କନକ ବ୍ୟୁରୋ: ଓମିକ୍ରନ ଉପରେ ବିଜୟ ଲାଭ କରିବ ନୂଆ ଭ୍ୟାକସିନ । ପୁଣେର ଜେନୋଭା ବାୟୋଫାର୍ମାସିଟ୍ୟୁକାଲ କମ୍ପାନୀ ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଭ୍ୟାକସିନ ପ୍ରସ୍ତୁତ କରିଛି ।ଏନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଛି । ଓମିକ୍ରନ ବିରୋଧୀ ଲଢେଇରେ ବ୍ୟବହାର ଉଦ୍ଦେଶ୍ୟରେ ଖୁବ ଶିଘ୍ର ଏହି ଭ୍ୟାକସିନର ପରୀକ୍ଷଣ ଆରମ୍ଭ ହେବ । କମ୍ପାନୀ ପ୍ରଥମ ୨ଟି ପର୍ଯ୍ୟାୟ ପରୀକ୍ଷଣର ବିବରଣୀ ସରକାରଙ୍କୁ ପ୍ରଦାନ କରିସାରିଛି । ୩ହଜାର ଲୋକଙ୍କ ଉପରେ ହୋଇଥିବା ପରୀକ୍ଷଣରୁ ଜଣାପଡିଛି ଯେ ଏହି ଟିକା ଓମିକ୍ରନ ବିରୋଧରେ ବେଶ ପ୍ରଭାବୀ । କମ୍ପାନୀ ନିଜେ ଏହି ଭ୍ୟାକସିନ ପ୍ରସ୍ତୁତି ସହ ଉତ୍ପାଦନ ଲକ୍ଷ୍ୟ ରଖିଛି । ଯଦି ସବୁ କିଛି ଠିକଠାକ୍ ରୁହେ ତେବେ ଖୁବ ଶିଘ୍ର ଓମିକ୍ରନକୁ ମାତ ଦେବା ପାଇଁ ପର୍ଯ୍ୟାପ୍ତ ପରିମାଣର ଟିକା ଉତ୍ପାଦନ ଆରମ୍ଭ ହୋଇଯିବ ।
ଅଦୃଶ୍ୟ ଭୂତାଣୁର ତାଣ୍ଡବକୁ ମାତ ଦେବା ପାଇଁ ସାରା ବିଶ୍ୱ ଦୁଇ ବର୍ଷରୁ ଅଧିକ ସମୟ ହେବ ଲଢେଇ ଜାରି ରଖିଛି । କରୋନା ବିରୋଧୀ ଲଢେଇ ପାଇଁ ସାରା ବିଶ୍ୱରେ ଚାଲିଛି ଟିକାକରଣ କିନ୍ତୁ ଦିନ ଯେତିକି ଗଢୁଛି ସେତିକି ନୂଆ ମ୍ୟୁଟାଂଟ ସହ କରୋନାର ନୂଆ ନୂଆ ରୂପ ଦେଖିବାକୁ ମିଳୁଛି । ଏବେ ଭାରତ ସରକାର ବର୍ତମାନ ଦ୍ରୁତ ବେଗରେ ମାଡି ଚାଲିଥବା କରୋନାର ନୂଆ ଭାରିଆଂଟ ଓମିକ୍ରନକୁ ମାତ ଦେବା ପାଇଁ ନୂଆ ଭ୍ୟାକସିନ ପ୍ରସ୍ତୁତି ଉପରେ ଜୋର ଦେଇଛନ୍ତି ।
କମ୍ପାନୀ ଏହି ନୂତନ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ କରିବାକୁ ଯାଉଥିବାବେଳେ ଏହା ଫଳାଫଳ ଉପରେ ନଜର ରଖିଛି ଡ୍ରଗ ରେଗୁଲେଟର ଅଫ ଇଣ୍ଡିଆ । ଟିକାକରଣ କାର୍ଯ୍ୟକ୍ରମର ସରକାରଙ୍କ ପରାର୍ମଶଦାତା ଗ୍ରୁପର ମୁଖ୍ୟ ଡାକ୍ତର ଏନକେ ଆରୋଡା ଓମିକ୍ରନ ବିରୋଧୀ ଏହି ଟିକା ପ୍ରସ୍ତୁତି ଓ ପରୀକ୍ଷଣ ବାବଦରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ସେପଟେ ଜାତୀୟ କରୋନା ଟାକ୍ସ ଫୋର୍ସ ମୁଖ୍ୟ ତଥା ଆଇଏମଆର ଡିଜି ବଲରାମ ଭାର୍ଗବ କହିଛନ୍ତି କି ଏମଆରଏନଏ ଜ୍ଞାନକୌଶଳରେ ନିର୍ମିତ ଏହି ଭ୍ୟାକସିନର ସମସ୍ତ ପରୀକ୍ଷଣ ଯଦି ସଫଳ ହୁଏ ତେବେ ଏହା କରୋନା ବିରୋଧୀ ଲଢେଇ ପାଇ ଏକ ବଡ ଉପଲବ୍ଧି ହେବ ।
କରୋନାର ଦୁଇଟି ଲହରକୁ ସାମ୍ନା କରି ସାରିଥିବା ଭାରତ ଏବେ ଓମିକ୍ରନ ରୂପରେ ଆସିଥିବା ତୃତୀୟ ଲହରକୁ ନେଇ ଘାଂଟି ହେଉଛି । ଜଙ୍ଗଲ ନିଆଁ ପରି ବ୍ୟାପିଚାଲିଛି ଓମିକ୍ରନ ଭୁତାଣୁ ।ଯଦିଓ ଏହା ଏତେ ଘାତକ ହେଉନି କିନ୍ତୁ ଥଣ୍ଡା, ଜ୍ୱର, କାଶରେ ପଡି ସନ୍ତୁଳି ହେଉଛନ୍ତି ଲୋକେ ।ଆଉ ଏହି ସମୟରେ ଓମିକ୍ରନ ବିରୋଧୀ ଭ୍ୟାକସିନ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂତନ ଆଶା ସଂଚାର କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/34-21.jpg)