ବଡଦାଣ୍ଡରେ ଗଡିଲା ରଥ…ଗୁଣ୍ଡିଚା ଘର ଅଭିମୁଖେ ବାହାରିଲା ‘ତାଳଧ୍ୱଜ’: ରଥ ଟାଣି ନେଉଛନ୍ତି ସେବାୟତ ଓ ପୁଲିସ୍; ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଚତୂର୍ଦ୍ଧାମୂର୍ତ୍ତି

223

କନକ ବ୍ୟୁରୋ: କରୋନା କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱରେ କରୋନା ମହାମାରୀ ଭିତରେ ପୁରୀରେ କଟକଣା ଯୁକ୍ତ ତଥା ବିନା ଭକ୍ତରେ ରଥଯାତ୍ରା  ପାଳନ କରିବାକୁ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେବା ପରେ ଶ୍ରୀକ୍ଷେତ୍ରରେ ଚାଲିଛି ରଥଯାତ୍ରା । ନିଘଂଟ ସମୟରେ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଭୋର ୭ଟାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସବା ଶେଷରେ ସଂପନ୍ନ ହୋଇଥିଲା ବିଶ୍ୱ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କର ପହଣ୍ଡିବିଜେ ନୀତି । ଏହାପରେ ପୁରୀ ଗଜପତି ମହାରାଜ ଆସି ରଥାରୁଢ ତିନି ଠାକୁରଙ୍କ ତିନି ରଥରେ ସୁନା ଝାଡୁ ଧରି ଛେରା ପହଁରା ନୀତି ସଂପନ୍ନ କରିଛନ୍ତି ।

 

ବଡଦାଣ୍ଡରେ ଗଡିଲା ରଥ । ଘଂଟ ହୁଳହୁଳି ଏବଂ ହରିବୋଲ ସହ ଆରମ୍ଭ ହୋଇଛି ରଥଟଣା । ତେବେ ପ୍ରଥମେ ବଡଠାକୁର ତଥା ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ବଡଦାଣ୍ଡରେ ଗଡିବା ଆରମ୍ଭ କରିଛି । ତେବେ କୋଭିଡ ନିୟମ ପାଳନ କରି ସେବାୟତମାନେ ରଥଯାତ୍ରା ସମସ୍ତ ନୀତିକାନ୍ତି କରୁଥିବା ବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥରେ ମାତ୍ର ୧୦ ଜଣ ସେବାୟତ ଅବସ୍ଥାନ କରିଛନ୍ତି । ସେହିଭଳି ଗୋଟିଏ ରଥକୁ ୫୦୦ ଜଣ ଟାଣୁଥିବା ବେଳେ ଗୋଟିଏ ରଥ ମଧ୍ୟରେ ଘଂଟାଏ ବ୍ୟବଧାନରେ ଆଉ ଗୋଟିଏ ରଥ ଗଡିବା ନେଇ ନିଷ୍ପତି ହୋଇଛି । ସେହିପରି ରଥ ଟଣା ସମୟରେ ମଧ୍ୟ ସାମାଜିକ ଦୂରତ୍ୱକୁ ବି ଗୁରୁତ୍ୱ ଦିଆଯାଇଥିବା ଦେଖିବାକୁ ମିଳିଛି ।  ଏହି କ୍ରମରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ବଡଦାଣ୍ଡରେ ଗଡିଛି ।