ମାଓ ଅଧ୍ୟୁଷିତ ମାଲକାନଗିରିରୁ ଅନ୍ତର୍ଜାତୀୟ କ୍ରିକେଟର ସ୍ୱପ୍ନ ଦେଖୁଛନ୍ତି ଆଦିବାସୀ ଯୁବତୀ । ମାଲକାନଗିରି ଡିଏମକେ ପଡିଆରେ ପ୍ରଶିକ୍ଷଣ ନେଉଛନ୍ତି ଜିଲ୍ଲାର ୩୦ରୁ ଅଧିକ ଝିଅ ।

63

କନକ ବ୍ୟୁରୋ : ଏଣିକି କ୍ରିକେଟ ମୈଦାନରେ ଚମକିବେ ଲାଲଗଡର ଝିଅ । ରାଜ୍ୟ ତଥା ଜାତୀୟ ସ୍ତରରେ କ୍ରିକେଟ ଖେଳିବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ । ଏଥିପାଇଁ ମାଲକାନଗିରି ଜିଲ୍ଲାର ୩୦ ରୁ ଅଧିକ ଝିଅ ଙ୍କ ମାଲକାନଗିରି ଆଣି ପ୍ରଶିକ୍ଷଣ ଦେଉଛି ମାଲକାନଗିରି କ୍ରିକେଟ ଆସୋସିଏଶନ ।

ଲାଲଗଡରୁ କ୍ରିକେଟ ମଇଦାନ । ମୁଣ୍ଡରେ ହେଲମେଟ, ହାତରେ ଗ୍ଲବ୍ସ ଓ ଗୋଡରେ ପ୍ୟାଡ । ପୁରା ପେଶାଦାର କ୍ରିକେଟରଙ୍କ ଗେଟଅପ୍ରେ ପଡିଆରେ ଝାଳ ବୁହାଉଛନ୍ତି ଆଦିବାସୀ ଝିଅ । ଏଚିତ୍ର କୌଣସି ବଡସହର କି ରାଜଧାନୀର ନୁହଁ ବରଂ ଆଦିବାସୀ ବହୁଳ ମାଲକାନଗିରିର । ମାଲକାନଗିରି ସଦର ମହକୁମାରେ କ୍ରିକେଟ୍ ଖଳର ତାଲିମ ନେଉଛନ୍ତି ସ୍ୱାଭିମାନ ଅଂଚଳ ସହ ୭ଟି ବ୍ଲକର ଆଦିବାସୀ ଝିଅ । ଆଉ ଏମାନଙ୍କୁ ତାଲିମ୍ ଦେଉଛନ୍ତି ଅଭିଜ୍ଞ କୋଚ । ମାସେ ଧରି ମାଲକାନଗିରି ଡିଏନକେ ଖେଳ ପଡିଆରେ ୩୨ ଯୁବତୀଙ୍କୁ ରାଜ୍ୟ ସ୍ତରୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ଲାଗି ପ୍ରସ୍ତୁତ କରାଯାଉଛି । ଆଉ ପ୍ରଥମ ଥର ପାଇଁ ଏପରି ସୁଯୋଗ ପାଇ ବେଶ ଆନନ୍ଦିତ ଜାତୀୟ ସ୍ତରରେ ଖେଳିବା ଲାଗି ଆଶା ରଖିଥିବା ଏହି ଯୁବତୀମାନେ ।

କ୍ରିକେଟ ଖେଳ ଏବେ ସାରା ବିଶ୍ୱରେ ଲୋକପ୍ରୀୟ ହୋଇଥିବା ବେଳେ ଭାରତର କ୍ରିକେଟ କ୍ଷେତ୍ରରେ ମହିଳାଙ୍କ ଅଂଶିଦାର ଖୁବ୍ କମ୍ । ବିଶେଷ କରି ଓଡିଶାର ସମସ୍ତ ଜିଲ୍ଲାରେ ପ୍ରାୟତଃ ମହିଳା କ୍ରିକେଟ ଦଳଟିଏ ନାହିଁ । ଏପରି ସ୍ଥିତିରେ ମାଲକାନଗିରି ଜିଲ୍ଲାରୁ ପ୍ରତି ବର୍ଷ ରାଜ୍ୟ ସ୍ତରକୁ ମହିଳା କ୍ରିକେଟ ଦଳ ଭାଗ ନେଉଛି । ଏଥବି ଖେଳାଳିଙ୍କ ଉପରେ ଅଧିକ ଆଶା ରଖିଛି ମାଲକାନଗିରି କ୍ରେକେଟ ଆସୋସିଏସନ ।

ପୂର୍ବରୁ ମାଲକାନଗିରି କ୍ରୀଡା ଛାତ୍ରାବାସରୁ ଅନେକ ଖେଳାଳି ବିଭିନ୍ନ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ଇଭେଂଟରେ ମେଡାଲ ଆଣି ମାଲକାନଗିରି ଜିଲ୍ଲାର ନାଁ ରଖିଛନ୍ତି । ଆଉ ଏବେ ଏହି ମହିଳା କ୍ରିକେଟ ଦଳ ଉପରେ ସମସ୍ତଙ୍କ ନଜର ରହିଛି ।