କେବଳ ସୋନୁଙ୍କ ପାଇଁ ଚାଲିଲେ ୭୦୦ କିଲୋମିଟର । ହାଇଦ୍ରାବାଦରୁ ଚାଲି ଚାଲି ମୁମ୍ବାଇରେ ପହଞ୍ଚିଲେ ଛାତ୍ର । କହିଲେ ମତେ ସାହାଯ୍ୟ ନକଲେ ବି ମୁଁ ସୋନୁଙ୍କୁ ଭେଟିବି ।

228

କନକ ବ୍ୟୁରୋ: ଗରିବଙ୍କ ଭଗବାନ, ଅସହାୟଙ୍କ ସାହା ଆଉ ଦୁଃଖିଙ୍କ ଦାତା । ହଁ ଆଜ୍ଞା ସେ କେହି ନୁହନ୍ତି ସେ ହେଉଛନ୍ତି ସୋନୁ ସୁଦ । ବିପଦରେ ପଡି ଡାକିଲେ ସେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ ବରଂ ଆଗକୁ ଆସି ସାହାଯ୍ୟର ହାତ ବଢାନ୍ତି । କରୋନା କାଳରେ ଦେବଦୂତ ସାଜି ସେ ଲୋକଙ୍କୁ ସାହାଯ୍ୟ କରିଥିଲେ । ଆଉ ସେହି ଋଣକୁ କେବେ ବି ଭୁଲି ପାରୁ ନାହାନ୍ତି ଶ୍ରମିକମାନେ । ଆଜି ବି ନିଜ ଦୁଃଖ ଜଣାଇବା ପାଇଁ ଲୋକମାନେ ତାଙ୍କ ଦୁଆରେ ପହଞ୍ଚୁଛନ୍ତି ।

ଏଭଳି ନିସ୍ୱାର୍ଥପର ପରୋଉପକାର ଯୋଗୁଁ କେବଳ ଶ୍ରମିକ ନୁହେଁ ଯୁବକ-ଯୁବତୀଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଏବେ ସମସ୍ତେ ତାଙ୍କ ଫ୍ୟାନ । ଏବେ ଏମିତି ଏକ ଚିତ୍ର ପୁଣି ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଜାଣିପାରିବେ ସୋନୁଙ୍କ ପ୍ରତି ଲୋକମାନଙ୍କ କେତେ ଭଲ ପାଇବା ରହିଛି । ଜଣେ ଛାତ୍ର ସୋନୁ ସୁଦଙ୍କୁ ଭେଟିବାକୁ ହାଇଦ୍ରାବାଦରୁ ମୁମ୍ବାଇ ୭୦୦ କିଲୋମିଟରେ ପାଦରେ ଚାଲି ପହଞ୍ଚିଛନ୍ତି । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ସୋନୁଙ୍କୁ ଭେଟିବା ।

ସୂଚନା ଅନୁସାରେ ଛାତ୍ରଟି ହାଇଦ୍ରାବାଦର ଭେଙ୍କଟେଶ ବୋଲି ଜଣାପଡିଛି । ପିଲାଟି ବେଳୁ ଭେଙ୍କଟେଶ ନିଜ ମାକୁ ହରାଇଛି । ଆଉ ଏବେ ତାଙ୍କ ବାପା ଅସୁସ୍ଥ ଅଛନ୍ତି । ତାଙ୍କର ଡର ରହିଛି ଯେ ସେ ଅନଥା ନ ହୋଇଯାଆନ୍ତୁ । ଏନେଇ ଛାତ୍ର ଜଣକ କହିଛନ୍ତି ଯେ ସୋନୁ ସୁଦ ମତେ ସାହାଯ୍ୟ କରନ୍ତୁ ବା ନକରନ୍ତୁ ମୋର ଗୋଟିଏ ଲକ୍ଷ୍ୟ ତାଙ୍କୁ ଭେଟିବା ।

ଏ ବିଷୟରେ ଜାଣିବା ପରେ ସୋନୁ ସୋସିଆଲ ମିଡିଆରେ ଲେଖିଥିଲେ, ତୁମ ସମସ୍ତଙ୍କ ଭଲ ପାଇବା ଯୋଗୁଁ ଧନ୍ୟବାଦ । ଦୟାକରି ଏଭଳି କରି ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ । ମୁଁ ଜାଣେ ଆପଣ ମାନେ ମତେ ବହୁତ ଭଲ ପାଆନ୍ତି ଆଉ ମୁଁ ବି ଆପଣଙ୍କୁ ବହୁତ ଭଲ ପାଏ ।

ଶେଷରେ ପାଦରେ ଚାଲି ସୋନୁଙ୍କ ଘରେ ପଞ୍ଚିଥିଲେ ଛାତ୍ର ଜଣକ । ଆଉ ତାଙ୍କୁ ଭେଟିବାକୁ ଯାଇଥିଲେ ସୋନୁ । ସୋନୁ ଛାତ୍ର ଜଣକୁ ଭେଟିବା ସହ ତାଙ୍କ ଭଲ ମନ୍ଦ ବୁଝିଥିଲେ । ତାଙ୍କ ସହ ଫଟୋ ଉଠାଇ ଟ୍ୱିଟରରେ ମଧ୍ୟ ସେୟାର କରିଥିଲେ । ଆଉ କହିଥିଲେ ସତରେ ତମେ ମୋ ପାଇଁ ପ୍ରେରଣା ।

କରୋନା କାଳରେ ଯେତେବେଳେ ଲୋକମାନେ ଅସୁବିଧାରେ ପଡିଥିଲେ, ସେତେବେଳେ ଆଗେଇ ଆସିଥିଲେ ସୋନୁ । ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କୁ ଗାଡି କରି ନିଜ ଘରକୁ ପଠାଇଥିଲେ । ସେବେଠୁ ଏହି ସାହାଯ୍ୟ କରିବାର ଅଭିଯାନ ଜାରି ରଖିଛନ୍ତି ଏହି ରିୟଲ ହିରୋ । ଗରିବଙ୍କୁ ଚିକିତ୍ସାଠୁ ଆରମ୍ଭ କରି ପାଠପଢା ସବୁ କ୍ଷେତ୍ରରେ ସାହାଯ୍ୟ ପାଇଁ ହାତ ବଢାଉଛନ୍ତି ସୋନୁ ସୁଦ ।