କନକ ବ୍ୟୁରୋ: ସୁନା ଲରମ୍ଭାର ସୁନା ପୁଅକୁ ଝୁରୁଛି ଗାଁ । ସହିଦ ଯବାନଙ୍କ ପାଇଁ ସମସ୍ତଙ୍କ ଆଖିରେ ଲୁହ । ଶୋକାକୂଳ ପରିବେଶରେ ସହିଦଙ୍କ ଜନ୍ମମାଟି । ପରିବାର ଓ ସମ୍ପର୍କୀୟଙ୍କ ଅବସ୍ଥା ନକହିଲେ ଭଲ । କାଳେ ଅଚେତ୍ ହୋଇଯିବେ, ସେଇ ଆଶଙ୍କା କରି, ମଝିରେ ମଝିରେ ପାଣି ଦିଆଯାଉଛି । ସହିଦ ଯବାନଙ୍କୁ ବିଦାୟ ବେଳାରେ ଶୋକାକୂଳ ପରିବେଶ । ବରଗଡ଼ ଜିଲ୍ଲା ବାଘପାଲି ବା ସୁନା ଲରମ୍ଭା ଗାଁର ନୀଳାଂଚଳ ପଟେଲଙ୍କ ଅନ୍ତିମ ଦର୍ଶନ ପାଇଁ ଲୋକାରଣ୍ୟ ହୋଇଯାଇଥିଲା ପୁରା ଗାଁ । ସମସ୍ତଙ୍କ ମୁହଁରେ ଥିଲା ସହିଦ ଯବାନ ଅମର ରହେ’ର ନାରା ।

Advertisment

ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ଆର୍ମି ଶିବିରରୁ ବିମାନଯୋଗେ କୋଲକତା ଅଣାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ବରଗଡ଼ ଜିଲ୍ଲା ବାଘପାଲି ଗାଁକୁ ଅଣାଯାଇଥିଲା । ଆଉ ଶେଷରେ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପୈତୃକ ଜମିରେ ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଥିଲା ।

୪୮ ବର୍ଷିୟ ନୀଳାଚଂଳ ପଟେଲ୍ ଆସାମ ରାଇଫଲ୍ରେ ମଣିପୁରରେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସେ ସହିଦ ହୋଇଥିଲେ । ଏହି ଖବର ଆସିବା ପରେ ସମଗ୍ର ବରଗଡ଼ ଜିଲ୍ଲାରେ ଶୋକର ଛାୟ ଖେଳିିଯାଇଥିଲା ।