କନକ ବ୍ୟୁରୋ : ନୂଆ ବର୍ଷରେ ନକଲି ଔଷଧ କାରବାର କରୁଥିବା ବେପାରୀ ସାବଧାନ । ଖୁଚୁରା ବଜାରରେ ନକଲି ଔଷଧ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଇଛି । ଏନେଇ ରାଜ୍ୟସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପାଞ୍ଚ ଜଣିଆ ଟାସ୍କଫୋର୍ସ ଅଚାନକ ଚଢାଉ କରିବେ ଏବଂ ଔଷଧର ଯାଞ୍ଚ ଓ ସଂରକ୍ଷଣ କାର୍ଯ୍ୟର ଅନୁଧ୍ୟାନ କରିବେ । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁମୋଦନକ୍ରମେ ଏହି ଟିମ୍ କରାଯାଇଛି । ଏହି ଟିମ୍ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବା ରିପୋର୍ଟ ଓ ନିଜସ୍ୱ ସୂତ୍ରରେ ମିଳୁଥିବା ଖବରକୁ ଭିତି କରି ଚଢାଉ କରିବାକୁ କୁହାଯାଇଛି ।

Advertisment

ରାଜ୍ୟର ଏକାଧିକ ଔଷଧ ଦୋକାନରେ ନକଲି ଔଷଧ ଜବତ ପରେ ଅଚାନକ ଚଢାଉ କରିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ନକଲି ଔଷଧ ସଂଖ୍ୟା ବଢି ଚାଲିଥିବା ବେଳେ ଏହାର ଚେର ବାହାର ରାଜ୍ୟକୁ ଲମ୍ବିଛି । ରାଜ୍ୟ ପୁଲିସ ନକଲି ଔଷଧ ଟେଲକା ଫୋର୍ଟି ଓ ଟେଲମା-ଏମ ଘଟଣାରେ ବିହାରରୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ୩ ମାସ ଭିତରେ ଭୁବନେଶ୍ୱର, କଟକ, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡା ଭଳି ଜିଲ୍ଲାରୁ ନକଲି ଔଷଧ ଚିହ୍ନଟ ହୋଇଛି । ଆହୁରି ଅନେକ ରିପୋର୍ଟ ଆସିବା ବାକି ରହିଛି । ତେଣୁ ନକଲି ଔଷଧ ସଂଖ୍ୟା ବଢିବା ଆଶଙ୍କା ରହିଛି । ଏପରି ସ୍ଥିତିରେ ରାଜ୍ୟ ସରକାର ବ୍ୟାପକ ଚଢାଉ କରି ନକଲି ଔଷଧ ବେପାରୀଙ୍କୁ ଧରପଗଡ କରିବାକୁ ଯୋଜନା କରିଛନ୍ତି ।