ଗିରଫ ହେଲା ଠକ : ଭଦ୍ରକ ରେଳ ଷ୍ଟେସନ ନିକଟରୁ ଅନିଲକୁ କାବୁ କଲା କମିଶନରେଟ ପୋଲିସର ଟିମ୍; ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ

163

କନକ ବ୍ୟୁରୋ : ଧରାପଡ଼ିଲା ଠକ ଅନିଲ ସାହୁ । କମିଶନରେଟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଭଦ୍ରକ ରେଳ ଷ୍ଟେସନ ପାଖରୁ ଅନିଲକୁ କାବୁ କରିଛି । କନସଲଟାନ୍ସି ସଂସ୍ଥା କରି ଚାକିରୀ କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଲୁଟୁଥିଲା ଅନିଲ । ଏନେଇ ଗତକାଲି ଭୁବନେଶ୍ୱର ମଂଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଆଇସିଏଆର ତଥା ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚରେ ଚାକିରୀ କରାଇଦେବା ନାଁରେ ଲୁଟ କରିଥିବା ଅନୀଲ ସାହୁ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ଥିବା ଅଭିଯୋଗ ହୋଇଛି ।

ଏହି ଘଟଣାରେ ଅନୀଲର ସହଯୋଗୀ ଥିବା ଜଣେ ଯୁବତୀ ଭୁବନେଶ୍ୱରରୁ ଫେରାର ହେଉଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ ଧରାପଡ଼ିଛି । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା ଅନୀଲ । ପ୍ରଥମେ ରେଜିଷ୍ଟ୍ରେସନ ଫିସ, ତାପରେ ଅବଶିଷ୍ଟ ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତିନାମା କରୁଥିଲା ଅନୀଲ । ପଦବୀ ଅନୁସାରେ ଦରମା ବି ଫିକ୍ସି କରିଥିଲା ଠକ । ଭୁବନେଶ୍ୱର ରସୁଲଗଡ ଅଚଂଳରେ ଅନୀଲ ସାହୁ ଅଫିସ ଚଳାଉଥିଲା । ଘଟଣା ପଦାକୁ ଆସିବା ପରେ ଚାକିରୀ ଦେବା ତ ଦୂରର କଥା ଟଙ୍କା ନେଇ ଫେରାର ହୋଇଯାଇଥିଲା ଅନୀଲ ।