ଧାରଣା ପରେ ବି କେହି ଶୁଣିଲେ ନାହିଁ ଅଭିଯୋଗ । ଜିଲ୍ଲାପାଳଙ୍କ ସମ୍ମୁଖରେ ତଳେ ଶୋଇ ଦାବି ଜଣାଇଲେ ଆଦିବାସୀ ମହିଳା ।

157

କନକ ବ୍ୟୁରୋ: ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଲେ । ହେଲେ ତାଙ୍କ ସହ ହୋଇଥିବା ଅନ୍ୟାୟର ବିଚାର ହେଲାନାହିଁ । ଅବିବାହିତ ଅନାଥ ଆଦିବାସୀ ମହିଳାଙ୍କ କଥା କେହି ଶୁଣିଲେ ନାହିଁ । ତେଣୁ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ମହିଳା ଆଜି ଅଭିନବ ଉପାୟରେ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଇ ପଡିଲେ ମହିଳା । ଚାକିରି ଫେରାଇ ଦେବାକୁ ଦାବି କରି ସୁନ୍ଦରଗଡ ଜିଲ୍ଲାପାଳ ନିଖୀଲ ପବନ କଲ୍ୟାଣଙ୍କ ବାଟ ରୋକିଲେ ଜଣେ ଆଦିବାସୀ ମହିଳା । ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖକୁ ଫର୍ଦ୍ଦଫର୍ଦ୍ଦର୍ ଅଭିଯୋଗ ପତ୍ର ଲେଖି ନିରାଶ ହେଲା ପରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଧାରଣ ଉପରେ କାହାରି ନଜର ପଡିଲା ନାହିଁ, ତେଣୁ ଜିଲ୍ଲାପାଳଙ୍କ ଆଗରେ ତଳେ ଶୋଇ ପଡିଲେ ମହିଳା । ତେବେ ଜିଲ୍ଲାପାଳ ମହିଳାଙ୍କୁ ଉଠାଇ ତାଙ୍କ ଅଭିଯୋଗ ଦାବିପତ୍ର ରଖିଛନ୍ତି ।

ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ଏମିତି ଢଙ୍ଗରେ ଦାବି ଜଣାଇଥିବା ମହିଳା ଜଣଙ୍କ ହେଉଛନ୍ତି ସଦର ବ୍ଲକ ମଝାପଡାର ପିରୋ କିଶାନ । ଦୀର୍ଘ ୧୦ ବର୍ଷ କାଳ ବିନା ପାରିଶ୍ରମିକରେ ମଝାପଡା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଅନ ଭାବରେ କାମ କରୁଥିଲେ । ସେତେବେଳେ ତାଙ୍କୁ ଭରସା ଦିଆଯାଇଥିଲା ବିଦ୍ୟାଳୟ ବ୍ଲକଗ୍ରାଣ୍ଡ ପାଇଲେ ତାଙ୍କୁ ନିଯୁକ୍ତି ମିଳିବ । ହେଲେ ବିଦ୍ୟାଳୟ ଯେତେବେଳେ ବ୍ଲକଗ୍ରାଣ୍ଡ ପାଇଲା ସେତେବେଳେ ପିରୋଙ୍କ ସ୍ଥାନରେ ଆଉ ଜଣଙ୍କୁ ନିଯୁକ୍ତି ମିଳିଛି । ଅଭିଯୋଗ ଅନୁସାରେ ଚାକିରି ସ୍ଥାୟୀ କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ପିରୋ ଲାଞ୍ଚ ଦେଇନପାରିବାରୁ ତାଙ୍କ ଚାକିରି ଛଡେଇ ନିଆଗଲା । ନିଜ ସମସ୍ୟା ନେଇ ପିରୋ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି, ହେଲେ କେହି ତାଙ୍କ ଦୁଃଖ ନବୁଝିବାରୁ ସେ ଏବେ ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ଏ ସଂପର୍କରେ ଜିଲ୍ଲାପାଳ କି ଜିଲ୍ଲାଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।