କନକ ବ୍ୟୁରୋ: ଦିନେ ଶିଶୁ ମନ୍ଦିରରେ ଶିକ୍ଷକତା କରୁଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାକୁ ପାଠ ପଢାଉଥିଲେ । ହେଲେ ଏବେ ସେ ହେବାକୁ ଯାଉଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ଅନେକଙ୍କୁ ଆଜି ବି ବୋଧହୁଏ ଅଜଣା ଥିବ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଥିବା ମୋହନ ମାଝୀ ନିଜ ବୃତ୍ତିଗତ ଜୀବନରେ ପ୍ରଥମେ ଏକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ଭାବେ ଚାକିରି କରୁଥିଲେ ।
୫୨ ବର୍ଷୀୟ ମୋହନ ଚରଣ ମାଝୀ ଓଡିଶାର ୧୫ ତମ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟରେ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ବିଧାୟକ ଦଳ ବୈଠକରେ ସମସ୍ତ ବିଧାୟକ ତାଙ୍କୁ ନେତା ଭାବେ ନିର୍ବାଚନ କରିଛନ୍ତି । ଆଉ ନବୀନ ପଟ୍ଟନାୟକଙ୍କ ଦୀର୍ଘ ବର୍ଷର ଶାସନ ପରେ ଏବେ ଓଡିଶାରେ ଆରମ୍ଭ ହେବାକୁ ଯାଉଛି ମୋହନ ସରକାର ।
ଶିକ୍ଷକରୁ ସରପଞ୍ଚ
ଶିକ୍ଷକତା ପରେ ମୋହନ ମାଝୀଙ୍କ ରାଜନୈତିକ କ୍ୟାରିୟର ଜଣେ ସରପଞ୍ଚ ଭାବେ ଆରମ୍ଭ ହେଇଥିଲା । ୧୯୯୭-୨୦୦୦ ମସିହା ପର୍ୟ୍ୟନ୍ତ ସେ ସରପଞ୍ଚ ଭାବେ କାର୍ୟ୍ୟ କରିଥିଲେ । ଏହାପରେ ସେ ୨୦୦୦ ମସିହା ସାଧାରଣ ନିର୍ବାଚନରେ ବିଧାୟକ ଭାବେ କେନ୍ଦୁଝରରୁ ନିର୍ବାଚିତ ହେଇଥିଲେ ।
ଆରଏସଏସ ସହ ମଜଭୁତ୍ ସମ୍ପର୍କ
ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଥିବା ମୋହନ ଚରଣ ମାଝୀଙ୍କର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହ ଏକ ମଝବୁତ୍ ସମ୍ପର୍କ ରହିଆସିଛି । ଚାରିଥର ବିଧାୟକ ରହିଥିବା ମୋହନ ମାଝୀ ଆରଏସଏସର ସ୍ୱଂୟସେବକ ରହିଥିଲେ । ଖାଲି ସେତିକି ନୁହେଁ, ବିରୋଧୀ ଆସନରେ ବିଜେପି ଥିବାବେଳେ, ସେ ଦଳର ମୁଖ୍ୟ ସଚେତକ ରହିଥିଲେ । ଆଉ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ।
ପାଖାପାଖି ୨ କୋଟି ଟଙ୍କାର ମାଲିକ ମୋହନ ମାଝୀ
୨୦୨୪ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ସୂଚନା ମୁତାବକ, ମୋହନ ଚରଣ ମାଝୀଙ୍କ ମୋଟ ସମ୍ପତ୍ତି ହେଉଛି ୧ କୋଟି ୯୭ ଲକ୍ଷ ଟଙ୍କା । ଏହାସହ ତାଙ୍କ ଉପରେ ୯୫.୯୮ ଲକ୍ଷ ଟଙ୍କାର ଋଣ ଭାର ମଧ୍ୟ ରହିଛି । ତା ସହିତ ୯ଟି ଭିନ୍ନ ଭିନ୍ନ ବ୍ୟାଙ୍କରେ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ପାଖାପାଖି ୧୦ ଲକ୍ଷରୁ ଅଧିକ ଟଙ୍କା ଜମା ରହିଛି । ତାଙ୍କ ପତ୍ନୀଙ୍କ ନାମରେ ଏସବିଆଇରେ ୫୧ ଲକ୍ଷ ଟଙ୍କାର ଏକ ଫିକ୍ସଡ୍ ଡିପୋଜିଟ୍ ରହିଛି ।
୨୦୦୦ ମସିହାରେ ପ୍ରଥମ ଥର ବିଧାୟକ
ସୂଚନା ମୁତାବକ, ୨୦୦୦ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୧,୪୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜଗଦିଶ ନାଏକଙ୍କୁ ୨୨,୧୬୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳ ଭାଙ୍ଗିବା ଯାଏଁ କାର୍ଯ୍ୟ କରିଥିଲେ ।
୨୦୦୪ ରେ ଲଗାତାର ଦ୍ୱିତୀୟ ଥର ବିଧାୟକ
ଏହାପରେ ୨୦୦୪ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୬,୧୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ମାଧବ ସରଦାରଙ୍କୁ ୧୧,୦୦୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ । ଏହି ବିଧାନସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହା ଯାଏଁ କାର୍ଯ୍ୟ କରିଥିଲେ ।
୨୦୦୯,୨୦୧୪ ନିର୍ବାଚନରେ ପରାଜୟ
୨୦୦୯ ମସିହାର ଓଡ଼ିଶା ବିଧାନସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୨୯,୨୦୨ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଶୁଭମ ନାଏକ ତାଙ୍କୁ ୭,୨୬୯ ଖଣ୍ଡ ଭୋଟରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମଧ୍ୟ ମୋହନ ମାଝୀ ପରାଜିତ ହେଇଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୪୭,୨୮୩ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହି ପରାଜିତ ହୋଇଥିଲେ । ବିଜୁ ଜନତା ଦଳର ପ୍ରାର୍ଥୀ ଅଭିରାମ ନାଏକ ତାଙ୍କୁ ୮,୬୭୬ ଖଣ୍ଡ ଭୋଟରେ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
୨୦୧୯,୨୦୨୪ରେ ଲଗାତାର ବିଜୟ
ଗତ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ମୋହନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କେନ୍ଦୁଝର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଆଉ ଏଥର ମଧ୍ୟ ସେ ସେହି ସମାନ କେନ୍ଦୁଝର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ହେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/33-2.jpg)