ଖାକି ବାବୁଙ୍କ ନିଆରା ପ୍ରତିବାଦ। ବଦଳିରେ ଅସନ୍ତୁଷ୍ଟ ହୋଇ ଦୌଡିଲେ ୬୫ କିମି । ରାସ୍ତାରେ ହେଲେ ଚେତାଶୂନ୍ୟ

କହିଲେ ବଡ ଅଫିସରଙ୍କ ରାଗରୁ କରାଯାଉଛି ବଦଳି

221

କନକ ବ୍ୟୁରୋ: ଚାକିରୀ କରିଥିଲେ ବଦଳି ଅଛି । ଏହି କଥା ଚାକିରୀଆଙ୍କ ପାଇଁ ଏକ ପ୍ରକ୍ରିୟାଗତ ଘଟଣା ବୋଲି ଧରିନେବାକୁ ହୁଏ । ତେବେ ଉତ୍ତରପ୍ରଦେଶରେ ବଦଳିକୁ ନେଇ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଉତ୍ତରପ୍ରଦେଶ ପୋଲିସରେ ଚାକିରୀ କରିଥିବା ଜଣେ ଏସଆଇଙ୍କୁ ପୋଲିସ ଲାଇନ୍ ଥାନାରୁ ବିଥାଉଲିକୁ ବଦଳି କରାଯାଇଥିଲା । ତେବେ ଏହାକୁ ନେଇ ତୀବ୍ର ଅସନ୍ତୁଷ୍ଟ ହୋଇଥିଲେ ଏସଆଇ ବିଜୟ ପ୍ରତାପ । ପ୍ରତିବାଦରେ ଦୌଡି ଦୌଡି ପୋଲିସ ଲାଇନ୍ ଥାନାରୁ ଦୌଡି ଦୌଡି ବାହାରିଥିଲେ ବିଥାଉଲି ପୋଲିସ ଷ୍ଟେସନକୁ ।

ଦୁଇ ପୋଲିସ ଷ୍ଟେସନ ମଧ୍ୟରେ ଦୂରତା ୬୫ କିମି । ଯାହାକୁ ଅତିକ୍ରମ କରିବାକୁ ଦୌଡି ଦୌଡି ବାହାରିଥିଲେ ବିଜୟ ପ୍ରତାପ । ଶେଷରେ ଅଣନିଶ୍ୱାସୀ ହୋଇ ସେ ରାସ୍ତାରେ ଦୌଡିବା ଅବସ୍ଥାରେ ମୁର୍ଛା ଯାଇଥିଲେ । ସେଠାରୁ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଉତରପ୍ରଦେଶ ପୋଲିସରେ ଜଣେ ପୋଲିସ କର୍ମଚାରୀ ବଦଳିକୁ ଯେଭଳି ଭାବରେ ପ୍ରତିବାଦ କରିଛନ୍ତି ତାକୁ ନେଇ ଚର୍ଚା ଜୋର ଧରିଛି । ପୋଲିସ ଏସଆଇ ବିଜୟ ପ୍ରତାପଙ୍କ କହିବା କଥା ତାଙ୍କୁ ଆକ୍ରୋଶମୂଳକ ଭାବେ ଉପରିସ୍ଥ ଅଧିକାରୀ ଏଭଳି ବଦଳି କରାଇଛନ୍ତି । ଯାହାକୁ ସେ ପ୍ରତିବାଦ କରିବାକୁ ଯାଇ ଏପରି ରାସ୍ତା ବାଛିଛନ୍ତି ।