ପେସାରେ ଅଧ୍ୟାପକ, ହେଲେ ନିଶା ପାଲଟିଛି କୃଷି ଓ ଗୋ-ପାଳନ । ଜୈବିକ ପଦ୍ଧତିରେ ଚାଷ କରି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଧାନଦିଆ ଗାଁର ପ୍ରଣବ କୁମାର ପାତ୍ର

165

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଧାନଦିଆ ଗାଁର ପ୍ରଣବ କୁମାର ପାତ୍ର । ପ୍ରଣବ ପେସାରେ ଜଣେ ଅଧ୍ୟାପକ । କରୋନା ମହାମାରୀ ସମୟରେ ଘର ପାଖରେ ଥିବା ୫ ଏକର ଜମିରେ ପରିବା ଚାଷ ଆରମ୍ଭ କରିଥିଲେ ପ୍ରଣବ । ପରିବା ଚାଷ ଭଲ ଲାଭ ଦେବାରୁ ଆରମ୍ଭ କରିଛନ୍ତି ଇଂଟିଗ୍ରେଟେଡ ଫାର୍ମ । ଗୋଟିଏ ଏକର ଜମିରେ ପୋଖରୀ ଖୋଳିି ରୋହି, ଭାକୁର ମାଛ ଚାଷ କରୁଛନ୍ତି । ପୋଖରୀ ହୁଡାରେ ସପୁରି, ନଡିଆ, ଆମ୍ବ, କଦଳୀ ଲଗାଇଛନ୍ତି । ୩ ହଜାର ସ୍କୋୟାରଫୁଟ ଜମିରେ ପାଳଛତୁ ଚାଷ କରିଛନ୍ତି । ୯ଶହ ସ୍କୋୟାର ଫୁଟ ଜମିରେ ୨ଟି ଜୈବ ମତ୍ସ୍ୟ କୁଣ୍ଡରେ ଚାଇନା କଉମାଛ ଚାଷ କରିଛନ୍ତି । ଏଥିସହ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ଫଳାଇଛନ୍ତି ସୁନାର ଫସଲ । ତା ସହ ୨ ହଜାର ସ୍କୋୟାର ଫୁଟ ଜମିରେ ରଂଗ ବେରଂଗର ଗେଣ୍ଡୁ ଫୁଲ ଚାଷ କରିଛନ୍ତି ପ୍ରଣବ । ନିଜେ ଲାଭବାନ ହେବା ସହ ୬ଜଣଙ୍କୁ କର୍ମ ନିଯୁକ୍ତି ଦେଇ ପାରିଛନ୍ତି । ବାପା କୃଷି ଅଧିକାରୀ ଥିଲେ । ବାପାଙ୍କ ଠାରୁ କୃଷି କାର୍ଯ୍ୟ ପାଇଁ ପ୍ରେରଣା ପାଇ ଚାଷ ପ୍ରତି ଆଗ୍ରହ ବଢିଛି ବୋଲି ପ୍ରଣବ କହିଛନ୍ତି ।

ପନି ପରିବା ଚାଷ, ଛତୁ ଚାଷ କରିବା ସହ ଉନ୍ନତ କିସମର ଗୋପାଳନ କରିଛନ୍ତି ପ୍ରଣବ । ଗାଇ ଗୋବରକୁ ଜୈବିକ ଖତ ଭାବେ ବ୍ୟବହାର କରୁଛନ୍ତି । ଇଂଟିଗ୍ରେଟେଡ ଫାର୍ମରେ ଗାଇ, ମାଛ, ପନିପରିବା, ଫଳ, ଫୁଲ ଚାଷ ସହ ହଂସ ଓ ବତକ ଆଦି ଚାଷ ମଧ୍ୟ କରୁଛନ୍ତି । ଅଧ୍ୟାପକ ପ୍ରଣବ ସାର୍ ଛୁଟି ଦିନରେ ଚାଷ କାମର ତଦାରଖ କରନ୍ତି ।

କୃଷି ବିଭାଗ ଓ ମତ୍ସ୍ୟବିଭାଗର ଅଧିକାରୀ ବିଭିନ୍ନ ସମୟରେ ଏହି ଫାର୍ମରେ ପହଁଚି ବୈଷୟିକ ସହାୟତା ପ୍ରଦାନ କରିଥାନ୍ତି । ଏହି ଚାଷରୁ ସେ ମାସକୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ପ୍ରଣବ ସାରଙ୍କ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।