ଦେଶରେ ଜିଏସଟି ଆଦାୟରେ ହେଲା ରେକର୍ଡ । ଡିସେମ୍ବରରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସାମଗ୍ରୀ ଏବଂ ସେବା କର ଆଦାୟ ।

72

କନକ ବ୍ୟୁରୋ : ଦେଶରେ ସାମଗ୍ରୀ ଏବଂ ସେବା କର ଜିଏସଟି ଲାଗୁ ହେବା ପରେ ଗତ ମାସରେ ରେକର୍ଡ ପରିମାଣର ରାଜସ୍ୱ ସଂଗ୍ରହ ହୋଇଛି । ରେକର୍ଡ ଛୁଇଁଛି ଜିଏସଟି ଆଦାୟ । ଡିସେମ୍ବର ମାସରେ ମୋଟ୍ ୧ ଲକ୍ଷ ୧୫ ହଜାର କୋଟି ଟଙ୍କା ଜିଏସଟି ଆଦାୟ ହୋଇଛି । ଗତବର୍ଷ ଏହି ସମୟ ମଧ୍ୟରେ ଆଦାୟ ଜିଏସଟି ଠାରୁ ଏହା ୧୨ ପ୍ରତିଶତ ଅଧିକ ।

ମୋଟ୍ ଆଦାୟ ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୨୧ ହଜାର ୩୬୫ କୋଟି ହୋଇଥିବା ବେଳେ ରାଜ୍ୟ ଜିଏସଟି ୨୭ ହଜାର ୮୦୪ କୋଟି ରହିଛି । ଏହାସହ ଉଭୟ କେନ୍ଦ୍ର ଓ ରାଜ୍ୟର ସଂଯୁକ୍ତ ଜିଏସଟି ୫୭ ହଜାର ୪୨୬ କୋଟି ଅଛି । ଜିଏସଟି ଲାଗୁ ହେବା ପରେ ଏହା ସବୁଠୁ ଅଧିକ ଆଦାୟ । ପୂର୍ବରୁ ସବୁଠୁ ଅଧିକ ଜିଏସଟି ଆଦାୟ ଥିଲା ୧ ଲକ୍ଷ ୧୩ ହଜାର କୋଟି ।

୨୦୧୯ ଏପ୍ରିଲରେ ଏହା ଆଦାୟ ହୋଇଥିଲା । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁସାରେ ଗତ ୨୧ମାସ ମଧ୍ୟରେ ଏହା ହେଉଛି ମାସିକ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ସର୍ବାଧିକ ଅଭିବୃଦ୍ଧି । ଦ୍ରୁତ ଅର୍ଥନୈତିକ ପୁନରୁଦ୍ଧାର ମହାମାରୀ ପରର ମିଳିତ ପ୍ରଭାବ ଏବଂ ଜିଏସଟି ଫାଙ୍କି ବିରୋଧରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଏବଂ ନିକଟରେ ପ୍ରଚଳିତ ଅନେକ ବ୍ୟବସ୍ଥିତ ପରିବର୍ତନ ଯୋଗୁଁ ଏହା ସମ୍ଭବ ହୋଇଛି ।