କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ । ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ 

239

କନକ ବ୍ୟୁରୋ: କମ୍ପ୍ୟୁଟର ସାଇନ୍ସ ଗ୍ରାଜୁଏଟରୁ ସଫଳ ଆମ୍ବ ଚାଷୀ  । ଶୁଣିଲେ ଆଶ୍ଚର୍ୟ୍ୟ ଲାଗୁଥିବ ନିଶ୍ଚୟ  । ଉଚ୍ଚ ଶିକ୍ଷା ପରେ ଭୁବନେଶ୍ୱରରେ ଚାକିରୀ କରୁଥିଲେ  । କିନ୍ତୁ କରୋନା ପରେ ପରେ ଚାକିରି ଛାଡ଼ି ଚାଷରେ ମନ ଦେଇଛନ୍ତି କୋରାପୁଟ ଲକ୍ଷ୍ମୀପୁର ମାର୍ୱବାଇଗୁଡାର ଯୁବ ଚାଷୀ ସ୍ୱାଗତ ସାହୁ  । ବାପା ଆରମ୍ଭ କରିଥିବା ନିଜ ଫାର୍ମରେ ଭଳିକି ଭଳି ହାଇବ୍ରୀଡ଼ ଆମ୍ବ ଫଳାଇ ଏବେ ଚର୍ଚ୍ଚାରେ ସ୍ୱାଗତ  । ଚାଷକାମ ଯାହାର କି ଆନନ୍ଦ ତାହାର  । ଏହି କଥାକୁ ସାର୍ଥକ କରି ଦେଖେଇଛନ୍ତି ସ୍ୱାଗତ  ।

ଗତ ପାଂଚ ବର୍ଷ ତଳେ ବାପାଙ୍କ ସହ ମିଶି ଲଗାଇଥିବା ଗଛରେ ଆମ୍ବ ଫଳିଲାଣି ।  ଏବେ ଏହି ଆମ୍ବ ଚାଷକୁ ଦୁଇଗୁଣ କରିବା ଲକ୍ଷ୍ୟରେ ସ୍ୱାଗତ  । ବାଡ଼ିରେ ଥିବା ୧୫୦ ଆମ୍ବ ଗଛରୁ ଏବେ ଭଲ ଦି ପଇସା ରୋଜଗାର ହେଉଛି  । ତେଣୁ ଆଉ ଚାକିରୀକୁ ନଫେରି ଉଦ୍ୟାନ କୃଷିରେ ମନ ବଳାଇଛନ୍ତି ଏହି ଯୁବଚାଷୀ ଜଣଙ୍କ  । ପଡିଆ ଥିବା ବାକି ଜମିରେ ହାଇବ୍ରୀଡ଼ ଆମ୍ବ ଚାଷ କରି ନିଜେ ଜଣେ ସଫଳ ଆମ୍ବ ଚାଷୀ ହେବାକୁ ସେ ଅଂଟା ଭିଡିଛନ୍ତି  ।

ଚାଷ ପ୍ରତି ଯୁବ ପିଢ଼ିଙ୍କ ଆକର୍ଷଣ କମୁଛି  ।  କିନ୍ତୁ ସ୍ୱାଗତଙ୍କ ପରି ଯୁବ ପ୍ରତିଭାଙ୍କ ପାଇଁ କୃଷି ଏକ ନୂଆ ପରିଚୟ ପାଇ ପାରୁଛି  । ଉଚ୍ଚ ଶିକ୍ଷା ପରେ ବି ସେ ଚାଷକାମରେ ମନବଳାଇ ଛନ୍ତି  । ଅନ୍ୟ ସଫଳ ଚାଷୀଙ୍କ ଠାରୁ ପରାମର୍ଶ ନେଇ ନିଜେ ଆରମ୍ଭ କରିଛନ୍ତି ହାଇବ୍ରୀଡ଼ ଆମ୍ବ ଚାଷ  ।

ଆମ୍ବ ଚାଷକୁ ଆଗକୁ ବଢ଼ାଇବା ନେଇ ଭବିଷ୍ୟତ ପାଇଁ ଅନେକ ଯୋଜନା ରଖିଛନ୍ତି ସ୍ୱାଗତ, ଆଉ ଏଦିଗରେ ଆଗକୁ ବଢ଼ିଚାଲିଛନ୍ତି ।