ବିଧାନସଭା ସରିଲେ ହଜିଯିବନି ତ ‘ପରୀ’ ପ୍ରସଙ୍ଗ ? ସୈତାନକୁ ସାମ୍ନାକୁ ଆଣିବ ତ କ୍ରାଇମବ୍ରାଞ୍ଚ ? ନା ଆଦିତ୍ୟ ମାମଲା ଭଳି ଧିମେଇଯିବ ତଦନ୍ତ ପ୍ରକ୍ରିୟା ? ପଢନ୍ତୁ ‘ପରୀ’ର ପୂରା କାହାଣୀ…

329

କନକ ବ୍ୟୁରୋ: ଝିଅକୁ ନ୍ୟାୟ ପାଇଁ ଗୁହାରୀ କରି କରି ଯେତେବେଳେ ବାପାମାଆ ଥକି ପଡିଲେ ଠିକ ସେତେବେଳେ ଗଣତନ୍ତ୍ରର ମନ୍ଦିର ଆଗରେ ଆତ୍ମାହୂତି ପାଇଁ ନିଷ୍ପତ୍ତି ନେଇଥିଲେ ନୟାଗଡର କୁନିଝିଅ ପରୀର ବାପାମାଆ ଅଶୋକ ସାହୁ ଓ ସୌଦାମିନୀ ସାହୁ । ଆଉ ବିଧାନସଭା ଚାଲିଥିବା ବେଳେ ଆତ୍ମାହୂତି ଉଦ୍ୟମ କରିବାକୁ ଉଦ୍ୟତ ହେଉଥିବା ବେଳେ ଅଟକାଇଥିଲା ପୋଲିସ । ବାସ୍ ତାପରେ ନିଆଁରେ ଘିଅ ଢାଳିବା ପରି ବିଧାନସଭାରେ ପରୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଆଉ ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡିଶାରେ ଜଳିଥିଲା ନ୍ୟାୟ ପାଇଁ ନୟ୍ୟାଗଡ ନିଆଁ ।

କଅଁଳ କଢିର ମୃତ୍ୟୁ ପ୍ରସଙ୍ଗରେ ଯେତେବେଳେ ବାପାମାଆ ମନ୍ତରୀ ଅରୁଣ ସାହୁଙ୍କ ନାଁ ନେଇଥିଲେ ଠିକ ସେତିକି ବେଳେ ତାତିଥିଲେ ବିରୋଧୀ । ବିଭିନ୍ନ ସଙ୍ଗଠନ, ବିଜେପି ମହିଳା ମୋର୍ଚ୍ଚା , ଛାତ୍ର ସଙ୍ଗଠନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବିରୋଧୀ ବିଧାୟକ ବିଧାନସଭାକୁ ହୁଲସ୍ତୁଲ କରିଥିଲେ । ଯଦିଓ ଗତକାଲି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିଥିଲେ ଆଉ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ ବୋଲି କହିଥିଲେ । ଏହା ସତ୍ୱେ ବି ବିରୋଧୀ ସନ୍ତୁଷ୍ଟ ନଥିଲେ । ପରୀର ପିତାମାତା ଅଭିଯୁକ୍ତଙ୍କୁ ମନ୍ତ୍ରୀ ସୁରକ୍ଷା ଦେଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିବା ପରେ ଏହି ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ଘେରିଥିଲେ ବିରୋଧୀ । କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ନାରାବାଜି କରିଥିଲେ । ପୋଡିୟମ ନିକଟକୁ ଆସି ବ୍ୟାନର ପ୍ରଦର୍ଶନ କରିବା ସହ ବିଜେପି ସଦସ୍ୟ ମାନେ ହୋହାଲ୍ଲା କରିବାରୁ ଗୃହ ମୁଲତବୀ ହୋଇଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ ବିବୃତି ରଖିଛନ୍ତି ।

ମନ୍ତ୍ରୀ ଅରୁଣ କହିଛନ୍ତି, ପରୀ ମୃତ୍ୟୁ ଘଟଣା ମତେ ମର୍ମାହତ କରିଛି । ମୁଁ ହିଂସାର ଘୋର ବିରୋଧୀ । କ୍ରାଇମବ୍ରାଞ୍ଚ ଉପରେ ମୋର ପୂରା ବିଶ୍ୱାସ ରହିଛି । କ୍ରାଇମବ୍ରାଞ୍ଚ ତଦନ୍ତ କରି ପରୀ ପରିବାରକୁ ଉପଯୁକ୍ତ ନ୍ୟାୟ ଦେବ । ତେଣୁ ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରାନଯାଉ । ପରୀ ନ୍ୟାୟ ପାଉ, ସତ୍ୟର ଉନ୍ମୋଚନ ହେଉ ବୋଲି ଗୃହରେ ବିବୃତି ରଖିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ସେପଟେ ହାଇକୋର୍ଟରେ ପହଂଚିଲା ପରୀ ମୃତ୍ୟୁ ମାମଲା । ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ ବିକାଶ ପରିଷଦ । ଆବେଦନରେ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ଅନୁରୋଧ କରାଯାଇଛି । ଏପରିକି ପୀଡ଼ିତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଆବେଦନରେ ଦର୍ଶାଯାଇଛି । ମାମଲାରେ ସିବିଆଇ, ରାଜ୍ୟ ସରକାରଙ୍କ ସହ ସ୍ଥାନୀୟ ପ୍ରଶାସନକୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନରେ କୁହାଯାଇଛି ।

ତେବେ ଗତ ଜୁଲାଇ ୧୪ ତାରିଖରେ ନୟାଗଡ ସଦର ଥାନା ଯଦୁପୁର ଗାଁର ୫ ବର୍ଷର ପରୀ ଗାଁଦାଣ୍ଡରେ ଖେଳୁଥିବା ବେଳେ କେହି ତାକୁ ଅପହରଣ କରି ନେଇଥିଲା । ଏନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ହେଲେ ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ ପରୀର ଖଣ୍ଡବିଖଣ୍ଡିତ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ମାମଲାରେ ବିଭିନ୍ନ ଲୋକଙ୍କୁ ଜେରା କରିଥିବା ବେଳେ ଏଯାଏଁ ପୋଲିସ ହାତ ଫାଙ୍କା ରହିଛି । କେହି ବି ଜଣେ ଅଭିଯୁକ୍ତ ଧରାପଡି ନାହାନ୍ତି । ତେଣୁ ଝିଅର ନ୍ୟାୟ ପାଇଁ ବାପା ମାଆ ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଦୋଷୀକୁ ଧରିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି ସତ ହେଲେ ସୈତାନକୁ ସାମ୍ନାକୁ କେତେ ସଫଳ ହେବ କ୍ରାଇମବ୍ରାଞ୍ଚ ? ଦୋଷୀଙ୍କୁ ଧରି ମୃତ୍ୟୁ ମାମଲାରୁ ପରଦା ହଟାଇ ପାରିବ ତ କ୍ରାଇମବ୍ରାଞ୍ଚ ? କାରଣ ଆଦିତ୍ୟ ଘଟଣା ଭଳି ପରୀ ପ୍ରସଙ୍ଗ କାଳେ ଧିମେଇଯିବ ତାହା ପରିବାର ଲୋକେ ଆଶଙ୍କା କରିଛନ୍ତି ।