କନକ ବ୍ୟୁରୋ : ଫ୍ରି ଫାୟାର ଖେଳ ଜଣେ ପରେ ଜଣେ ଯୁବକଙ୍କ ଜୀବନ ନେବାରେ ଲାଗିଛି । ଏହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଜଗତସିଂପୁର ଜିଲ୍ଲା ଜୟବଡ ଗ୍ରାମରେ ଜଣେ ପିଲା ଫ୍ରି ଫାୟାର ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯୁବକ ଜଣଙ୍କ ପିନ୍ଧିଥିବା ଲୁଗାକୁ ବେକରେ ବାନ୍ଧି ପଙ୍ଖାରେ ଝୁଲି ପଡିଥିବା କଥା ପରିବାର ଲୋକେ କହିଛନ୍ତି । ମୃତ ଯୁବକଙ୍କ ନାମ ଅରବିନ୍ଦ ଦାଶଙ୍କ ଏକମାତ୍ର ପୁଅ ଆଦିତ୍ୟ ନାରାୟଣ ଦାସ ।

Advertisment

ସୂଚନା ମୁତାବକ କିଛିଦିନ ହେବ ଆଦିତ୍ୟ ଗୁମସୁମ ରହୁଥିଲେ । ପରିବାର ଲୋକଙ୍କ ସହ ଠିକରେ ମିଳା ମିଶା କରୁନଥିବା କଥା ପରିବାର ଲୋକେ କହିଛନ୍ତି । ଏହାସହ ସେ ପ୍ରାୟ ସମୟ ନିଜ ମୋବାଇଲ ସହ ନିମଗ୍ନ ରହୁଥିଲେ । ପୋଲିସର ପ୍ରାଥମିକ ତଦନ୍ତ ବେଳେ ଆଦିତ୍ୟଙ୍କର ଜଣେ ବନ୍ଧୁ ସେ ଫ୍ରି ଫାୟାର ଖେଳୁଥିବା କଥା କହିଛନ୍ତି । ହେଲେ ମୃତ ଆଦିତ୍ୟଙ୍କ ଶବ ପାଖରୁ ପୋଲିସକୁ କୌଣସି ମୋବାଇଲ ମିଳି ନାହିଁ ।

ଏଭଳି ଖବର ପାଇବା ପରେ ପୋଲିସ ବି ବିଚଳିତ ହୋଇପଡିଛି । ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଂଚିଥିବା ଏସଆଇ ଭାସଟ୍ ରାୟ କହିଛନ୍ତି କି କିଛିଦିନ ତଳେ ସ୍ଥାନୀୟ ସିପି ଛକରେ କିଛି ପିଲା ଫ୍ରି ଫାୟାର ଖେଳୁଥିବା ସୂଚନା ପାଇଥିଲେ । ଏହି ନାବାଳକମାନେ ନିଜ ନିଜ ଭିତରେ ଟିମ୍ ଗଠନ କରି ଅନଲାଇନ ମାଧ୍ୟମରେ ଏହି ଖେଳ ଖେଳୁଥିଲେ ।

ସେପଟେ ଆଦିତ୍ୟଙ୍କ ମୃତ୍ୟୁ ଏହି ମୋବାଇଲ ଗେମ ଯୋଗୁଁ ହୋଇଛି କି ଅନ୍ୟ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହା ଉପରେ ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ।