କଳାହାଣ୍ଡି ଝରଣୀ ଗାଁରେ ବିଜେପି ପ୍ରତିନିଧି ଦଳ : ମମିତା ମେହେରଙ୍କ ପରିବାରକୁ ଭେଟି କଲେ ଆଲୋଚନା

ମୃତଦେହ ମିଳିଥିବା ଷ୍ଟାଡିୟମ୍, ମହାଲିଙ୍ଗ କଲେଜକୁ ଯାଇ କରିବେ ସ୍ଥିତି ଅନୁଧ୍ୟାନ; ପୁଲିସର ତଦନ୍ତ ପ୍ରକିୟା ନେଇ ଉଠାଇଲେ ପ୍ରଶ୍ନ

107

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିଛନ୍ତି । ବିଜେପି ଟିମ୍ ମମିତାଙ୍କ ପରିବାରକୁ ଭେଟିବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତିି ।

ସୂଚନା ଅନୁଯାୟୀ, ଏହି ଟିମ୍ ସ୍ଥାନୀୟ ଲୋକ ଓ ପୁଲିସ ପ୍ରଶାସନ ସହ ମଧ୍ୟ ମମିତା ମୃତ୍ୟୁ ଘଟଣା ଓ କଲେଜ କେଳେଙ୍କାରୀ ଘଟଣା ଉପରେ ଆଲୋଚନା କରିବେ । ଏହାପରେ ମହାଲିଙ୍ଗ କଲେଜ ଓ ମୃତଦେହ ଉଦ୍ଧାର ହୋଇଥିବା ଷ୍ଟାଡିୟମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର, ବିଧାୟକ ମୋହନ ମାଝୀ , ବିଧାୟକ ମୁକେଶ ମହାଲିଙ୍ଗଙ୍କ ସମେତ ଦଳର କିଛି ବରିଷ୍ଠ ନେତା ଯାଇଛନ୍ତି ।

ତେଜୁଛି ଆନ୍ଦୋଳନ ଓ ପ୍ରତିବାଦ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ମୁଖ୍ୟ ସହଯୋଗୀ ରାଧେଶ୍ୟାମକୁ ଗିରଫ କରାଯାଇଥିଲେ ବି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ବିରୋଧୀ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କର ସମ୍ପର୍କ ଅତି ଘନିଷ୍ଠ ହୋଇଥିବାରୁ ମନ୍ତ୍ରୀ ପଦରେ ରହିଲେ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି କହି ଆସୁଛନ୍ତି ବିରୋଧୀ ।

ଏହି ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ଥିବାରୁ ତାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ ଜାରି ରଖିଛି ବିଜେପି । ଆଜି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ସମସ୍ତ ଏସପି ଅଫିସ ଘେରାଉ କରାଯିବ । । ଯେପର୍ଯ୍ୟନ୍ତ ତାଙ୍କୁ ବହିଷ୍କାର ଓ ଗିରଫ କରାଯାଇ ନାହିଁ ବିଜେପି ଯୁବମୋର୍ଚ୍ଚା ତାର ଆନ୍ଦୋଳନ ଜାରି ରଖିବ ବୋଲି ଚେତାବନୀ ଦେଇଛି । ମମିତାଙ୍କ ପରିବାର ଲୋକଙ୍କ ଦାବି ସତ୍ୱେ ମନ୍ତ୍ରୀଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି ଯୁବ ମୋର୍ଚ୍ଚା ।