ତୁର୍କୀ ଭୂମିକମ୍ପରୁ ଆସୁଛି ଆଶ୍ଚର୍ଯ୍ୟ ଘଟଣା। ୧୪ଦିନ ପରେ ମାଟି ତଳୁ ମିଳୁଛି ଜୀବନ।

125

କନକ ବ୍ୟୁରୋ: କଥାରେ ଅଛି ରଖେ ହରି ତ ମାରେ କିଏ? ତୁର୍କୀରେ ଏ ଘଟଣା ସତ ପ୍ରମାଣିତ ହୋଇଛି । ପ୍ରଳୟଙ୍କାରୀ ଭୂକମ୍ପକୁ ବିତିଛି ୧୫ ଦିନ । ଏହାରି ଭିତରେ ଧ୍ୱଂସ ସ୍ତୁପ ତଳୁ ମଣିଷ ଜୀବନ୍ତ ଭାବେ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭୁକମ୍ପରେ ତୁର୍କୀର ଛାତିଫାଟି ପଡିଥିବା ବେଳେ, ଭଙ୍ଗାକୋଠା ତଳୁ ଏକ ଦମ୍ପତିଙ୍କୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଛି । ଦୀର୍ଘ ୧୪ ଦିନ ନ ଖାଇ ନ ପିଇ ଧ୍ୱଂସାବଶେଷ କୋଠା ତଳେ ଚାପି ହୋଇରହିଥିଲେ ଏହି ଦମ୍ପତି । ଜୀବନ ବଞ୍ଚାଇବା ପାଇଁ ବାଧ୍ୟହୋଇ ନିଜ ପରିସ୍ରା ପିଇ ଆସୁଥିଲେ । ପ୍ରତି ମୂହୂର୍ତରେ ଜୀବନ ଜିଇଁବା ସେମାନଙ୍କ ପାଇଁ ସଂଘର୍ଷ ପାଲଟିଥିଲା । ଶେଷରେ ଦୀର୍ଘ ୨୯୬ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାରକାରୀ ଦଳ ସେମାନଙ୍କୁ ରେସ୍କ୍ୟୁ କରିବାରେ ସଫଳ ହୋଇଛି । ଉଦ୍ଧାର ପରେ ଏହି ଦମ୍ପତିକୁ ହସ୍ପିଟାଲରେ ଭର୍ତି କରାଯାଇଛି । ସେମାନଙ୍କ ସହ ତାଙ୍କର ଏକ ୧୨ ବର୍ଷୀୟ ପୁଅ ଉଦ୍ଧାର କରାଯାଇଥିଲେ ବି ଡାକ୍ତର ତାଙ୍କୁ ବଞ୍ଚାଇ ପାରିନାହାନ୍ତି ।

ସେପଟେ ତୁର୍କୀରୁ ଭାରତ ଫେରିଲେ ‘ଅପରେସନ ଦୋସ୍ତ’ର ଶେଷ ଦଳ । ବିମାନ ବନ୍ଦରରେ କର ତାଳି ସହ ସେନାକୁ ବିଦାୟ ଜଣାଇଲେ ତୁର୍କୀ ବାସିନ୍ଦା । ଭାରତୀୟ ସେନା ସେଠାରେ ପ୍ରଂଶସନୀୟ କାମ କରି ସ୍ଥାନୀୟ ଲୋକଙ୍କ ମନ ଜିତିଥିବା ବେଳେ ତୁର୍କୀ ସରକାର ମଧ୍ୟ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ‘ଅପରେସନ ଦୋସ୍ତ’ନାଁରେ ଭାରତ ତୁର୍କୀକୁ ୩ଟି ଟିମ୍ ପଠାଇଥିଲା, ଯେଉଁଥିରେ ୧୫୧ ଏନଡିଆରଏଫ ସଦସ୍ୟ ଓ ୬୦ପାରା ମେଡିକାଲ ଷ୍ଟାପ୍ ସାମିଲ ରହିଥିଲେ । ଏମାନଙ୍କ ସହ ସାହାସୀ ସନ୍ଧାନୀ ଡଗ ସ୍କାର୍ଡ ବି ସାମିଲ ଥିଲା । ଭୂକମ୍ପରେ ଭଙ୍ଗା କୋଠା ତଳେ ଚାପି ହୋଇଥିବା ଜୀବନକୁ ଉଦ୍ଧାର କରିବାରେ ବେଶ୍ ଗୁରୁତ୍ୱ ବହନ କରୁଥିଲା ଏହି ଟିମ୍ । ବିପର୍ଯ୍ୟୟ ବେଳେ ଦିନ ରାତି ଅହରହ ପରିଶ୍ରମ କରି ଉଦ୍ଧାର କରିବା ପରେ ଏବେ ଦେଶକୁ ଫେରିଛନ୍ତି ସାହାସୀ ବୀର ।

ଭଙ୍ଗାକୋଠା ତଳେ ଚାପି ହୋଇଥିବା ଜୀବନ ସାହାର୍ଯ୍ୟ ଅପେକ୍ଷାରେ ଚାହିଁ ରହିଁଥିଲା । ଆଉ ପ୍ରଥମ ଦେଶ ଭାବେ ଭାରତ ହିଁ ଉଦ୍ଧାର ପାଇଁ ଆଗେଇ ଆସିଥିଲା । ତୁର୍କୀର ବିପଦ ବେଳେ ପ୍ରକୃତସାଥୀ ଭଳି ପାଖରେ ଛିଡା ହୋଇଛି ଭାରତ । ଭାରତୀୟ ସେନା ଓ ଏନଡିଆରଏଫ ଟିମ୍ ‘ଅପରେସନ୍ ଦୋସ୍ତ’ ନାଁରେ ଅଭିଯାନ ଆରମ୍ଭ କରି ମାଟିତଳୁ ଲୋକଙ୍କୁ ଉଦ୍ଧାର କରିଛି ।