କନକ ବ୍ୟୁରୋ : ରକ୍ତ ଚରିତ୍ରର ମୁଖ୍ୟ ଅଭିଯୁକ୍ତ ବୁବୁଙ୍କ ଘରେ ଚାଲିଛି ରେଡ । ଚଢଉ କରିଛି କମିଶନରେଟ୍ ପୋଲିସ । ଘରେ ଚଢଉ ଚାଲିଥିବା ବେଳେ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ ବୁବୁ । ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ରକ୍ତ ଚରିତ୍ର ଗ୍ୟାଙ୍ଗର ବୁବୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ବୁବୁ ଜଣେ ପୋଲିସ କର୍ମଚାରୀଙ୍କ ପୁଅ ବୋଲି ଜଣାପଡିଛି । ଘଟଣାରେ ପୂର୍ବରୁ ୭ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୨ ଜଣ କୋର୍ଟରେ ଆତ୍ମସମର୍ପଣ କରିସାରିଛନ୍ତି ।
ସୋମବାର ରକ୍ତଚରିତ୍ର ଗ୍ୟାଙ୍ଗର ସଦସ୍ୟ ଚେଙ୍ଗ ଘରେ ପୋଲିସ୍ ପଶି ଖୋଳତାଡ଼ କରିବାର ଦିନକ ପରେ ଗତକାଲି କୋର୍ଟରେ ଆତ୍ମସମର୍ପଣ କରଥିଲେ ଦୁଇ ଅଭିଯୁକ୍ତ । ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ ଓରଫ ସନାତନ ବେହେରା । ରାସ୍ତା ଉପରେ ହତିଆର ଧରି ଭୟ ଖେଳାଉଥିବା ଏହି ଅପରାଧୀଙ୍କ ମନରେ ଏବେ ପଶିଛି କମିଶନରେଟ ପୋଲିସର ଭୟ । ଖଣ୍ଡା, ଭୁଜାଲି, ବନ୍ଧୁକ ଧରି ଦଳବଳ ହୋଇ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଥିବା କେବିଏନ୍ ଗ୍ରୁପ୍ର ଚେର ଉପାଡ଼ିବା ପାଇଁ କମିସନରେଟ୍ ପୁଲିସ୍ ଜୋରସୋର୍ରେ ଲାଗି ପଡ଼ିଛି । ୨୯ ଜଣିଆ ଏହି ଦୁର୍ଦ୍ଧର୍ଷ ଗ୍ୟାଙ୍ଗ୍ର ମୋଟ ୯ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରି ସାରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି । ଅପରାଧୀମାନଙ୍କ ଘର ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି ।
ଲଗାତାର ପୋଲିସର ରେଡ୍ ଜାରି ରହିଛି । ଆଜି ମଧ୍ୟ ବୁବୁ ଘରେ ପୋଲିସ ପକ୍ଷରୁ ରେଡ୍ କରାଯାଇଛି । ନୂଆପଲ୍ଲୀ ବ୍ରିଟ୍ କଲୋନିସ୍ଥିତ ଏକ ସରକାରୀ ଜମିରେ ଥିବା ସଂଜୟ ଘରେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆପଲ୍ଲୀ ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ମିଳିତ ଭାବେ ଚଢ଼ଉ କରିଥିଲେ। ସଂଜୟର ୨ଟି ଘରର ସିଲିଂ ଓ ଆଜବେଷ୍ଟସ୍ ଭଙ୍ଗା ଯାଇଥିଲା । ଏସିପି ସଂଜୀବ ଶତପଥୀ ଓ ଆଇଆଇସି ଶରତ ସାହୁ ପ୍ରାୟ ୩ ଘଣ୍ଟା ଧରି ଖାନତଲାସି କରି ସେଠାରୁ ଗୋଟିଏ ଖଣ୍ଡା ଜବତ କରିଛନ୍ତି । ମାତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭୟାନକ ଭିଡିଓରେ ଥିବା ବହୁସଂଖ୍ୟକ ମାରଣାସ୍ତ୍ର ବର୍ତ୍ତମାନ ବି ପୁଲିସ ହାତରେ ଲାଗି ପାରିନାହିଁ ।
ବୁବୁ ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅ ଓ ଗ୍ୟାଙ୍ଗ୍ର ମଙ୍ଗ ଧରିଥିବାରୁ ତା’ ଉପରେ ସମସ୍ତଙ୍କ ନଜର । ଆପତତଃ ସେ ଧରାପଡ଼ିଲେ, ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ପୁଲିସକୁ ଏକ ବଡ଼ ସଫଳତା ମିଳିବ ବୋଲି କୁହାଯାଉଛି । କାରଣ ବୁବୁ ହିଁ ବିଭିନ୍ନ ଅଞ୍ଚଳରୁ ମାରଣାସ୍ତ୍ର ଓ ଚୋରା ବନ୍ଧୁକ ଆଣି ଗ୍ୟାଙ୍ଗ୍ ସଦସ୍ୟଙ୍କୁ ଯୋଗାଉଥିଲା । ଏପରିକି ବିଭିନ୍ନ ଦୋକାନଠୁ ଆରମ୍ଭ କରି ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ବଟି ଆଦାୟ କରିବା ପାଇଁ ଗ୍ରୁପ୍ରେ ଅପରାଧୀଙ୍କ ସଂଖ୍ୟା ବଢ଼ାଇ ଚାଲିଥିଲା । ଖାଲି ସେତିକି ନୁହେଁ, ନିଜ ଅପରାଧର ସାମ୍ରାଜ୍ୟ ବିସ୍ତାର ପାଇଁ ସହଯୋଗୀଙ୍କ ସହ ମିଶି ନିଶା କାରବାର ମଧ୍ୟ ଚଳାଇଥିଲା ।