କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି କେତେ ବଡ଼ ସମସ୍ୟା ସୃ୍ଷ୍ଟି କରିପାରେ ତାର ଏକ ଦୟନୀୟ ଚିତ୍ର ଆସଛି ପାଲଲହଡ଼ାରୁ । ବତିସୂଆଁ ପଂଚାୟତ ବାଳୀମ ଗାଁରେ ଥିବା ନୁଦେଇ ନାଳରେ ବନ୍ୟା ଜଳ ଯୋଗୁଁ ସେଠି ଥିବା ଅସ୍ଥାୟୀ ପୋଲ ଭୁଷୁଡି ଯାଇଛି । ଆଉ ଠିକ୍ ଏମିତି ବେଳେ ନାଳର ବଢ଼ି ପାଣିରେ ଦଉଡିକୁ ସାହାରା କରି ଏକ ଶିଶୁକୁ ନାଳ ପାର କରୁଛନ୍ତି ତାଙ୍କ ପରିବାର ଲୋକ । ସୂଚନା ଅନୁସାରେ ଶିଶୁର ଦେହ ଅଚାନକ୍ ବିଗିଡ଼ି ଯିବାରୁ ପାଲଲହଡ଼ା ହସ୍ପିଟାଲ ନେବା ପାଇଁ ଏଭଳି ବିପଦ ସଂକୁଳ ଅବସ୍ଥାରେ ନାଳ ପାରି କରାଯାଉଛି । ନାଳରେ ଛାତିଏ ପାଣିର ବନ୍ୟାଜଳ ପ୍ରଭାବିତ ହେଉଥିବା ବେଳେ କୁନି ପିଲାଟିକୁ କାଖରେ ଧରି ନାଳ ପାରି କରାଯାଇଛି । ବନ୍ୟା ପାଣିରେ ଅସ୍ଥାୟୀ ପୋଲ ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ଯାହା ଫଳରେ ଗାଁର ଲୋକ ସୂଂପର୍ଣ୍ଣ ଜଳବନ୍ଦୀର ଜୀବନ କାଟୁଛନ୍ତି ।
ବର୍ଷ ବର୍ଷ ଧରି ଗାଁ ଲୋକ ପୋଲ ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥିଲେ ଗାଁ ଲୋକ । ହେଲେ ଏଥର ଲଗାଣ ବର୍ଷା ଯୋଗୁଁ ତାହା ସଂପୂର୍ଣ୍ଣ ଭୁଷୁଡି ପଡ଼ିଛି । ଆଉ ଠିକ୍ ଏହି ସମୟରେ ଗାଁର ଜଣେ କୁନି ପିଲା ଅସୁସ୍ଥ ହୋଇଯିବାର ଅତି ଦୟନୀୟ ଏବଂ ବିପଦ ସଂକୁଳ ଅବସ୍ଥାରେ ନାଳ ପାର କରାଯାଇଛି ।