ଆଲ୍ଲାଙ୍କ ନାଁ ନେଲେ ସମୁଦ୍ର ମଝିରେ ପୁଅକୁ ଫିଙ୍ଗିଦେଲେ ବାପା । ହୃଦୟ ବିଦାରକ ଦୃଶ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

3,748

କନକ ବ୍ୟୁରୋ: ସମୁଦ୍ର ମଝିରେ ଜୀବନ ମୃତ୍ୟୁର ଖେଳ । ଆଲ୍ଲାଙ୍କ ନାଁ ନେଇ ସମୁଦ୍ର ମଝିରେ ପୁଅର ମୃତହେଦକୁ ଫିଙ୍ଗିଦେଲେ ବାପା । ସୋସିଆଲ ମିଡିଆରେ ଜଣେ ଅସହାୟ ବାପାର ଏପରି ଦୃଶ୍ୟ ଦେଖିବା ପରେ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି । ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ମଧ୍ୟ ଚିନ୍ତା ପ୍ରକଟ କରିଛି ।

ଘଟଣା କିଛି ଏପରି । ତୁର୍କୀରେ କ୍ରମାଗତ ଶୀତଳ ଯୁଦ୍ଧ ଲାଗିଥିବାରୁ ଏଠିକାର ଲୋକେ ଅନ୍ୟତ୍ର ପଳାୟନ କରୁଛନ୍ତି । ସେହିପରି ତୁର୍କୀର ଏକ ସହରରୁ ଇଟାଲୀକୁ ଦୀର୍ଘ ସମୁଦ୍ର ପଥରେ ପଳାୟନ କରୁଥିଲେ କିଛି ପ୍ରବାସୀ । ଏକ ନୌକାରେ ୩୦ରୁ ଅଧିକ ପ୍ରବାସୀ ବସି ଯାଉଥିବାବେଳେ ସମୁଦ୍ର ମଝିରେ ଆରମ୍ଭ ହୋଇଯାଇଥିଲା ମୃତ୍ୟୁର ଖେଳ ।

ନୌକାରେ ଯାଉଥିବାବେଳେ ସମୁଦ୍ର ମଝିରେ ଖାଦ୍ୟ , ପାଣି ଓ ଇନ୍ଧନ ଶେଷ ହୋଇଯାଇଥିଲା । ଶେଷରେ ଭୋକ , ଶୋଷ ମେଣ୍ଟାଇବାକୁ ସମୁୁଦ୍ର ପାଣି ପିଇଥିଲେ । ହେଲେ ଏହା ସେମାନଙ୍କୁ ସୁହାଇ ନଥିଲା । ପ୍ରବାସୀଙ୍କ ମଧ୍ୟରୁ କିଛିଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଇ ସଂକ୍ରମଣ ହୋଇଥିଲା । ଫଳରେ ୬ଜଣ ପ୍ରବାସୀଙ୍କର ନୌକାରେ ହିଁ ମୁତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଥିଲେ ୩ଜଣ ମହିଳା ଓ ୩ ଜଣ ଶିଶୁ ।

ଇଟାଲୀ ମାଟିରେ ପହଞ୍ଚି ଆପଣାର ଲୋକଙ୍କୁ କବର ଦେବାକୁ ଭାବି ମୃତଦେହ ଗୁଡିକୁ ରଖିଥିଲେ ବି କ୍ରମେ ସେଥିରୁ ଦୁର୍ଗନ୍ଧ ବାହାରିଥିଲା । ଆଉ ତା’ ପରେ ଯାହା ହେଲା ଆପଣ ଜାଣିଲେ ଆଖିରୁ ଲୁହ ଝରିଆସିବ । ମୃତଦେହ ଗୁଡିକ ପଚିବା ଆରମ୍ଭ କରିବାରୁ ସେମାନଙ୍କ ଆତ୍ମୀୟମାନେ ମୃତଦେହ ଗୁଡିକୁ କପଡାରେ ଗୁଡାଇ ସମୁଦ୍ରରେ ଫିଙ୍ଗିଦେବାକୁ ବାଧ୍ୟ ହୋଇଥିଲେ ।
ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଅସହାୟ ବାପା ନିଜ ପୁଅର ମୃତଦେହକୁ କପଡାରେ ଗୁଡାଇ ସମୁଦ୍ର ଫିଙ୍ଗି ଦେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ବୟାନ କରୁଛି ଯେ, ସେ ସମୟର ପରିସ୍ଥିତି କେତେ ଭୟାନକ ହୋଇଥିବ ।

କୁନି ପୁଅକୁ ସମୁଦ୍ର ମଝିରେ ଫିଙ୍ଗିଦେଉଥିବା ବ୍ୟକ୍ତି ଜଣକ ସିରିୟାର ମୂଳ ବାସିନ୍ଦା । ଯିଏ ଏକ ନୂଆ ଜୀବନ ଆରମ୍ଭ କରିବାକୁ ନିଜ ପରିବାର ସହ ସିରିୟା ଛାଡି ସୁମଦ୍ର ପଥରେ ଇଟାଲୀ ପଳାୟନ କରୁଥିଲେ । ହେଲେ ସମୁଦ୍ର ମଝିରେ ଭୋକରେ ଆଉଟୁପାଉଟୁ ହୋଇ ପ୍ରାଣ ହରରାଇଥିବା କୁନି ପୁଅକୁ ସମୁଦ୍ରରେ ହିଁ ସଲିଳ ସମାଧି ଦେବାକୁ ବାଧ୍ୟ ହୋଇଥିଲେ । ପୁଅକୁ ସମୁଦ୍ର ମଝିରେ ଫିଙ୍ଗିବା ବେଳେ ତାଙ୍କ ପାଟିରୁ ବାହାରିଥିଲା ‘ଆଲ୍ଲା’ଙ୍କ ନାଁ । ତାଙ୍କ ସହ ମିଶି ନୌକାରେ ଥିବା ସମସ୍ତ ପ୍ରବାସୀ ‘ଆଲ୍ଲା ହୁ ଅକବର’ ବୋଲି ଡାକିଥିଲେ ।

ଅନ୍ୟପଟେ ସମୁଦ୍ର ମଝିରେ ସିରିୟାର ପ୍ରବାସୀ ଫଶି ରହିଥିବା ଖବର ପାଇ ସେମାନଙ୍କୁ ଉଦ୍ଧାର କରିବାକୁ ଇଟାଲୀର ଏକ ଜାହାଜ ଯାଇ ପହଞ୍ଚିଥିଲା । ଏବଂ ବଞ୍ଚିରହିଥିବା ଅନ୍ୟ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି(ୟୁଏନଏଚସିଆର) ଏଥିରେ କ୍ଷୋଭ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି ଏହାର ଜଣେ ସଦସ୍ୟ ।