କନକ ବ୍ୟୁରୋ: ଓଡ଼ିଶାରେ ପୁଣି ଦେଖିବାକୁ ମିଳିଛି ମହାବଳ ବାଘ । କେନ୍ଦୁଝର ବନଖଣ୍ଡ ପାଟଣା ରେଞ୍ଜରେ ଏକ ୩-୪ ବର୍ଷର ମହାବଳ ବାଘ ବୁଲୁଥିବାର ଫଟୋ କ୍ୟାମେରାରେ କଏଦ ହୋଇଛି । ଏହି ବାଘ ଏବେ ପାଟଣା ରେଞ୍ଜରେ ଆତଙ୍କ ଖେଳାଇଛି । କିଛି ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ମହାବଳ ବାଘ ଚିହ୍ନଟ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି ।
ମହାବଳ ବାଘର ଫଟୋ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । ଲୋକଙ୍କ ଅଭିଯୋଗ ହେଲା ମହାବଳ ବାଘ ନେଇ ବନବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଉନାହିଁ । ବଡ଼ କଥା ହେଉଛି, ଗତ ୨ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ରୋହିଣୀଡୁମା ଗାଁରେ ଅନନ୍ତ ମାଝୀ ବାଘ ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା । ୩ ଦିନ ପରେ ଏକ ବାର୍ହାକୁ ମଧ୍ୟ ବାଘ ଖାଇଥିବା ବେଳେ ଅନେକ ଗୃହପାଳିତ ପଶୁ ଚରିବାକୁ ଜଙ୍ଗଲ ଯାଇଥିବାବେଳେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ମହାବଳ ବାଘର ଗତିବିଧି ଉପରେ ନଜର ରଖାଯାଇଥିବା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।
ବାଘକୁ ଠାବ କରିବା ପାଇଁ ଘଟଗାଁ ବନାଞ୍ଚଳରେ ୩୦ଟି କ୍ୟାମେରା ଲଗାଯାଇଛି । ୱାଇଲ୍ଡ ଲାଇଫ୍ ଟ୍ରଷ୍ଟକୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ବାଘ ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ଏହାର ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ ବନ କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକ ।
Follow Us