କନକ ବ୍ୟୁରୋ : ମନ୍ନତରେ ପହଂଚିଲା ଏନସିବି । ଶାହାରୁଖ ଖାନଙ୍କ ଘରେ ପହଂଚିଛି ଏନସିବି ଟିମ୍ । ଏନସିବିର କିଛି ଅଧିକାରୀ ଆଜି ମନ୍ନତରେ ପହଂଚିଥିଲେ । ଶାହାରୁଖ ଖାନଙ୍କ ଘରେ ନୋଟିସ୍ ଲଗାଇଛି ଏନସିବି ଟିମ୍ । ଆରୟନ ଖାନଙ୍କ କୌଣସି ଇଲେକ୍ଟ୍ରୋନିକ୍ସ ଉପକରଣ ଥିଲେ ଦେବା ପାଇଁ ନୋଟିସରେ କୁହାଯାଇଛି । ଆଜି ସକାଳେ ଶାହାରୁଖ ଖାନ୍ ଆର୍ଥର ରୋଡ୍ ଜେଲ ଯାଇ ପୁଅ ଆରୟନଙ୍କୁ ଭେଟିଥିଲେ । ପାଖାପାଖି ୧୫ ମିନିଟ୍ ଜେଲରେ ଆରୟନଙ୍କ ସହ କଥା ହୋଇଥିଲେ ଶାହାରୁଖ ।
ଏହାର କିଛି ସମୟ ପରେ ମନ୍ନତରେ ପହଂଚିଥିଲେ ଏନସିବି ଅଧିକାରୀ । ସେଠାରେ କିଛି କାଗଜପତ୍ର କାମ କରିବା ପରେ ନୋଟିସ୍ ଲଗାଇ ପଳାଇ ଆସିଥିଲେ । ସେହିପରି ଶାହାରୁଖ ଖାନଙ୍କ ସହ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରକୁ ବି ଯାଇଥିଲା ଏନସିବି । ଆରୟନ ଖାନଙ୍କ ହ୍ୱାଟ୍ସଆପ୍ ଚାଟ୍ ଆଧାରରେ ଅନନ୍ୟା ପାଣ୍ଡେଙ୍କ ଘରକୁ ଏନସିବି ଟିମ୍ ଯାଇଥିବା କୁହାଯାଉଛି । ଅନନ୍ୟା ପାଣ୍ଡେଙ୍କୁ ଏନସିବି ସମନ କରିଛି । ତାଙ୍କୁ ପଚରାଉଚରା ପାଇଁ ଏନସିବି ଅଫିସ୍ ଡକାଯାଇଛି । ଏହା ସହ ଅନନ୍ୟା ପାଣ୍ଡେଙ୍କ ଫୋନ୍ ବି ଜବତ କରିଛି ଏନସିବି ।
ଶାହାରୁଖ ଓ ଆରୟନଙ୍କ ମଧ୍ୟରେ ପ୍ରାୟ ୧୫-୨୦ ମିନିଟ କଥାବାର୍ତ୍ତା ହୋଇଥିଲା । ଜେଲ ସୂତ୍ର ମୁତାବକ ଆରୟନ ଓ ଶାହାରୁଖଙ୍କ ମଧ୍ୟରେ ଯେତେବେଳେ ସାକ୍ଷାତ ହୋଇଥିଲା ଉଭୟ ଭାବୁକ ହୋଇପଡିଥିଲେ । ହେଲେ ସେମାନଙ୍କ ମଧ୍ୟରେ କଣ ଆଲୋଚନା ହେଲା ତାହା ପ୍ରକାଶ ପାଇନାହିଁ । କହିରଖୁ କି କରୋନା ମହାମାରୀ ପାଇଁ ଜେଲରେ କୌଣସି କଏଦୀଙ୍କୁ ବାହାର ଲୋକଙ୍କୁ ଭେଟିବାର ସୁଯୋଗ ଦିଆଯାଉନଥିଲା । ହେଲେ ବୁଧବାର ଦିନ ଏହି ନିୟମ ଉଠାଇ ଦିଆଯାଇଛି । ଏହାପରେ ଆଜି ଶାହାରୁଖ ଆରୟନଙ୍କୁ ଭେଟିବାକୁ ଜେଲ ଯାଇଥିଲେ । ଏନେଇ ଜେଲ କର୍ତ୍ତୁପକ୍ଷ ଏକ ଘରୋଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଆର୍ଥର ରୋଡ ଜେଲରେ କଏଦୀ ମାନଙ୍କୁ ଭେଟିବାକୁ ଏକ ସ୍ୱତନ୍ତ୍ର ରୁମର ବ୍ୟବସ୍ଥା କରାଯାଇଛି । ହେଲେ ଏହି ରୁମ ଭିତରକୁ ଭେଟିବାକୁ ଯାଉଥିବା ବାହାର ଲୋକଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଛି ।