କନକ ବ୍ୟୁରୋ : ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ୩୨୦୫ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି। ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧାତବ ଓ ଖଣିଜ, ଭିତ୍ତିଭୂମି, ପର୍ଯ୍ୟଟନ ଓ ସିମେଣ୍ଟ୍ କ୍ଷେତ୍ର ପାଇଁ ଆସିଥିବା ସାତଟି ନିବେଶ ପ୍ରସ୍ତାବ ମଞ୍ଜୁର କରାଯାଇଛି। ଏହି ସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୨୪୯୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଏମ୍ଜିଏମ୍ ମିନେରାଲ୍ସ ଲିମିଟେଡ୍ର ୮୦୧.୮୯ କୋଟି ଟଙ୍କା, ଜିଏମ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ କଂପାନି ଲିମିଟେଡ୍ ୬୦୭.୫୨ କୋଟି ଟଙ୍କା, ଏନଭିରୋକେୟାର ଇନଫ୍ରା ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ର ୬୦ କୋଟି ଟଙ୍କା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ର ୬୯୬ କୋଟି ଟଙ୍କା, ଲାଇଫ୍ଲାଇନ୍ ମଲ୍ଟି ଭେଞ୍ଚର୍ସର ୧୫୦.୩୮ କୋଟି ଟଙ୍କା, ଜେଏସ୍ଡବ୍ଲ୍ୟୁ ସିମେଣ୍ଟ୍ର ୪୮୯.୮୮ କୋଟି ଟଙ୍କା ଓ ଯାଜପୁର ସିମେଣ୍ଟସ୍ର ୪୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି।
ଯାଜପୁର ସିମେଣ୍ଟସ୍ ପକ୍ଷରୁ ଯାଜପୁରର କଳିଙ୍ଗନଗର ଠାରେ ସିମେଣ୍ଟ୍ ଗ୍ରାଇଣ୍ଡିଂ କାରଖାନାର କ୍ଷମତାକୁ ବାର୍ଷିକ ୧.୫ ନିୟୁତ ଟନ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ। ଜେଏସ୍ଡବ୍ଲୁ ସିମେଣ୍ଟ୍ ଏହାର କଳିଙ୍ଗନଗର କାରଖାନାର ଗ୍ରାଇଣ୍ଡିଂ କ୍ଷମତାକୁ ବାର୍ଷିକ ୨.୪ ନିୟୁତ ଟନ୍କୁ ବୃଦ୍ଧି କରିବ। ଲାଇଫ୍ଲାଇନ୍ ମଲ୍ଟି ଭେଞ୍ଚର୍ସ ଭୁବନେଶ୍ବରରେ ଏକ ପଞ୍ଚତାରକା ହୋଟେଲ୍ ସ୍ଥାପନ କରିବ। ହିଣ୍ଡାଲ୍କୋ ପକ୍ଷରୁ ସମ୍ବଲପୁରର ଲପଙ୍ଗା ଠାରେ ଫ୍ଲୁ ଗ୍ୟାସ୍ ଡିସଲ୍ଫରାଇଜେସନ୍ କାରଖାନା ସ୍ଥାପନ କରାଯିବ। ଏନଭିରୋକେୟାର ଇନଫ୍ରାସଲ୍ୟୁସନ୍ସ ପକ୍ଷରୁ ସୁନ୍ଦରଗଡ଼ର କୋଇଡ଼ା ଠାରେ ବାର୍ଷିକ ୩.୬ ନିୟୁତ ଟନ୍ କ୍ଷମତାର ଲୁହା ପଥର ବେନିଫିକେସନ କାରଖାନା ସ୍ଥାପନ କରାଯିବ। ଜିଏମ୍ ଆଇରନ୍ ଆଣ୍ଡ୍ ଷ୍ଟିଲ୍ କଂପାନି ଢେଙ୍କାନାଳରେ ପେଲେଟ୍ କାରଖାନା, ଡିଆର୍ଆଇ ପ୍ଲାଣ୍ଟ୍, ବିଲେଟ୍ ଓ ଓୟାର ରଡ୍ ମିଲ୍, ସ୍ଲାଗ୍ ସିମେଣ୍ଟ୍ ଓ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ। ସେହିପରି, ଢେଙ୍କାନାଳର ନିମଢ଼ା ଠାରେ ଏମ୍ଜିଏମ୍ ମିନେରାଲସ୍ ଲିମିଟେଡ୍ ପକ୍ଷରୁ ସ୍ପଞ୍ଜ ଆଇରନ, ପେଲେଟ୍, ଏମ୍ଏସ୍ ବିଲେଟ୍, ଟିଏମ୍ଟି ଓ ଓୟାର ରଡ୍ କାରଖାନା ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ୍ ସ୍ଥାପନ କରାଯିବ।
ଏହି ସମସ୍ତ ପ୍ରକଳ୍ପ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ତାହା ନିଶ୍ଚିତ କରିବା ଲାଗି ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଇପିକଲ୍କୁ ନିର୍ଦେଶ ଦେଇଛନ୍ତି। ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ।