କାହାକୁ ରାଷ୍ଟ୍ରପତି ଆସନରେ ବସାଇବ ତାକୁ ନେଇ ସାରା ବିଶ୍ୱରେ ଉକ୍ରଣ୍ଠା ଦେଖା ଦେଇଛି । ନିର୍ବାଚନ ଜିତିବା ପାଇଁ ୨୭୦ ଇଲେକ୍ଟୋରାଲ କଲେଜ ଭୋଟ ଆବଶ୍ୟକ । ବର୍ତମାନର ହିସାବ ଅନୁସାରେ ଜୋ ବାଇଡେନ ମୋଟ ୫୦. ୩୫ ପ୍ରତିଶତ ଭୋଟ ପାଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ୪୮.୦୩ ପ୍ରତିଶତ ଭୋଟ ପାଇଛନ୍ତି ।
ସେପଟେ ଡୋନାଲ୍ଡ ଟ୍ରମ୍ପ ପେନ୍ସିଲ୍ ଭାନିଆ, ମିଚିଗାନ୍ରେ ଭୋଟ ଗଣନା ସ୍ଥଗିତ ରଖିବାକୁ ଆବେଦନ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ତାଙ୍କ ଦଳ ହିଁ ବିଜୟୀ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଓଡେନ ।