‘ଅମର ରହେ’ ନାରାରେ କମ୍ପିଲା ରାୟଗଡ ସହର । ପତ୍ନୀ, ପୁଅଙ୍କ ସହ ସହିଦ ବିପ୍ଳବଙ୍କୁ ଅଶ୍ରୁଳ ବିଦାୟ ।

1,790

କନକ ବ୍ୟୁରୋ: କର୍ଣ୍ଣେଲ ବିପ୍ଳବ ଅମର ରହେ ନାରାରେ ଫାଟି ପଡୁଥିଲା ପରିବେଶ । ସବୁରି ଆଖିରୁ ଝରିପଡୁଥିଲା ଧାରଧାର ଲୁହ । ଏଭଳି ଶୋକାକୁଳ ପରିବେଶ ଭିତରେ ପତ୍ନୀ ଓ ପୁଅ ସହ ଅନ୍ତିମ ବିଦାୟ ନେଲେ ସହିଦ ବିପ୍ଳବ ତ୍ରିପାଠୀ । ମଣିପୁରରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କର୍ଣ୍ଣେଲ ବିପ୍ଳବଙ୍କ ସହ ତାଙ୍କ ପତ୍ନୀ ଅନୁଜା ଦେବୀ ଓ ୫ ବର୍ଷର ପୁଅ ଅବୀରଙ୍କ ସୋମବାର ଅପରାହ୍ନରେ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।

ମଣିପୁରରେ ମାଓବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କର୍ଣ୍ଣେଲ ବିପ୍ଳବଙ୍କ ସହ ତାଙ୍କ ପତ୍ନୀ ଅନୁଜା ଓ ୫ ବର୍ଷର ପୁଅ ଅବୀରଙ୍କ ପାର୍ଥୀବ ଶରୀର ସୋମବାର ଅପରାହ୍ନରେ ଇମ୍ଫାଲରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଜିନ୍ଦଲ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରେ ସେନା ଅଧିକାରୀଙ୍କ ସମେତ ମନ୍ତ୍ରୀଗଣ ପୁଷ୍ପଚକ୍ର ଅର୍ପଣ କରିଥିଲେ ।ଏହାପରେ ସହିଦ ବିପ୍ଳବ ଓ ତାଙ୍କ ପୁଅ, ପତ୍ନୀଙ୍କ ପାର୍ଥୀବ ଶରୀରକୁ ରାୟଗଡ ସ୍ଥିତ ତାଙ୍କ ଘରକୁ ପଠାଯାଇଥିଲା । ରାୟଗଡ ସହରର ପ୍ରତିଟି ଇଲାକାରେ ରାସ୍ତାରେ ଯାତାୟାତ ବନ୍ଦ କରାଯିବା ସହ ସମସ୍ତ ବ୍ୟବସାୟ ସ୍ଥଳୀକୁ ବନ୍ଦ କରିଦିଆଯାଇଥିଲା । ଏଠିକାର ରାସ୍ତାରେ ଜମିଥିଲା ହଜାର ହଜାର ଲୋକଙ୍କ ଭିଡ ।

ଦୀର୍ଘ ୫ କିଲୋମିଟର ପର୍ଯ୍ୟନ୍ତ ରାସ୍ତାର ମିଝିରେ ମଝିରେ ତାଙ୍କ ପାର୍ଥୀବ ଶରୀରକୁ ନେଇ ଯାଉଥିବା ଭ୍ୟାନକୁ ଅଟକାଇ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।ଏହାପରେ ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନକୁ ନିଆଯାଇଥିଲା ।  ସହରର ପ୍ରତିଟି ରାସ୍ତା ଅତିକ୍ରମ କରି ଶେଷରେ ସହିଦଙ୍କ ପାର୍ଥବ ଶରୀରକୁ ସେଠିକାର ସର୍କିଟ ହାଉସ୍ ସ୍ଥିତ ମୁକ୍ତିଧାମକୁ ନିଆଯାଇଥିଲା । 

ସେଠାରେ ଗାର୍ଡ ଅଫ୍ ଅନର ସହ ଶେଷ କୃତ୍ୟ କରାଯାଇଥିଲା । ସହିଦ ବିପ୍ଳବଙ୍କ ସାନ ଭାଇ ଅନୟ ତ୍ରିପାଠୀ ମୁଖାଗ୍ନି ଦେଇଥିଲେ ।