କନକ ବ୍ୟୁରୋ: ହୁହୁ ହୋଇ ଜଳୁଛି ନିଆଁ । ନିଆଁରେ ଜଳି ପୋଡ଼ି ଛାରଖାର ହୋଇଯାଇଛି ସବୁ କିଛି । ଜଙ୍ଗଲ ଜଳିଛି, ଜନବସତି ଜଳିଛି । ଭୟଙ୍କର ଅଗ୍ନିକାଣ୍ଡର ଭୟାନକ୍ ଚିତ୍ର ଆସିଛି, ହାୱାଇ ଦ୍ୱୀପରୁ । ପଶ୍ଚିମ ଆମେରିକାର ପ୍ରଶାନ୍ତ ମହାସାଗର ଭିତରେ ଥିବା ଏହି ଦ୍ୱୀପରେ ଭୟଙ୍କର ନିଆଁ ଲାଗିଛି । ଆମେରିକାର ମୁଖ୍ୟଭୂମିଠାରୁ ପ୍ରାୟ ୨ ହଜାର ମାଇଲ ଦୂରରେ ଥିବା ଏହି ଦ୍ୱୀପର ଭୟଙ୍କର ଚିତ୍ର ସବୁ ଆସିବାରେ ଲାଗିଛି । ଗୋଟିଏ ସପ୍ତାହରୁ ଅଧିକ ସମୟ ହୋଇଯାଇଥିଲେ ସୁଦ୍ଧା ନିଆାଁ ସଂପୂର୍ଣ୍ଣ ଆୟତ ହୋଇନାହିଁ । ଧୂଆଁ ଓ ନିଆଁରେ ଛାରଖାର ହୋଇଯାଇଛି ଜନବସତି ଓ ଜଙ୍ଗଲ । ଆକାଶମାର୍ଗରୁ କଏଦ ହୋଇଥିବା ଚିତ୍ର ହିଁ ବୟାନ କରୁଛି, ସ୍ଥିତି କେଉଁ ଭଳି ରହିଛି । ଯେତେଦୂର ଯାଏଁ ନିଆଁ ବ୍ୟାପିଛି, ସେଠି ଆଉ କିଛି ନାହିଁ । ବସତି ପୋଡ଼ି ପାଉଁଶ ହୋଇଯାଇଛି । ନିଆଁର ଭୟାବତାକୁ ଦୃଷ୍ଟିରେ ରଖି ୧୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟର ଉପତ୍ୟକା ପାଲଟି ଯାଇଛି ହାୱାଇ ଦ୍ୱୀପ । ଜୀବନର ସତା ଯେମିତ ପ୍ରଭାବିତ ଅଂଚଳରୁ ଗାୟବ ହୋଇଯାଇଛି । ଆକାଶମାର୍ଗରୁ ଉତୋଳନ ହୋଇଥିବା ଭିଡିଓ ଏବଂ ସାଟେଲାଇଟ୍ ଜରିଆରେ କଏଦ ହୋଇଥିବା ଫଟୋଚିତ୍ର ଅଗ୍ନିକାଣ୍ଡର ଭୟାବହତାକୁ ବୟାନ କରୁଛି । ଏହି ନିଆଁରେ ସର୍ବାଧିକ ପ୍ରଭାବିତ ହୋଇଛି ଐତିହାସିକ ଲୁହାନିଆ ସହର । କୁହାଯାଉଛି, ଗତ ଶହେ ବର୍ଷ ଭିତରେ ଆମେରିକାରେ ଏଭଳି ଜଙ୍ଗଲ ନିଆଁ ଦେଖିବାକୁ ମିଳିନଥିଲା । ପ୍ରଶାସନିକ ସୂଚନା ଅନୁସାରେ ବର୍ତମାନ ସୁଦ୍ଧା ୨୭ ହଜାରରୁ ଅଧିକ ଘର ତଥା ନିର୍ମାଣ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ଶହେ ଜଣ ଲୋକଙ୍କ ମୃତ୍ୟୁ ହୋଇଯାଇଛି । ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି । ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ ଅଂଚଳରେ ସମସ୍ତ ସେବା ଓ ସୁବିଧା ଭୁଶୁଡ଼ି ଯାଇଛି । ସୂଚନା ଅନୁସାରେ ୯୫%ପ୍ରତିଶତ ବିଜୁଳି ସେବା ପ୍ରଭାବିତ ହୋଇଛି । ଯଦିଓ ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ । କିନ୍ତୁ ଆମେରିକାରେ ଜଙ୍ଗଲରେ ୮୫ ପ୍ରତିଶତ ମଣିଷକୃତ ଅଗ୍ନିକଣ୍ଡ ହୋଇଥାଏ । ତେବେ ହାୱାଇ ଦ୍ୱୀପ ଜଙ୍ଗଲ ନିଆଁରେ ବି ମଣିଷର ସଂପୃକ୍ତି ଥାଇପାରେ ବୋଲି ଆଶଙ୍କା କରାଯାଉଛି ।