ନକ୍ସଲଙ୍କ ହାତରେ ଦା’ ଧାନକେଣ୍ଡା  । ଲାଲକରିଡ଼ର ଛାଡ଼ି ଚାଷ ଜମିରେ ସୁନାର ଫସଲ ଫଳାଉଛନ୍ତି ମାଓ ଦମ୍ପତି ।

ବଦଳିଛି ଚରିତ୍ର , ବଦଳିଛି ସ୍ୱଭାବ । ସ୍ୱାଭିମାନ ସହ ବଂଚିବା ପାଇଁ ଆତ୍ମସମର୍ପଣକାରୀ ମାଓବାଦୀ ମାଓ ଦମ୍ପତି କଲେ ଧାନଚାଷ ।

259

କନକ ବ୍ୟୁରୋ: ଏକଦା ବନ୍ଧୁକ ଧରି ଜଙ୍ଗଲରେ ରାଜ କରୁଥିଲେ ସେମାନେ । ହତିଆର ଧରୁଥିବା ହାତରେ ଏବେ ଦା ଓ ଧାନକେଣ୍ଡା । ଆମେ କହୁଛୁ ସେଇ ଆତ୍ମସମର୍ପଣକାରୀ ମାଓବାଦୀଙ୍କ କଥା, ଯେଉଁମାନେ ସ୍ୱାବଳମ୍ବୀ ହେବା ପାଇଁ ଅଂଟା ଭିଡିଛନ୍ତି । ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ୪ ମାଓ ଦମ୍ପତି ଏବେ ଧାନ ଚାଷ କରି ପେଟ ପୋଶିବା ସହ ଦୁଇ ପଇସା ରୋଜଗାର କରିବା ଲାଗି ରଖିଛନ୍ତି । ଆଉ ଅନ୍ୟ ମାଓବାଦୀଙ୍କୁ ମଧ୍ୟ ଜଙ୍ଗଲି ଜୀବନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଉଛନ୍ତି ।

ଦିନେ ଲାଲଗଡରେ ରାଜ କରୁଥିବା ମାଓବାଦୀ ଆଜି ଜମିରେ ସୁନା ଫଳାଇଛନ୍ତି । ବନ୍ଧୁକ ମୁନରେ ଆତଙ୍କ ଖେଳାଉଥିବା ଟପ କ୍ୟାଡର ମାଓବାଦୀମାନେ ଏବେ ଚାଷୀ ପାଲଟି ଯାଇଛନ୍ତି । ଏକେ–୪୭, ଏସଏଲଆର ଓ ଇନସାସ ଧରୁ ଥିବା ଲାଲଗଡର ଲାଲସେନାଙ୍କ ହାତରେ ଅଛି ଦା-ଧାନକେଣ୍ଡା । ମାଲକାନଗିରି ପୁଲିସ ପାଖରେ ଆତ୍ମସମର୍ପଣ କରିବା ପରେ  ସ୍ୱାଭିମାନ ସହ ବଂଚିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଏହି ଚାରି ମାଓ ଦମ୍ପତି । ଏହି ମାଓ ଦମ୍ପତିମାନେ ପ୍ରଥମ ଥର ପାଇଁ ୧୫ ଏକର ଜମିରେ ଧାନ ଚାଷ କରିଛନ୍ତି । ଆଉ ଏବେ ଅମଳରେ ବ୍ୟସ୍ତ ଅଛନ୍ତି ।  ଏମାନେ ହେଉଛନ୍ତି ପୁର୍ବତନ ମାଓନେତା ସୁର୍ଯ୍ୟ ଓରଫ ରାମା କୱାସୀ ଏବଂ ତାଙ୍କ ପତ୍ନୀ ମାଳତି । ଦିର୍ଘ ୧୫ ବର୍ଷ ଧରି ମାଓ ସଙ୍ଗଠନରେ କାର୍ଯ୍ୟ କରୁଥିବା ଏହି ମାଓଦମ୍ପତି କାଲିମେଳା, ମୋଟୁ ଓ ବୈପାରିଗୁଡା ଥାନା ଅଂଚଳରେ ଆକ୍ରମଣ ପରି ବହୁ ବଡ ବଡ ହିଂସାକାଣ୍ଡରେ ସାମିଲ ଥିଲେ । ବର୍ଷେ ତଳେ ଆତ୍ମସମର୍ପଣ କରି ଏବେ ଚାଷବାସ କରି ସାମନ୍ୟ ଜୀବନ ଯାପନ କରିବାକୁ ପାଦ ବଢାଇଛନ୍ତି ।

ସେହିପରି ମାଓନେତା ସୁକଦେବ ଓରଫ ବୁଦ୍ରା କୱାସୀ ୨୦୦୨ରେ ଲାଲ ସଙ୍ଗଠନରେ ସାମିଲ ହୋଇଥିଲେ । ୨୦୦୮ ତେଲେରାଇ ଆକ୍ରମଣ ପରି ବଡ ବଡ ହିଂସା କାଣ୍ଡ ପଛରେ ରହିଛି ସୁକଦେବଙ୍କ ହାତ  । ତେବେ ସରକାରଙ୍କ ଆହ୍ୱାନ କ୍ରମେ ମାଓ ସଙ୍ଗଠନରୁ ମୁହଁ ଫେରାଇ ସୁକଦେବ ଓ ତାଙ୍କ ସ୍ତ୍ରୀ ଏ.ସି.ଏମ କ୍ୟାଡର ରୁକ୍ମିଣୀ ପୁଲିସ ପାଖରେ ଆତ୍ମସମର୍ପଣ କରିଥିଲେ । ପ୍ରତିଶୃତି ମୁତାବକ ସରକାରଙ୍କ ପକ୍ଷରୁ ଚାକିରି ଓ କାମଧନ୍ଧା ଓ ବେପାର ବାଣିଜ୍ୟ ଲାଗି କୌଣସି ସୁବିଧା ଦିଆଗଲା ନାହିଁ । ତେଣୁ ମାଓବାଦୀମାନେ ସ୍ୱାଭିମାନ ସହ ବଂଚିବା ଲାଗି ଚାଷ ବାସ ଆରମ୍ଭ କରିଛନ୍ତି ।