ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ…?

609

କନକ ବ୍ୟୁରୋ: ଏକ ଭୟଙ୍କର ରାତିରେ ମୃତ୍ୟୁ ସହ ଭେଟାଭେଟି ହୋଇଥିଲା ଜୀବନ । ମୃତ୍ୟୁର ମୁହଁରୁ ଜୀବନ ସିନା ସୂତେ ସୂତେରେ ବଞ୍ଚିଗଲା ହେଲେ ଯନ୍ତ୍ରଣାର ଜୁଇରେ ଜାଳି ଦେଇଗଲା ଯମ । ଆଉ ତାପରେ ପଙ୍ଗୁ ପାଲଟିଗଲା ପଶୁ । ଦେହରେ ଆତ୍ମା ଅଛି ସତ ହେଲେ ଅଙ୍ଗ ଅକାମୀ ହୋଇଛି । ଅଣ୍ଟା ଉପରେ କାର ଚଢିଯିବା ପରେ ଚାରି ଗୋଡରୁ ୨ ଗୋଡରେ ଏମିତି ଘୁସୁରି ଘୁସୁରୀ ମରିମରି ଜିଉଁଛି ଏ ଜୀବ । ଥରେ ଦେଖିଲେ ଏ ଦୃଶ୍ୟକୁ କେତେ କଷ୍ଟରେ ବଞ୍ଚୁଛି ଏ କୁକୁର । ତା ଯନ୍ତ୍ରଣାର ଯାତ୍ରା କେଡେ ଯାତନାମୟ ହୋଇଥିବ ତାହା ସେ ହିଁ ଜାଣିଥିବ । ଆଉ ନିରିହ ଆଖିରୁ ଲୁହ ନିଗାଡି ସକାଳରୁ ସଞ୍ଜ ସେଦିନ ରାତିରେ ନିଷ୍ଠୁର ମଣିଷ ରଚିଥିବା ପାଶବିକତାକୁ ମନେ ପକାଉଥିବ ।

ପ୍ରାୟ ମାସେ ତଳେ ରାଜଧାନୀ ରାସ୍ତାରେ ବର୍ବରତା ରଚିଥିଲା ମଣିଷ । ଶୀତୁଆ ରାତିରେ ଭୁବନେଶ୍ୱରର ୟୁନିଟ-୮ରେ ଯେତେବେଳେ କୁକୁରଟିଏ ରାସ୍ତାପାରି ହେଉଥିଲା ଠିକ ସେତିକିବେଳେ ପଛରୁ ଜୋରରେ ଧକ୍କା ଦେଇଥିଲା ଗୋଟେ ଦାମୀକାର । ଜାଣତରେ ହେଉ କି ଅଜାଣତରେ ଶୂନଶାନ ରାସ୍ତାରେ ପଶୁ ପ୍ରତି ପଶୁ ପାଲଟିଗଲା କାର ଚାଳକ । ଧକ୍କା ଦେବା ପରେ ପଶୁକୁ ଆଡ ଆଖିରେ ଚାହିଁ ନଥିଲା ମଣିଷ । କୁକୁରର ଅଣ୍ଟା ମଝିରେ କାର ଚଢାଇ ଦେଇ ଛୁ ମାରିଥିଲା ଚାଳକ । ଏପଟେ ଆଘାତ ପାଇ ଅଧ ରାତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା କୁକୁର । ମଣିଷ ହୋଇଥିଲେ ସିନା ପାଟି ଖୋଲି ଚିକ୍ରାର କରିଥାନ୍ତା, ଲୋକଙ୍କୁ ଡାକି ସୈତାନର ମୁଖା ଦେଖାଇଥାନ୍ତା । ହେଲେ ସେ ପରା ପଶୁ, ପାଟି ଖୋଲିବାକୁ ଭଗବାନ ତାକୁ ଶକ୍ତି ଦେଇନାହାନ୍ତି । ତେଣୁ ଆଖିବୁଜି ମଣିଷର ନିର୍ଯାତନା ସହିବା ତା ନିଅତି ।

ତେବେ ସବୁ ମଣିଷ ଅମଣିଷ ନୁହଁନ୍ତି । ମଣିଷ ଭିତରେ ବି ମଣିଷ ଅଛନ୍ତି ଯେଉଁମାନେ ପଶୁଙ୍କ ପ୍ରତି ଭାରି ଦରଦୀ, ଭାରି ଦୟାବାନ । ସେମିତି ଜଣେ ଦରଦୀମଣିଷ କୁକୁରର ଏ ଦୁଃଖ ଦେଖି ତା ପାଖକୁ ଧାଇଁ ଆସିଥିଲେ । ଆଉ ଦୀର୍ଘ ମାସେ ହେବ ହନ୍ତହନ୍ତ ହେଉଥିବା ଏ କୁକୁରର ସେବା ଯତ୍ନ କରୁଛନ୍ତି ସ୍ଥାନୀୟ ଯୁବକ । ନ୍ୟାସନାଲ ହେଲ୍ଥ ମିଶନ ପରିସରରେ କୁକୁରଟି ରହୁଥିବା ବେଳେ ତାର ସେବା କରୁଛନ୍ତି ଏ ଯୁବକ । ଦୁର୍ଘଟଣାରେ ଘା ଘଉଡ ହୋଇଥିବା ଜାଗାରେ ହଳଦୀ ପକାଇବା ସହ ପିଇବା ପାଇଁ ପାଣି, ଖାଇବାକୁ ଖାଦ୍ୟ ଆଉ ବଞଞ୍ଚିବାର ବ୍ୟବସ୍ଥା ବି କରିଛନ୍ତି । ଆଉ କୁକୁର ମୁଣ୍ଡରେ ସ୍ନେହର ହାତ ବୁଲାଇ ଆଣିବା ବେଳେ ମଥା ଟେକି ଯୁବକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି କୁକୁର ।

କୁକୁର-ମଣିଷର ଏ କରୁଣ କାହାଣୀ ଶୁଣିବା ପରେ, ନିର୍ଦ୍ଦୟତାରୁ ଦୟାବାନର ଏ ଦୃଶ୍ୟ ଦେଖିଲା ପରେ ମନରେ ପ୍ରଶ୍ନ ଆସୁଛି, କାହିଁକି ପଶୁ ପ୍ରତି ଏତେ ନିଷ୍ଠୁର ହୁଏ ମଣିଷ ? ବାଟରେ ଯାଉଥିବା ବୁଲା କୁକୁର ଦେଖିଲେ କିମ୍ବା ନିରିହ ପଶୁ ଉପରେ କାହିଁକି ଗାଡି ଚଢାଇ ଦିଏ ମଣିଷ? ଅଜାଣତରେ ଅଘଟଣ ହେବା ପରେ ବି ଆହତ ପଶୁକୁ କେମିତି ଛାଡି ପଳାଏ ମଣିଷ? ମଣିଷ ଶ୍ରେଷ୍ଠ ଜୀବ ହୋଇ ପଶୁ ପ୍ରତି ଏ କି ପରିଚୟ ଦେଉଛି? ପଶୁ ହୋଇ କଣ ସେମାନେ ପାପ କରିଛନ୍ତି? ନା ମଣିଷ ବୋଲି ଆମେ କିଛି ମାନିବାନି? କଷ୍ଟ ସମସ୍ତଙ୍କ ପାଇଁ ସମାନ, ଆଘାତର ଯନ୍ତ୍ରଣା ସମସ୍ତଙ୍କ ପାଇଁ ଏକାପରି । ପୂର୍ବରୁ ପଶୁଙ୍କ ପ୍ରତି ପାଶବିକତା ଦେଖାଇ ଅନେକ ଦଣ୍ଡିତ ହୋଇଛନ୍ତି, ତେଣୁ ସାବଧାନ । ଆସନ୍ତୁ ପଶୁଙ୍କୁ ସୁରକ୍ଷା ଦେବା, ପଶୁଙ୍କୁ ପ୍ରେମ କରିବା…