ଛତିଶଗଡ ଧାନ ରୋକିବାକୁ ସମ୍ବଲପୁର ସୀମାରେ କଡ଼ା ନଜର । ଗଠନ ହେଲା ସ୍ୱତନ୍ତ୍ର ଟିମ । ୪ଟି ଟିମରେ ଜଣେ ଲେଖାଁଏ ମାଜିଷ୍ଟ୍ରେଟ ଓ ଯୋଗାଣ ବିଭାଗର କର୍ମଚାରୀ

85

କନକ ବ୍ୟୁରୋ : ଛତିଶଗଡି ଧାନ ରୋକିବା ପାଇଁ ଗଠନ ହେଲା ଟିମ୍ । ଖରିଫ ସମୟରେ ଯେମିତି ସମ୍ବଲପୁର ଜିଲ୍ଲାକୁ ଛତିଶଗଡ ଅଂଚଳର ଧାନ ନଆସେ ଏନେଇ ଖାଦ୍ୟ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ପରେ ଚେଇଁଲା ଜିଲ୍ଲା ଯୋଗାଣ ବିଭାଗ । ସମ୍ବଲପୁର ଜିଲ୍ଲାରେ ୪ଟି ସ୍କ୍ୱାର୍ଡ ଗଠନ କରାଯିବା ସହ ସୀମାରେ ରହିବ କଡା ନଜର ।

ଧାନ କିଣାକୁ ସ୍ୱଚ୍ଛ ଓ ଦଲାଲ୍ ମୁକ୍ତ କରିବା ପାଇଁ ନୂଆ ତରିକା । ଓଡିଶା ମଣ୍ଡିରେ ଯେମିତି ଛତିଶଗଡ ଧାନ ବିକ୍ରି ନହୁଏ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛି ସମ୍ବଲପୁର ଜିଲ୍ଲା ପ୍ରଶାସନା । ବେଆଇନ ଧାନ ବିକ୍ରିକୁ ରୋକିବା ପାଇଁ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ରେ ଜିଲ୍ଲା ଯୋଗାଣ ବିଭାଗର ଜଣେ ଲେଖାଏଁ ଅଧିକାରୀ ଓ ମାଜିଷ୍ଟ୍ରେଟ ରହିବେ । ବେଆଇନ ଧାନ ଓଡିଶା ତଥା ସମ୍ବଲପୁର ଜିଲ୍ଲାକୁ କିଭଳି ପ୍ରବେଶ ନକରିବ ସେଦିଗରେ ଧ୍ୟାନ ହେବ ଏହି ଟିମ୍ ।

ଛତିଶଗଡ ଧାନ ଓଡିଶା ମଣ୍ଡିରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ବେଆଇନ୍ ଧାନ ବିକ୍ରି ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲା ଯୋଗାଣ ବିଭାଗ । ସେହି ନିର୍ଦେଶ ଆଧାରରେ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ଜିଲ୍ଲା ସୀମା ଉପରେ ନଜର ରଖିବେ । ଯେଉଁ ଧାନ ଗାଡି ଉପରେ ସନ୍ଦେହ ହେବ ତାର କାଗଜ ପତ୍ର ଯାଂଚ କରାଯିବ । ଯେଉଁ ଗାଡିରେ ଧାନ ପରିବହନ ହେବ ସେହି ଗାଡିର ଉପଯୁକ୍ତ ପରମିଟ ଥିବା ଆବଶ୍ୟକ, ନଚେତ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।