କାୟା ମେଳୁଛି କରୋନା, ବଢୁଛି ଭୟ: ଦୁନିଆର ୧୩୭ ଦେଶରେ ଦେଢ ଲକ୍ଷରୁ ଅଧିକ ଆକ୍ରାନ୍ତ; ଇରାନ ଓ ଇଟାଲିର ସ୍ଥିତି ଅସମ୍ଭାଳ

ଅନେକ ଦେଶ ଜାତୀୟ ବିପତି ଭାବେ କଲେଣି ଘୋଷଣା

324

କନକ ବ୍ୟୁରୋ: ବିଶ୍ୱରେ କରୋନା ଏବେ ଆତଙ୍କ ସୃଷ୍ଟି କରିଛି । ସାରା ବିଶ୍ୱ ଏବେ ଏହା ୧୩୭ ଦେଶକୁ ବ୍ୟାପି ସାରିଲାଣି । ମିଳିଥିବା ସୂଚନା ଅନୁସାରେ ସାରା ପୃଥିବୀରେ ପ୍ରାୟ ଦେଢ ଲକ୍ଷ ଲୋକ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ଏଯାଏଁ ୫୭୬୪ ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଗୋଟିଏ ପରେ ଗୋଟିଏ ଦେଶ ଏହାକୁ ଜାତୀୟ ବିପତି ବୋଲି ଘୋଷଣା କରୁଛନ୍ତି । ବ୍ରିଟେନରେ ଗତ ୨୪ ଘଂଟାରେ କରୋନା ମୃତ ସଂଖ୍ୟା ୧୧ରୁ ୨୧କୁ ବୃଦ୍ଧି ପାଇଛି ।

ସେହିପରି ନେଦରଲାଣ୍ଡରେ କରୋନା ଆକ୍ରାନ୍ତ ସଂଖ୍ୟା ୯୫୯କୁ ବୃଦ୍ଧି ପାଇଛି । ମଧ୍ୟପ୍ରାଚ୍ୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଇରାନ୍ । ଗୋଟିଏ ଦିନରେ ଇରାନ୍ରେ ଗତକାଲି ୯୭ ଜଣଙ୍କର ମୃତ୍ୟୁ ଘଟିଛି । ଦିନକ ପୂର୍ବରୁ ଇରାନ୍ରେ ୮୫ ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା । ଇରାନ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ୭୨୯ ବୋଲି ଜଣାପଡିଛି । କରୋନାର ସ୍ଥିତିକୁ ନଜରରେ ରଖି ବିଶ୍ୱର ବିଭିନ୍ନ ଦେଶରେ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ।

ସେହିଭଳି ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିଛି । ମିଳିଥିବା ସୂଚନା ଅନୁସାରେ ଭାରତରେ କରେନା ଆକ୍ରାନ୍ତଙ୍କ ସହ ୧୦୦ ଛୁଇଁଛି । ତେବେ ସରକାରୀ ଭାବେ ଏହି ସଂଖ୍ୟା ୮୪ ଥିବା ସୂଚନା ଦିଆଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ତଥ୍ୟ ଦିଆଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରୁ ବଢି ୩୧ ହୋଇଛି । ସେପଟେ କେରଳରେ ଏହି ସଂଖ୍ୟା ୨୨ ରହିଛି । ଅନ୍ୟପଟେ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି । ତେବେ ଗତ ତିନି ଦିନରେ ଭାରତରେ ୨ ଜଣ ହିଁ କରୋନା ସଂକ୍ରମଣରୁ ମରିଛନ୍ତି ।