ତୁର୍କୀ-ଗ୍ରୀସରେ ପ୍ରକୃତିର ତାଣ୍ଡବ । ଭୂକମ୍ପର ଜୋରଦାର ଝଟକାରେ ଗଳିପଡ଼ିଲା ଉଚ୍ଚ ଅଟ୍ଟାଳିକା, ମାଡ଼ିଆସିଲା ସୁନାମୀ ।

302

କନକ ବ୍ୟୁରୋ: ତୁର୍କୀ-ଗ୍ରୀସରେ ପ୍ରକୃତିର ତାଣ୍ଡବ । ଭୂକମ୍ପର ଜୋରଦାର ଝଟକାରେ ଗଳିପଡ଼ିଲା ଉଚ୍ଚ ଅଟ୍ଟାଳିକା, ମାଡ଼ିଆସିଲା ସୁନାମୀ ।ଭୂମଧ୍ୟସାଗରୀୟ ଅଞ୍ଚଳରେ ଥିବା ଏଜିଆନ ସାଗରରେ ରିକ୍ଟର ସ୍କେଲରେ ୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ଖବର ହସ୍ତଗତ ହୋଇଛି । ଏହି ଭୂମିକମ୍ପର ପ୍ରଭାବ ତୁର୍କୀ ଓ ଗ୍ରୀସରେ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ପ୍ରଭାବରେ ଏଜିଆନ ସାଗରରେ ସୁନାମି ସୃଷ୍ଟି ହୋଇଛି ।

ଆମେରିକୀୟ ଓ ୟୁରୋପୀୟ ଭୂବିଜ୍ଞାନ ଏଜେନ୍ସିମାନେ ଏହି ଭୂମିକମ୍ପର ତୀବ୍ରତା ରିଚର ସ୍କେଲରେ ୭ ବୋଲି କହିଛନ୍ତି । ତେବେ ଗ୍ରୀସର  ଭୂବିଜ୍ଞାନ ଏଜେନ୍ସି ଏହି  ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ବୋଲି କହିଛି ।

ଗ୍ରୀକ୍ ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ଏହି ଭୂମିକମ୍ପ ପ୍ରଭାବରେ ଗ୍ରୀସର ସାମୋସ ସହର ଓ ତୁର୍କୀର ଇଜମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ଦୁଇ ସହରରେ ଥିବା ବହୁତଳ କୋଠା ଭୁଶୁଡ଼ିପଡିବା ସହ ରାସ୍ତାଘାଟରେ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପ ଆସିବା ପରେ ଏସବୁ ସହରରେ ରହୁଥିବା ଲୋକମାନେ ଭୟରେ ଏଣେତେଣେ ଦୌଡୁଥିବା ଦେଖାଯାଇଥିଲା ।

ଏହି ଭୂମିକମ୍ପ ଦ୍ବାରା ତୁର୍କୀର ଇଜମୀ ସହର ସମେତ ଆଖପାଖର ଆଉ କେତେକ ଅଞ୍ଚଳ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ଇଜମୀରେ ଅନେକ କୋଠା ଭାଙ୍ଗିଯାଇଥିବାରୁ ସେଥିରେ ଅନେକ ଲୋକ ଫସିରହିଥିବା ଜଣାଯାଇଛି  । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ୪ ଜଣ ଲୋକ ପ୍ରାଣ ହରାଇବା ସହ ୧୨୦ ଜଣ ଆହତ ହୋଇଛନ୍ତି ।