କନକ ବ୍ୟୁରୋ: ଦିନକ ପରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ । ଶେଷ ପର୍ଯ୍ୟାୟରେ ସବୁ ପ୍ରସ୍ତୁତି । ଏବେ ଠାରୁ ରାମମୟ ହୋଇଗଲାଣି ଅଯୋଧ୍ୟା ନଗରୀ । ଭଜନ-କୀର୍ତନରେ ଭକ୍ତିମୟ ହୋଇଛି ସାରା ପରିବେଶ । ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ଯେତେ ପାଖଉଛି, ଭକ୍ତ ସେତେ ବିଭୋର ହୋଇ ପଡ଼ୁଛନ୍ତି । ଦେଶ ବିଦେଶରୁ ଆସୁଛି ଶ୍ରୀରାମଙ୍କ ପାଇଁ ସ୍ୱତନ୍ତ୍ର ଉପହାର । ସେପଟେ ଆଜି ଗର୍ଭଗୃହର ଶୁଦ୍ଧିକରଣ କରାଯିବ । ଗୁରୁବାର ଠାରୁ ଆରମ୍ଭ ହୋଇଥିବା କର୍ମକାଣ୍ଡର ସବୁ ପୂଜା ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠାନ ଜାରି ରହିବ ।

୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ରାମଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ସମାରୋହ ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ଶେଷ ହେବ । ୨୨ ତାରିଖ ପାଇଁ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ଯୋଗୀ ସରକାର । ସେହିଦିନ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।