ତାଲାବନ୍ଦର ସତ କାହାଣୀ । ବାର ଦେଖି ଆସେ କି କରୋନା ?

933

ତାଲାବନ୍ଦର ସତ କାହାଣୀ :

ଶନିବାର ପୁରୁଣା ଭୁବନେଶ୍ୱରରେ ରାସ୍ତାରେ ଯାଉ ଯାଉ ଟିକେ ଅଟକିଗଲି ପାଣି ପିଇବା ପାଇଁ । ରାସ୍ତା କଡରେ ଥଣ୍ଡା ପାଣି । ମନଭରି ପିଇଲି । ଆଉ ଜଣେ ବ୍ୟକ୍ତି ଆସି ମଧ୍ୟ ଥଣ୍ଡା ପାଣି ପିଇଲେ । ଦୀର୍ଘ ନିଶ୍ୱାସ ମାରି ପାଣି ପିଉଥିଲେ । ଦେଖିଲେ ପାଖରେ ଏକ ଟ୍ରଲି ଥୁଆହୋଇଛି । ଆଉ ଏହି ବ୍ୟକ୍ତି ଜଣଙ୍କ ଥିଲେ ସେହି ଟଲିର ଚାଳକ । ଦେହସାରା ସିମେଣ୍ଟ ଧୁଷ ଲାଗିିଛି । ମୁଣ୍ଡରେ ଠେକା ଭିଡାହୋଇଛି । ଝାଳ ପୋଛି ବ୍ୟକ୍ତି ଜଣଙ୍କ ପାଣି ପିଉଥିଲେ । ମନକୁ କ’ଣ ଆସିଲା କେଜାଣି ପଚାରିଦେଲି, ମଉସା ବେପାରପତ୍ର ଠିକ ଚାଲିଛି ତ । ଆଉ ଯାହା ଉତ୍ତର ଶୁଣିଲି, ହଠାତ ବିଶ୍ୱାସ କରିପାରିଲିନି ।

ମଉସା କହିଲେ, ସରକାର ତ ମାସକୁ ୮ ଦିନ ବନ୍ଦ କରିଦେଲେ । ମାନେ ମଉସା ଶନିବାର, ରବିବାର ସଟଡାଉନ କଥା କହୁଥିଲେ । ଆଉ ୫ଦିନରେ କଣ ବେପାର ହେବ । ଛୁଟି ଦିନରେ ଭଲ କାରବାର ହୋଇଥାଏ । ଘର କାମ ଚାଲିଥାଏ । ଲୋକେ ସିମେଂଟ ନିଅନ୍ତି । କିନ୍ତୁ ୨ଦିନ ସଟଡାଉନରେ କେହି କିଛି ନେବେ ନାହିଁ । ଦିନକୁ ୫୦୦ଟଙ୍କା ହେଲେ ମାସରେ ୪ହଜାର ଲସ୍ । କଣ କରିବୁ ଆଜ୍ଞା । ବାକି ୫ଦିନରେ ଲୋକଙ୍କ ସେମିତି ଅର୍ଡର ବି ରହୁନି । ଚଳିବା ବଡ ମୁସକିଲ ହୋଇଗଲାଣି ଆଜ୍ଞା । ବାସ ଏତିକି କଥା ଶୁଣିବା ପରେ ମୁଁ ଚୁପଚାପ ଚାଲିଆସିିଲି । ମଉସାଙ୍କ ଗୋଟିଏ କଥା ମୋ ମନକୁ ଆନ୍ଦୋଳିତ କରିଥିଲା, ଯେ ୮ଦିନରେ ୪ହଜାର ଲସ । ପ୍ରକୃତରେ ଖଟି ଖାଉଥିବା ଲୋକେ ଏହି ଲକଡାଉନ ଆଉ ସଟଡାଉନରେ କେମିତି ଛନ୍ଦି ହୋଇଯାଇଛନ୍ତି ତାର ବାସ୍ତବ ଚିତ୍ର ଦେଖିଲି ।

୨ ମାସର ଲକଡାଉନ ଭିତରେ ସତରେ ରାଜ୍ୟର ଚିତ୍ର କେମିତି ବଦଳିଯାଇଛି । ସରକାର, ପ୍ରଶାସନ, ପୋଲିସ ସମସ୍ତଙ୍କୁ କରୋନା ଚିନ୍ତା ଘାରିଛି । ଆଉ ଦିନଯାକର ପରିଶ୍ରମ କରି ସନ୍ଧ୍ୟାରେ ୩୦୦ରୁ୫୦୦ ଟଙ୍କା ରୋଜଗାର କରୁଥିବା ଟ୍ରଲିଚାଳକ ଟିଏ ଯଦି କିଛି ଚିନ୍ତା କରୁଛି, ତା ହେଉଛି ଆଜି କେତେଟା ଭଡା ଯିବ, କେତେ ଟଙ୍କା ମିଳିବ । ଏମାସରେ କେତେଦିନ ଘରେ ବସିବାକୁ ପଡିବ ଆଉ କେତେ ଦିନ କାମ କରିବାକୁ ପଡିବ, ଘରେ ବସିଲେ କେତେ ଟଙ୍କା କ୍ଷତି ହେବ । ସାମାଜିକ ଦୂରତା କଥା ତା ମନରେ ନାହିଁ, ଅଂଟିରେ ସାନିଟାଇଜର ନାହିଁ କି ମୁହଁରେ ମାସ୍କ ନାହିଁ । ଯିଏ ପ୍ରତିଦିନ ଜୀବନ ବଂଚିବାକୁ ସଂଘର୍ଷ କରୁଛି ସେ ଅବା ମୃତ୍ୟୁକୁ କାହିଁକି ଡରିବ, ସେ ଅବା କରୋନା ସଂକ୍ରମଣକୁ କାହିଁକି ଡରିବ । ରାତି ପାହିଲେ ତାର ପେଟ ଚିନ୍ତା, ପିଲାଙ୍କ ପେଟ ଚିନ୍ତା, ପରିବାରର ପେଟ ଚିନ୍ତା । ଏହି ଚିନ୍ତା ତାକୁ ଏତେ ବ୍ୟସ୍ତ କରିଛି ଯେ ଥକା ମାରିବା ବେଳେ ବି ସେ ଏହି ପ୍ରଶ୍ନ ସବୁ ନିଜକୁ ପଚାରୁଛି । ଆଉ ତାର ଉତ୍ତର ଖୋଜୁଛି ।

ଏସବୁ କହିବାର କାରଣ ହେଲା, କେନ୍ଦ୍ର ସରକାର ଯେତେବେଳେ ଅନଲକ-୧ ଆରମ୍ଭ କଲେ, ସେତେବେଳେ ରାଜ୍ୟ ସରକାର ତାଲାବନ୍ଦର ନୂଆ କଟକଣା ଜାରି କଲେ । କେନ୍ଦ୍ର ତାଲା ଖୋଲିବା ବେଳେ ରାଜ୍ୟ ତାଲା ବନ୍ଦ କରିଦେଲା । ରାଜ୍ୟ ସରକାରଙ୍କ ନିଷ୍ପତି କେତେ ଠିକ କେତେ ଭୁଲ । ଏହାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ । ଗୋଟିଏ ପଟେ ସରକାର କହୁଛନ୍ତି ସଂଗରୋଧ କେନ୍ଦ୍ରରୁ ୯୫ ପ୍ରତିଶତ ସଂକ୍ରମଣ ହୋଇଛି । ଆଉ ସ୍ଥାନୀୟ ଲୋକଙ୍କ ଠାରୁ ୫ ପ୍ରତିଶତ । ଯଦି ସଂଗରୋଧ କେନ୍ଦ୍ରରୁ ଅଧିକ ସଂକ୍ରମଣ ହେଉଛି, ତେବେ ୧୧ ଜିଲ୍ଲାରେ ଏତେ କଡା ନିୟମ ଜାରି କରିବାର ମାନେ କଣ । ଅର୍ଥନୈତିକ କାରବାରକୁ ଠପ କରିଦେବାର ମାନେ କଣ । ପୁଣି ସପ୍ତାହକୁ ୨ଦିନ ସଟଡାଉନ । କରୋନା କଣ ବାର ଖୋଜି ଲୋକଙ୍କୁ ସଂକ୍ରମଣ କରୁଛି ନାଁ ଶନିବାର ଏବଂ ରବିବାର ଅଧିକ ଲୋକଙ୍କୁ ଦେଖି କରୋନା ସେମାନଙ୍କ ନିକଟକୁ ଆସୁଛି ।

ବଡ କଥା ହେଲା, ଲୋକେ ସତର୍କ ହେଲେଣି । ନିଜ ଜୀବନର ଚାବି କାଠି ତାଙ୍କ ନିଜ ହାତରେ । ସେମାନେ ସତର୍କ ହେଲେ ହିଁ କରୋନାରୁ ବଂଚିପାରିବେ ଏକଥା ସେମାନେ ବୁଝିସାରିଲେଣି । ତେଣୁ ସରକାର ସଂକ୍ରମିତଙ୍କ ଉପରେ ଅଧିକ ନଜର ରଖନ୍ତୁ । କିଛି ସଂକ୍ରମିତଙ୍କ ପାଇଁ ସାରା ରାଜ୍ୟବାସୀଙ୍କୁ ତାଲା ବନ୍ଦ, ସଟଡାଉନର ଦଣ୍ଡ ଦେବା କେତେ ଯଥାର୍ଥ, ଆପଣ ବିଚାର କରନ୍ତୁ ।

ଲାଲ୍ ମୋହନ ପଣ୍ଡା ।
(ଏହା ବରିଷ୍ଠ ସାମ୍ବାଦିକ ଲାଲ୍ ମୋହନ ପଣ୍ଡାଙ୍କ ବ୍ୟକ୍ତିଗତ ମତ । ଏହା କନକ ନ୍ୟୁଜର ମତ ନୁହେଁ )