ଚୋରର ମଣିଷପଣିଆ ! ଟଙ୍କା ନେଇଗଲା, ଅଭିଯୋଗ ପରେ ଲାଇସେନ୍ସ ଫେରାଇଲା ।

26

କେବେ ଆପଣ ଆରଟିଓ ଅଫିସକୁ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପାଇଁ ଯାଇଛନ୍ତି କି ? ଯଦି ଯାଇଛନ୍ତି, ତେବେ ଆପଣଙ୍କ ମନେ ଥିବ ଯେ, କିଭଳି ଆପଣଙ୍କୁ ଏସଏସସିରେ ଚାକିରୀ ପାଇବା ଭଳି ପରୀକ୍ଷା ଦେବାକୁ ପଡିଥାଏ । ସେଥିରେ ଲାଲ, ହଳଦିଆ, ସବୁଜ ବତି ସହ ଯୋଡି ହୋଇଥିବା ପ୍ରଶ୍ନ ରହିଥାଏ । ୱାନ ୱେ ଅର୍ ଟୁ ୱେ, ନୋ ଏଣ୍ଟ୍ରି ଭଳି ଅନେକ ପ୍ରଶ୍ନ ପଚରାଯାଇଥାଏ । ଏସବୁଥିରେ ପାସ ହେବା ପରେ ଆପଣଙ୍କୁ କାର ଚଲାଇବା ଠାରୁ ଆରମ୍ଭ କରି ଆହୁରି କେତେ ପ୍ରକାର ଟେଷ୍ଟ ଦେବାକୁ ପଡିଥାଏ । ଆଉ ତା ପରେ ଯାଇ ଆପଣଙ୍କୁ ଆପଣଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଥାଏ । ଆଉ ଯଦି ଏତେ ପରିଶ୍ରମ ପରେ ମିଳିଥିବା ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସକୁ ଚୋର ନେଇଯାଏ, ତେବେ ଏହା ଠାରୁ ବଡ ସମସ୍ୟା ଆଉ କିଛି ନାହିଁ ।

ଏହି ସମସ୍ୟା ଜଣେ ମହିଳାଙ୍କ ପାଖକୁ ଆସିଥିଲା । ମହାରାଷ୍ଟ୍ର ପୁଣେ ଠାରେ କୋଣ୍ଡବା ନାମକ ଏକ ଅଞ୍ଚଳ ଅଛି । ସେଠାକାର ଜଣେ ମହିଳା ସ୍ୱପ୍ନା ଦେ, ଯାହାଙ୍କର ନିଜର ଏକ ବ୍ୟୁଟିକ ଅଛି । ତାଙ୍କ ପୁଅ ରୋଜଗାର କରୁଥିବାରୁ ନିଜ ମାଙ୍କୁ ୧୭ଲକ୍ଷ ଟଙ୍କାର ଏକ କାର କିଣି ଦେଇଛନ୍ତି । ମା ଏବେ ସେହି କାରରେ ଯାଆସ କରନ୍ତି । ମାର୍ଚ୍ଚ ୧୭ ତାରିଖରେ ମଧ୍ୟ ସ୍ୱପ୍ନା ନିଜ ଗାଡିରେ ଯାଇ ନିଜ ବ୍ୟୁଟିକରେ ଥିଲେ । ସନ୍ଧ୍ୟା ପାଖାପାଖି ୫ଟା ସମୟରେ ସ୍ୱପ୍ନା ନିଜ ବ୍ୟୁଟିକ ବନ୍ଦ କରି କାରରେ ରେସ କୋର୍ସ ଯାଇଥିଲେ । ସେଠାରେ ଗାଡି ପାର୍କ କରି ବୁଲାବୁଲି କରିବା ପାଇଁ ବାହାରିଥିଲେ । ଯେତେବେଳେ ସେ ଫେରିଥିଲେ, ସେତେବେଳେ ଦେଖିଲେ ଯେ, ତାଙ୍କ ଗାଡିର କାଚ ଭାଙ୍ଗିଯାଇଛି । ଏବଂ ଗାଡିରେ ରଖିଥିବା ପର୍ସଟି ଗାୟବ ହୋଇଯାଇଛି । ପର୍ସରେ ୧୭୦୦୦ ଟଙ୍କା ଏବଂ କିଛି ଜରୁରୀ କାଗଜପତ୍ର ଥିଲା । ଯେଉଁଥିରେ ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ସାମିଲ ଥିଲା ।

ଆଉ ଏହା ପରେ ସ୍ୱପ୍ନା ବାନବଡୀ ପୋଲିସ ଷ୍ଟେସନରେ ପହଞ୍ଚି ଏତଲା ଦାୟର କଲେ । ସେ ପୋଲିସକୁ ମଧ୍ୟ କହିଥିଲେ ଯେ, ପର୍ସ ମିଳୁ କି ନମିଳୁ କିନ୍ତୁ ତାଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଟି ମିଳିଯାଉ । ପୋଲିସ ମଧ୍ୟ ସ୍ୱପ୍ନାଙ୍କୁ ଆଶ୍ୱାସନା ଦେଇଥିଲା ଓ ଏହା ପରେ ସେ ଘରକୁ ଫେରି ଯାଇଥିଲେ । କିନ୍ତୁ ବିନା ଲାଇସେନ୍ସରେ କାର ଚାଲିପାରିବନି । ତେଣୁ ମାର୍ଚ୍ଚ ୩୦ ତାରିଖରେ ସ୍ୱପ୍ନା ନିଜେ ଆରଟିଓ ଅଫିସ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ଘରୁ ବାହାରୁଥିବା ସମୟରେ ସେଠାରେ ଜଣେ ଡାକବାଲା ପହଞ୍ଚିଲେ ଏବଂ ଏକ ଲଫାପା ଦେଇଗଲେ । ଆଉ ଯେତେବେଳେ ସେ ଲଫାପା ଖୋଲିଥିଲେ, ସେଥିରେ ତାଙ୍କର ସେହି ଡ୍ରାଇଭିଙ୍ଗ ଲାଇସେନ୍ସ ଥିଲା, ଯାହାକି ଚୋରୀ ହୋଇଯାଇଥିଲା । ଆଉ ଏହା ପରେ ଯେଉଁ ସ୍ୱପ୍ନା ଚୋରକୁ ଗାଳି ଦେଉଥିଲେ ସେ ଏବେ ଚୋରକୁ ଦୟାବାନ ବୋଲି କହିବା ଆରମ୍ଭ କଲେ । ସ୍ୱପ୍ନା ଚୋରକୁ ଦୟାବାନ କହିଲେ ମଧ୍ୟ ସେ ଏକ ଚୋର । ଡ୍ରାଇଭିଙ୍ଗ ଲାଇସେନ୍ସ ଫେରାଇ ଦେବାରୁ ସ୍ୱପ୍ନାଙ୍କ ସମସ୍ୟା କିଛି ମାତ୍ରାରେ ଦୂର ହୋଇଗଲା ସତ କିନ୍ତୁ ଚୋରର ଅପରାଧ ନୁହେଁ । ପୋଲିସ ଏହି ମାମଲାରେ ଯେଉଁ ତଦନ୍ତ କରୁଥିଲା ଏବେ ମଧ୍ୟ ତଦନ୍ତ ଜାରି ରହିବା ଦରକାର ।