ଅଜସ୍ର ପ୍ରେମ ଦୁହିଁଙ୍କୁ କଲା ଏକାଠି: ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ…

89

କନକ ବ୍ୟୁରୋ : କୋଲକାତାରୁ ନେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମ୍ ‌ତାଙ୍କୁ କେତେ କେଉଁଠି ଖୋଜିଛନ୍ତି । କେଉଁଠି ବି ସେ ମିଳିଲେ ନାହିଁ । ଜୀବନର ଝଡ଼ ଝଞ୍ଜା ଭିତରେ ବେଳେବେଳେ ଭାଙ୍ଗି ଯାଇଥିଲେ। କିନ୍ତୁ ହାର୍ ମାନି ନଥିଲେ। ବେଳେବେଳେ ମନକୁ ପାପ ଛୁଏଁ ସିନା, କିନ୍ତୁ ପୁଣି ନିଜକୁ ବୁଝେଇ ଦିଅନ୍ତି। ମନକୁ ଦମ୍ଭ କରି ସାନ୍ତ୍ୱନା ଦିଏ ଯେ ମୋ ଜୀବନ ସାଥୀ ମିଳିଯିବେ । ନିଜ ଉପରେ ଅଗାଢ଼ ବିଶ୍ୱାସ , ଜୀବନ ସାଥୀଙ୍କ ପ୍ରତି ଅଜସ୍ର ପ୍ରେମ ଶେଷରେ ଦୁହିଁଙ୍କୁ ଏକାଠି କଲା । ୩୦ ବର୍ଷ ତଳୁ ନିଖୋଜ ହୋଇଯାଇଥିବା ସମ୍ପର୍କର ପୁନର୍ଜନ୍ମ ହେଲା ।

ଏ କାହାଣୀ ଝୁନୁ ଦେ’ଙ୍କର। ଭ୍ୟାଲେଣ୍ଟାଇନ୍‌ ଦିବସ ପରିପ୍ରେକ୍ଷୀରେ ଆମେ ସାଉଁଟିଥିଲୁ ଝୁନୁଙ୍କ ଜୀବନର ଏହି ଅବିସ୍ମୃତ ପ୍ରେମ ଗାଥା। ୩ ଦଶନ୍ଧି ପରେ ସ୍ୱାମୀଙ୍କୁ ଖୋଜି ପାଇବାକୁ ଝୁନୁଙ୍କୁ କମ୍‌ ସଂଘର୍ଷ କରିବାକୁ ପଡ଼ିନି। ବରଂ ସ୍ୱାମୀଙ୍କୁ ଖୋଜିବାକୁ ଟ୍ରେନ୍‌ରେ ମାଗଣାରେ ଯାତ୍ରା କରି ସେ ଟିଟିଇଙ୍କଠାରୁ ଗାଳି ଖାଇଛନ୍ତି । ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରିଛନ୍ତି। କାହା ପିଣ୍ଢାରେ ରାତି କାଟିଛନ୍ତି । କିନ୍ତୁ ଏ ଯୁଦ୍ଧରେ କେବେ ହାରିଯାଇନାହାନ୍ତି । ଝୁନୁଙ୍କୁ ଯେବେ ୧୯ ବର୍ଷ ସେତେବେଳେ ସେ ତାଙ୍କଠୁ ୧୦ ବର୍ଷ ବଡ଼ ନିମାଇଁ ଦେ’ଙ୍କୁ ବିବାହ କରିଥିଲେ । ନିମାଇଁ ଦିନ ମଜୁରିଆ ହୋଇଥିଲେ ହେଁ କେବେ ଝୁନୁଙ୍କ ପାଇଁ କିଛି ଉଣା କରୁନଥିଲେ । ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରେ ଶ୍ରମିକ ଭାବେ କାମ କରି ଯାହା ଆଣୁଥିଲେ, ସେଥିରେ ଦୁଇ ପ୍ରାଣୀ ଚଳି ଯାଉଥିଲେ। ମାତ୍ର ଦେଢ଼ ବର୍ଷ ପରେ ନିମାଇଁ କୋଲକାତା ଚାଲିଗଲେ। କାମ କରିବାକୁ ଯାଉଛି ବୋଲି କହିଦେଇ ଗଲେ ଯେ ଆଉ ଫେରିଲେ ନାହିଁ ।

ଇତି ମଧ୍ୟରେ ଝୁନୁଙ୍କର ପୁଅଟିଏ ହେଲା। ମାତ୍ର ନା ସ୍ୱାମୀଙ୍କର ଚିଠିଟିଏ ପାଇଲେ ନା ସ୍ବାମୀଙ୍କ ଠିକଣା ଖୋଜି ପାଇଲେ। ତେଣୁ ବେଳେବେଳେ କୋଲକାତା ଓ ଆନ୍ଧ୍ରପ୍ରଦେଶ ଯାଇ ସ୍ୱାମୀଙ୍କୁ ଖୋଜିବାକୁ ଲାଗିଲେ। ହେଲେ କେଉଁଠି ବି ପାଇଲେନି। ଇତି ମଧ୍ୟରେ ଝୁନୁଙ୍କର ପୁଅଟିଏ ହେଲା। ଅଥଚ ୫ ବର୍ଷ ବୟସରେ ପୁଅଟି ଆରପାରିକୁ ଚାଲିଗଲା । ସ୍ୱାମୀଙ୍କୁ ଖୋଜିଖୋଜି ଝୁନୁଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ୫ ବର୍ଷର ପୁଅ ତାଙ୍କୁ ଶୋକ ସାଗରରେ ଭସାଇ ଦେଇ ଆରପାରିକୁ ଚାଲିଗଲା । ଝୁନୁ କିନ୍ତୁ ଥକି ଯାଇନଥିଲେ। ଦୁଇବର୍ଷ ତଳେ ଖବର ପାଇଲେ ତାଙ୍କ ସ୍ୱାମୀ ନିମାଇଁ ଦେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କରୁଛନ୍ତି। ଏହା ଶୁଣି ଝୁନୁଙ୍କ ଖୁସି କହିଲେ ନସରେ। ତୁରନ୍ତ ବସିବା ସ୍ଥାନରୁ ଉଠି ଚାଲି ଆସିଲେ ଶ୍ରୀକ୍ଷେତ୍ର ଅଭିମୁଖେ। ଏଠି ଆସି ବଡ଼ଦାଣ୍ଡରେ ନିମାଇଁଙ୍କୁ ଖୋଜିଲେ ସିନା ପାଇଲେ ନାହିଁ। ଦୁର୍ଭାଗ୍ୟକୁ ସେତେବେଳକୁ ନିମାଇଁ ଓଡ଼ିଶା ପତିତା ଉଦ୍ଧାର ସମିତି ଓ ଜିଲ୍ଲା ପ୍ରଶାସନ ପରିଚାଳିତ ସର୍ବୋଦୟନଗରସ୍ଥିତ ସହରାଞ୍ଚଳ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ । ତେଣୁ ୬ ମାସ କାଳ ଝୁନୁ ବଡ଼ଦାଣ୍ଡରୁ ନେଇ ପୁରୀର ଗଳିକନ୍ଦି ନିମାଇଁଙ୍କୁ ଖୋଜି ବୁଲିଲେ । ଇତି ମଧ୍ୟରେ ଘରୁ ଆଣିଥିବା ୩ଶହ ଟଙ୍କା ଚୋରି ହୋଇଯାଇଥିବାରୁ ନିଜ ପେଟ ଚାଖଣ୍ଡଙ୍କ ପାଇଁ ସେ ବି ଶେଷରେ ବଡ଼ଦାଣ୍ଡରେ ଭିକ୍ଷାବୃତ୍ତି କଲେ। ଶେଷରେ ଘଟଣା ଭିନ୍ନ ମୋଡ଼ ନେଲା । ନିମାଇଁଙ୍କୁ ଉଦ୍ଧାର କରିଥିବା ଆଶ୍ରୟସ୍ଥଳୀର ସ୍ବେଚ୍ଛାସେବୀମା‌ନେ ରାସ୍ତାକଡ଼ରୁ ବାସହୀନ ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଥିବା ବ‌େଳେ ଝୁନୁଙ୍କୁ ଉଦ୍ଧାର କରାଗଲା । ସଂଯୋଗ ଏମିତି ଯେ ଯେଉଁଠି ନିମାଇଁ ରହୁଥିଲେ, ଝୁନୁଙ୍କୁ ବି ସେଇ ଆଶ୍ରୟସ୍ଥଳୀକୁ ନିଆଗଲା ।

୩୦ ବର୍ଷ ଧରି ଝୁନୁ ଯାହାଙ୍କୁ ଖୋଜିବାକୁ ରାଜ୍ୟ ଓ ରାଜ୍ୟ ବାହାରେ ଘୂରି ବୁଲୁଥିଲେ, ସେ ଯେ ଏଇଠି ତାଙ୍କ ଆଖି ସାମ୍ନାରେ, ଏହା ଦେଖି ତାଙ୍କ ଆଖିରୁ ଅଶ୍ରୁଧାର ନିଗିଡ଼ି ପଡ଼ୁଥିଲା। ଏବେ ଦୁହେଁ ଦେଢ଼ ବର୍ଷ ହେଲା ତୋଷାଳି ସ୍ୟାଣ୍ଡ୍‌ ନିକଟସ୍ଥ ଆଶ୍ରୟସ୍ଥଳୀ ନୀଳାଦ୍ରି ନିଳୟରେ ଏକାଠି ରହୁଛନ୍ତି। ଝୁନୁଙ୍କ ବୟସ ୬୦ ଏବଂ ନିମାଇଁଙ୍କ ବୟସ ୭୦ ଛୁଇଁଲାଣି। ୩ ଦଶନ୍ଧି ପରେ ସେମାନଙ୍କ ଯୌବନ ମଳିନ ପଡ଼ିଯାଇଛି। କିନ୍ତୁ ଏବେ ବି ଦୁହେଁ ଦୁହିଁଙ୍କୁ କ୍ଷଣେ ନ ଦେଖିଲେ ରହିପାରନ୍ତି ନାହିଁ। ବୋଧେ ସେଇଥିପାଇଁ କୁହାଯାଏ, ଭଲ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ… ।